ଗାନ୍ଧୀଜ୍ୟୋତି ରଥକୁ ଜିଲ୍ଲାପାଳଙ୍କ ଦ୍ୱାରା ସ୍ୱାଗତ ସମ୍ବର୍ଦ୍ଧନା

ଛତ୍ରପୁର (ନିମାଇଁ ଚରଣ ପଣ୍ଡା) ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ଉପଲକ୍ଷେ ଓଡ଼ିଶା ଗାନ୍ଧିବାଦୀ ଫୋରମ ଓ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ରାଜ୍ୟବ୍ୟାପି ଗାନ୍ଧୀ ଶାନ୍ତି ସଦଭାବନା ଜ୍ୟୋତି ଯାତ୍ରାର ଶୁଭାରମ୍ଭ ଅକ୍ଟୋବର ୨ରେ ବାଲିଅନ୍ତା ସ୍ଥିତ ମହାତ୍ମା ସେତୁଠାରୁ ଉଦଘାଟିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭ ଉଦଘାଟନ କରିବାପରେ ଏହି ଗାନ୍ଧୀ ଜ୍ୟୋତିରଥ ମହାତ୍ମା ସେତୁ ଉପର ଦେଇ ତାର ପ୍ରଥମ ଯାତ୍ରା ଆରମ୍ଭ କରିଥିଲା । ମହାତ୍ମା ଗାନ୍ଧୀଙ୍କ ନାତୁଣୀ ଶ୍ରୀମତୀ ତାରା ଗାନ୍ଧିଙ୍କ ଦ୍ଵାରା ଅର୍ପିତ ରାଜଘାଟର ସମାଧିସ୍ଥଳରୁ ଆସିଥିବା ଏହି ଜ୍ୟୋତି ରାଜ୍ୟର ୩୦ ଟି ଜିଲ୍ଲା ପରିକ୍ରମା କରି ଶାନ୍ତି, ଅହିଂସା ଓ ସଦ୍ଭାବନାର ବାର୍ତ୍ତା ପ୍ରଚାର କରିବ ବୋଲି ଏହାର ଅଧ୍ୟକ୍ଷା ଡ଼ଃ ରିନା ରାଉତ ରାୟ ସୂଚନା ଦେଇଛନ୍ତି । ଏହି ଅବସରରେ ଜ୍ୟୋତିରଥ ଆଜି ୧୬ତମ ଜିଲ୍ଲା ଭାବେ ଗଞ୍ଜାମ ଜିଲ୍ଲାରେ ପହଞ୍ଚିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଗାନ୍ଧୀ ଶାନ୍ତି ସଦ୍ଭାବନା ଜ୍ୟୋତି ଯାତ୍ରା ଗଞ୍ଜାମ ଜିଲ୍ଲା ଗସ୍ତ ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଲା ପରେ ଜିଲ୍ଲାପାଳ ବିଜୟ ଅମୃତା କୁଳାଙ୍ଗେ, ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର ଚନ୍ଦ୍ର ସାହୁ , ଅତିରିକ୍ତ ଜିଲ୍ଲାପାଳ ବିଜୟ କୁମାର ଦାଶ, ଉପଜିଲ୍ଲାପାଳ ପ୍ରିୟବ୍ରତ ସାହୁ, ରାଜ୍ୟ ସମାଜ ମଙ୍ଗଳ ବୋର୍ଡର ଅଧ୍ୟକ୍ଷା ଲତିକା ପ୍ରଧାନ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ବେହେରା, ଉପଧ୍ୟକ୍ଷା ସ୍ନେହଲତା ପଣ୍ଡା, ଜିଲ୍ଲା ଲୋକସମ୍ପର୍କ ଅଧିକାରୀ ବିରଞ୍ଚି ନାରାୟଣ ପ୍ରଧାନ, ସମାଜ ସେବୀ ପ୍ରଫୁଲ୍ଲ ପଟ୍ଟନାୟକଙ୍କ ସମେତ ଗାନ୍ଧିପ୍ରେମୀ ଓ କସ୍ତୁରବା ବାଳିକା ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହି ଗାନ୍ଧୀ ଜ୍ୟୋତିକୁ ଶ୍ରଦ୍ଧାଞ୍ଜଳି ଦେବା ପରେ ଜିଲ୍ଲା ସମ୍ମିଳନୀ କକ୍ଷରେ ଏକ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ମୁଖ୍ୟବକ୍ତା ଗାନ୍ଧିପ୍ରେମୀ ପୂର୍ବତନ ବିଧାୟକ ଅଶୋକ ଚୌଧୁରୀ ମହାତ୍ମା ଗାନ୍ଧୀଙ୍କ ସ୍ମୃତିଚାରଣ କରିଥିଲେ । ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ଶୀର୍ଷକ ଆଲୋଚନା ଉପରେ ବକ୍ତାମାନେ ବିଭିନ୍ନ ମତବ୍ୟକ୍ତ କରିଥିଲେ । ଏଥିରେ ଛାତ୍ରଛାତ୍ରୀମାନେ ଗାନ୍ଧିଜୀଙ୍କ ଆଦର୍ଶପ୍ରତି କିପରି ଅନୁପ୍ରାଣିତ ହେବେ ସେସମ୍ପର୍କରେ ଉତ୍ସାହିତ କରିଥିଲେ ।ଏହାପରେ ଏହି ଜ୍ୟୋତିରଥ ଢେଙ୍କାନାଳ ଜିଲ୍ଲା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା ।