ଛତ୍ରପୁର (ସମୃଦ୍ଧ ଓଡିଶା) ଢେଙ୍କାନାଳ ଗୁଡ଼୍ ନ୍ୟୁଜ ଇଣ୍ଡିଆର ଡ୍ରିମ୍ ସେଲଟର ପକ୍ଷରୁ ପରିଚାଳିତ ସେଲଟରରେ ଅନ୍ତେବାସୀଙ୍କୁ ଅସଦାଚରଣ ଅଭିଯୋଗ ହେବାରୁ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ ସାମଲ ବେଆଇନ ଭାବେ ଚାଲୁଥିବା ଏହି ସେଲଟର ହୋମ୍ ଗୁଡ଼ିକୁ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଥିଲେ । ତେଣୁ ଏନେଇ ରାଜ୍ୟର ବିଭିନ୍ନ ଶାଖା ଉପରେ ଚଢଉ କରାଯାଇଛି । ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଛତ୍ରପୁର ନିକଟ ସାହେବ ଜେନାପଲ୍ଲୀ ସ୍ଥିତ ଗୁଡ଼୍ ନ୍ୟୁ ଇଣ୍ଡିଆ ଶାଖା ଉପରେ ୩ଦିନ ହେଲା ଖାନ ତଲାଶ ଜାରୀ ରହିଛି । ଗତକାଲି ଏହି ସେଲଟର ହୋମର ୧୩୪ଜଣ ଅନ୍ତେବାସୀଙ୍କୁ ବ୍ରହ୍ମପୁର ସିଡ଼ବ୍ଲୁସିକୁ ସ୍ଥାନାନ୍ତରିତ କରାଯାଇଛି । ଏହି ସେଲଟର ହୋମରେ ୮୦ଜଣ ଝିଅ ଓ ୫୪ଜଣ ପୁଅ କନ୍ଧମାଳ, ଗଞ୍ଜାମ ଓ ଗଜପତି ଜିଲ୍ଲାର ରହି ପାଠ ପଢୁଥିଲେ । ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଗତକାଲି ତୃତୀୟ ଦିନର ଖାନ ତଲାଶରେ ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଉପସ୍ଥିତ ରହି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ କୁମାର ଷଡ଼ଙ୍ଗି ଛତ୍ରପୁର ପୁଲିସ ସହାୟତାରେ ସେଲଟର ହୋମରେ ରହିଥିବା ଅନ୍ତେବାସୀମାନଙ୍କୁ ଦୁଇଟି ବସ୍ ରେ ସେମାନଙ୍କୁ ସିଡ଼ବ୍ଲୁସିକୁ ହନ୍ତାନ୍ତର କରାଯାଇଛି । ଅନ୍ୟପଟେ କନ୍ଧମାଳ, ଗଜପତି ଜିଲ୍ଲାରୁ ପୁଅ ଝିଅମାନଙ୍କୁ ମଧ୍ୟ ସେହି ଅଂଚଳର ସିଡ଼ବ୍ଲୁସିକୁ ସ୍ଥାନାନ୍ତର କରାଯାଇଛି । ସେଥି ମଧ୍ୟରୁ ଗଞ୍ଜାମ ଜିଲ୍ଲାରେ ୧୭ଜଣ ଅନ୍ତେବାସୀ ରହିଥିବା ଜଣାପଡ଼ିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଲଗାତାର ତିନି ଦିନ ଧରି ଚାଲିଥିବା ଏହି ଖାନ ତଲାଶରେ ସେମାନଙ୍କର ବିଭିନ୍ନ କାଗଜପତ୍ର ଯଥା ପଞ୍ଜିକରଣ, ଅନ୍ତେବାସୀ ରହୁଥିବା ଗୃହର ବିଭିନ୍ନ କାର୍ଯ୍ୟଶୈଳୀ ସମ୍ପର୍କରେ ରିପୋର୍ଟ ସଂଗ୍ରହ କରି ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା ।ଏଥିସହ ଅନ୍ତେବାସୀମାନଙ୍କର ଅବିଭାବକମାନଙ୍କୁ ଡ଼କାଯାଇ ଅନ୍ତୋବାସୀଙ୍କ ବିଭିନ୍ନ ସମସ୍ୟା ତଥା ପାଠ ପଢା ବହିଠୁ ଆରମ୍ଭ କରି ଯାବତୀୟ ସାମଗ୍ରୀ ଓ କାଗଜପତ୍ର ଯାଞ୍ଚ କରାଯାଇ ସେମାନଙ୍କୁ ବ୍ରହ୍ମପୁର ସିଡ଼ବ୍ଲୁସିକୁ ପଠାଯାଇଥିଲା । କିଛି ଅନ୍ତେବାସୀଙ୍କ ଅଭିଭାବକମାନେ ଆସି ନ ଥିବାରୁ ସେମାନେ ବର୍ତ୍ତମାନ ପର୍ଯ୍ୟନ୍ତ ସେଲଟର ହୋମରେ ରହିଥିବା ଜଣାପଡ଼ିଛି ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା