ଛତ୍ରପୁର (ସମୃଦ୍ଧ ଓଡିଶା) ଆଗାମୀ ଅଗଷ୍ଟ ୮ ତରିଖକୁ ଜାତୀୟ କୃମି ନାଶକ ଦିବସ ରୂପେ ପାଳନ କରାଯାଉଥିବାରୁ ଜିଲ୍ଲା ସ୍ତରରେ ବ୍ୟାପକ ପ୍ରସ୍ତୁତି କାର୍ଯ୍ୟକ୍ରମ ଏବେ ଠାରୁ ଆରମ୍ଭ ହୋଇଯାଇଛି । ଏହା ୮ ତାରିଖରୁ ଆରମ୍ଭ ହୋଇ ୧୬ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଜନ ସଚେତନତା ସୃଷ୍ଟି କରାଯିବାକୁ କେନ୍ଦ୍ରୀୟ ନିର୍ଦ୍ଦେଶ ରହିଥିବାରୁ ଜିଲ୍ଲା ସ୍ତରରେ ଜିଲ୍ଲାପାଳମାନେ ବେଶ ସକ୍ରିୟ ହୋଇଥିବା ଜଣାପଡିଛି । ଗଞ୍ଜାମ ଜିଲ୍ଲାରେ ଯୁବ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଗତ ଗୁରୁବାର ଦିନ ଜିଲ୍ଲାରେ ଥିବା ୨୨ଟି ଯାକ ବ୍ଲକ କାର୍ଯ୍ୟାଳୟ ସହ ଭିଡିଓ କନଫେରେନସି ମାଧ୍ୟମରେ ଜିଲ୍ଲାର ରାଜଧାନୀ ଛତ୍ରପୁର ଠାରୁ ସିଧାସଳଖ ଅଧିକାରୀମାନଙ୍କ ସହ ଯୋଗାଯୋଗ କରିଥିଲେ ।ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏହି ଉପଲକ୍ଷେ ଅନୁଷ୍ଠିତ ପ୍ରସ୍ତୁତି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ଅଧିକାରୀମାନେ ଯୋଗ ଦେଇଥିବା ବେଳେ ବ୍ଲକ ଅଧିକାରୀମାନଙ୍କ ସହ ଭିଡିଓ କନଫେରେନସି ଜରିଆରେ ଜାତୀୟ କୃମି ନାଶକ ଦିବସକୁ କିଭଳି ବ୍ୟାପକ କରାଯାଇପାରିବ ସେ ସମ୍ପର୍କରେ ଆଲୋଚନା ଓ ପର୍ଯ୍ୟାଲୋଚନା ହୋଇଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ବିଜୟ କୁମାର ପାଣିଗ୍ରାହୀ, ଜିଲ୍ଲା ସ୍ୱାସ୍ଥ୍ୟ ପୋଗ୍ରାମ ଅଧିକାରୀ ସାମସୁନ୍ଦର ତ୍ରିପାଠୀ, ଶକ୍ତି କୁମାର ଦିଘାଲ ପ୍ରମୁଖ ଜିଲ୍ଲାପାଳଙ୍କ ସହ ଛତ୍ରପୁର ଓସୱାସ ଠାରେ ଉପସ୍ଥିତ ରହି ୨୨ଟି ଯାକ ବ୍ଲକର ବିଡ଼ିଓ, ସିଡିପିଓ, ମେଡିକାଲ ଅଫିସର ଓ ବ୍ଲକ ଶିକ୍ଷା ଅଧିକାରୀମାନଙ୍କ ସହ ସିଧାସଳଖ ଯୋଗାଯୋଗ କରି ଏହି କାର୍ଯ୍ୟକ୍ରମକୁ କିଭଳି ଲୋକାଭିମୁଖୀ କରାଯାଇପାରିବ ଓ ସମସ୍ତ ବିଭାଗ ଗୁଡିକ ସହ ସମନ୍ୱୟ ରକ୍ଷା କରି ସଫଳ କରାଯାଇପାରିବ ସେ ସମ୍ପର୍କରେ ଆଲୋଚନା ହୋଇଥିଲା । ଆଉ ମଧ୍ୟ ଅଙ୍ଗନୱାଡି କର୍ମୀ, ଆଶା କର୍ମୀ, ପ୍ରାଥମିକ ଶିକ୍ଷକ ମାନଙ୍କୁ ନେଇ କିଭଳି ସଚେତନତା କାର୍ଯ୍ୟକ୍ରମ ଉପରେ ତାଲିମ ଦିଆଯାଇପାରିବ ସେ ସମ୍ପର୍କରେ ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ଶିକ୍ଷା ଅଧିକାରୀ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଉପଯୁକ୍ତ ଭାବେ ତଦାରଖ କରିବା ପାଇଁ ବ୍ଲକ ସ୍ତରରେ ୩ତାରିଖ ସୁଦ୍ଧା ଟାକ୍ସଫୋର୍ସ ଗଠନ କରାଯାଇ ଆଲୋଚନା ବୈଠକ ଅନୁଷ୍ଠିତ ହେବ । ୫ ତାରିଖ ସୁଦ୍ଧା ଅଙ୍ଗନାୱାଡି କର୍ମୀ, ଆଶା କର୍ମୀ, ପ୍ରାଥମିକ ଶିକ୍ଷକ ମାନଙ୍କୁ ତାଲିମ ଦିଆଯିବା ପାଇଁ ପରାମର୍ଶ ଦିଆଯାଇଛି । ଏଥିରେ ବିଦ୍ୟାଳୟ ଅଭିଭାବକ କମିଟିକୁ ସାମିଲ କରିବା ପାଇଁ ଜିଲ୍ଲାପାଳ ଗୁରୁତ୍ୱ ଦେଇଛନ୍ତି । ଏକ ବର୍ଷରୁ ଦଶ ବର୍ଷ ପିଲାଙ୍କର କୃମି ନାଶ ପାଇଁ କୃମି ନାଶ ଔଷଧ ବଣ୍ଟନ କରିବାକୁ ନିର୍ଦ୍ଦେଶ ରହିଛି । ପିଲାଙ୍କର ସ୍ୱାସ୍ଥ୍ୟ ରକ୍ଷା ପାଇଁ ଓ ସୁସ୍ଥ ସବଳ ପିଲା ଗଠନ ପାଇଁ କୃମି ନାଶ ନିହାତି ଜରୁରୀ ବୋଲି ସ୍ୱାସ୍ଥ୍ୟ ବିଭାଗ ପରୀକ୍ଷଣରୁ ଜାଣିପାରିଥିବାରୁ ଜାତୀୟ ସ୍ତରରୁ ଗାଁ ଗହଳ ଯାଏଁ କୃମି ନାଶ ଦିବସ ପାଳନ କରାଯାଉଥିବା ଜଣାପଡିଛି । ସଚେତନ ସୃଷ୍ଟି କରିବା ମୁଖ୍ୟ ଲକ୍ଷ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାପାଳ ଏହା ଉପରେ ବେଶ ଗୁରୁତ୍ୱ ଦେଇଥିବା ପରିଲକ୍ଷିତ ହୋଇଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା