ଗୁଆଗଡିଆ ମଙ୍ଗଳା ମନ୍ଦିର ଚୁଡାକରଣ ଉତ୍ସବରେ ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ଯୋଗଦାନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଦକ୍ଷିଣ ପ୍ରହରାଜପୁର ପଂଚାୟତର ଗୁଆଗଡିଆ ଗ୍ରାମରେ ୩୦୦ ବର୍ଷରୁ ଉଦ୍ଧ୍ୱର୍ ପୁରାତନ ମଙ୍ଗଳା ମନ୍ଦିର ନିମନ୍ତେ ୨୦୧୪ ମସିହାରୁ ଆରମ୍ଭ କରାଯାଇଥିବା ନବନିର୍ମିତ ମନ୍ଦିରର ଚୁଡାକରଣ ଉତ୍ସବ ଆଜି ଦିବସବ୍ୟାପି ପାଳିତ ହୋଇ ଯାଇଛି । ଏହି ଉତ୍ସବରେ ଦକ୍ଷିଣ ପ୍ରହରାଜପୁର, ଗୁଆଗଡିଆ, ମଳିପାଳ, ମାଗୁଣିଆପଡା, ପ୍ରହରାଜପୁର, ଲକ୍ଷ୍ମଣନାଥ, ଗୋବରଘଟ୍ଟା ସମେତ ପଡୋଶୀ ପଶ୍ଚିମବଂଗ ରାଜ୍ୟର ବାଇପାଟଣା, ମିର୍ଜାପୁର ଓ ସୁନାକଣିଆ ପ୍ରଭୃତି ଗ୍ରାମରୁ ପ୍ରାୟ ୫ହଜାରରୁ ଉଦ୍ଧ୍ୱର୍ ଶ୍ରଦ୍ଧାଳୁ ଭକ୍ତ ଯୋଗ ଦେବା ସଂଗେ ସଂଗେ ପ୍ରସାଦ ସେବନ କରିଥିଲେ । ଏହି ନବନିର୍ମୀତ ମନ୍ଦିର ନିର୍ମାଣ ପାଇଁ ମୟୂରଭଂଜ ଜିଲାର ରାସଗୋବିନ୍ଦପୁର ବ୍ଲକର ମାଣିଦା ଗ୍ରାମର ଭବାନି ଶଂକର ବେହେରା ଓ ତାଙ୍କ ସହଯୋଗୀ ଗୋପାଳ ବିନ୍ଧାଣୀ ପ୍ରମୁଖ ଦୀର୍ଘ ୫ବର୍ଷ ଧରି ଦିନରାତି ଅକ୍ଳାନ୍ତ ପରିଶ୍ରମ କରୁଛନ୍ତି । ଏହି ମନ୍ଦିର ନିର୍ମାଣ କାର୍ଯ୍ୟରେ ଅଦ୍ୟାବଧି ପ୍ରାୟ ୫୦ଲକ୍ଷ ଟଙ୍କା ବିନିଯୋଗ ହୋଇ ସାରିଥିବା ବେଳେ ଆଗାମୀ ଦିନରେ ପୂର୍ଣ୍ଣାଙ୍ଗ କାର୍ଯ୍ୟ ପାଇଁ ଆହୁରି ୫୦ଲକ୍ଷ ଟଙ୍କା ଆବଶ୍ୟକ ପଡିବ ବୋଲି ପ୍ରକାଶ କରିଛନ୍ତି । ଏହି ମନ୍ଦିରର ପରିଚାଳନା ପାଇଁ ଏକ ୫ଜଣିଆ କମିଟି ସ୍ଥାନୀୟ ସରପଂଚ ସତ୍ୟରଂଜନ ଦାସଙ୍କ ସଭାପତିତ୍ୱରେ ଗଠିତ ହୋଇଥିବା ବେଳେ ଯତିନ୍ଦ୍ର ଦାସ, ସୁଧିର କୁମାର ଦାସ, ଦିଲ୍ଲିପ କୁମାର ଦାସ ଓ ପ୍ରଫୁଲ୍ଲ କୁମାର ଜେନା ପ୍ରମୁଖ ସେଥିରେ ସଭ୍ୟରୂପେ କାର୍ଯ୍ୟ କରୁଛନ୍ତି । ଆଜିର ଏହି ଉତ୍ସବ ନିମନ୍ତେ ମୁଖ୍ୟ ପୂଜକ ବନମାଳୀ ମିଶ୍ର, ପୂଜକ ମାନଗୋବିନ୍ଦ ଦାଶ ନିୟୋଜିତ ହୋଇଥିଲେ । ଏହି ମନ୍ଦିରର ନିଜସ୍ୱ ୮ଏକରରୁ ଉର୍ଦ୍ଧ ଜମିକୁ ଭାଗଚାଷୀମାନେ ଜବର ଦଖଲ କରିଥିବାରୁ ସେମାନଙ୍କୁ ତୁରନ୍ତ ଉଚ୍ଛେଦ କରିବାପାଇଁ ଗ୍ରାମବାସୀମାନେ ଦାବି କରିବା ସଂଗେ ସଂଗେ ମନ୍ଦିର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ର ହେଲେ ତାହାକୁ ଉତ୍ତମ ପରିଚାଳନ ପାଇଁ ଦେବତ୍ତୋ ବିଭାଗକୁ ହସ୍ତାନ୍ତର କରାଯିବ ବୋଲି ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡ଼ା