


ଗୋପଳପୁର (ସମୃଦ୍ଧ ଓଡିଶା) ଗୋପାଳପୁର ପୋର୍ଟ ଓ ଆଇଆରଇ କମ୍ପାନୀକୁ ରପ୍ତାନି କାରବାର ପାଇଁ ସ୍ଥାନୀୟ ଲୋକଙ୍କ ଦାବି ଅନୁସାରେ ଭାରୀଯାନ ଚଳାଚଳକୁ ବନ୍ଦ କରାଯାଇଛି । ଏହି ରାସ୍ତାରେ ଦୀର୍ଘ ୭୨ ଘଣ୍ଟା ଧରି ଯାନବାହାନ ଚଳାଚଳ ବନ୍ଦ ହୋଇଥିବା ନେଇ ୧୬ ନମ୍ବର ଜାତୀୟ ରାଜପଥ ହୁମ୍ମା ଠାରୁ ଚମାଖଣ୍ଡି ଗାଁ ପର୍ଯ୍ୟନ୍ତ ଶହ ଶହ ଟ୍ରକ ଗୁଡିକ ଅଟକି ରହିଛି । ଯାହାକୁ ନେଇ ଜାତୀୟ ରାଜପଥରେ ଏକ ପ୍ରକାର ଟ୍ରାଫିକ ସମସ୍ୟା ଦେଖାଇଥିଲା । ଏନେଇ ଜିଲ୍ଲା ପ୍ରଶାସନ ଓ ପୋଲିସ ପାଇଁ ମୁଣ୍ଡବଥାର କାରଣ ହୋଇଛି । ଏହି ସଂକ୍ରାନ୍ତରେ ଜିଲ୍ଲା ପ୍ରଶାସନ ସୋମବାର ତଥା ଗତକାଲି ଏକ ତ୍ରିପାକ୍ଷୀକ ବୈଠକର ଆୟୋଜନ କରିଥିଲେ । ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ଲକ୍ଷ୍ମୀକାନ୍ତ ସେଠିଙ୍କ ଅଧ୍ୟକ୍ଷତାରେ ଏକ ତ୍ରିପାକ୍ଷିକ ବୈଠକ ଅନୁଷ୍ଠିତ କରାଥିଲା । ଦୀର୍ଘ ୪ ଘଣ୍ଟା ଧରି ଆଲୋଚନା ପରେ ବର୍ତ୍ତମାନ ସୁଦ୍ଧା ଯେତେ ଗୁଡିଏ ଯାନବାହାନ ଜାତୀୟ ରାଜପଥରେ ଠିଆ ହୋଇ ରହିଛି ସେଗୁଡିକୁ ଗୋପାଳପୁର ପୋର୍ଟାକୁ ଏହି ରାସ୍ତାରେ ଛଡ଼ାଯିବ ବୋଲି ଜଣାପଡ଼ିଛି । ଦୁଇ ଦିନ ଧରି ଉକ୍ତ ଯାନବାହାନ ଗୁଡିକ ରପ୍ତାନି ମାଲଗୁଡିକ ନେବା ଆଣିବା କରିବ । ଏହାପରେ ଅନ୍ୟ କୌଣସି ଯାନବାହାନ ଆସିବ ନାହିଁ । ଆସନ୍ତା ୨୧ କିମ୍ବା ୨୨ ତାରିଖରେ ପୁଣି ଏକ ତ୍ରିପାକ୍ଷୀକ ବୈଠକ ଅନୁଷ୍ଠିତ କରାଯିବ ବୋଲି କୁହାଯାଇଛି । ଯେଉଁ ଯେଉଁ ସମସ୍ୟା ଉପରେ ଗ୍ରାମବାସୀ ତଥା କଣମଣା ପଞ୍ଚାୟତ ସରପଞ୍ଚ ଏସ. ଚକ୍ରପାଣି ରେଡ୍ଡୀ ଦୃଷ୍ଟି ଆକର୍ଷଣ କରିଛନ୍ତି । ତା ଉପରେ କି ପ୍ରକାର ପଦକ୍ଷେପ ନିଆଯିବ ଆଲୋଚନା କରାଯିବ । ଗୋପାଳପୁର ପୋର୍ଟକୁ ଭାରୀଯାନ ବାହାନକୁ ଆକଳନ କରି ଉତ୍ତମ ଦୁଇଥାକିଆ ରାସ୍ତା ନିର୍ମାଣ କରିବା ପାଇଁ ଜିଲ୍ଲା ପ୍ରଶାସନ ପୋର୍ଟ କର୍ତ୍ତୃପକ୍ଷ ଏକ ପ୍ଲାନ ପ୍ରସ୍ତୁତ କରିବେ । ଅଂଚଳର ବିକାଶ ନିମନ୍ତେ ପରିପାର୍ଶ୍ଵର ଉନ୍ନତି ନିମନ୍ତେ ଆଇଆରଇ ଓ ପୋର୍ଟର ବିଭିନ୍ନ ପଦକ୍ଷେପ ନିଆଯିବ । ନାରାୟଣପୁର-ଗୋପାଳପୁର ପୋର୍ଟ, କାଳିଆବାଲି ଛକ-ପୋର୍ଟ ଏବଂ ପୁରୁଣା ଛତ୍ରପୁର-ପୋର୍ଟ ତିନୋଟି ରୁଟରେ ଯାନବାହାନ ଚଳାଚଳ ପାଇଁ ବ୍ୟବସ୍ଥା ରହିଛି । ସ୍ଥାନୀୟ ଅଞ୍ଚଳର ପ୍ରତ୍ୟେକ ଗାଁର ଭଦ୍ରବ୍ୟକ୍ତି, ପଞ୍ଚାୟତ ପ୍ରତିନିଧି ଏବଂ ଜିଲ୍ଲା ପ୍ରଶାସନ ଓ ପୋଲିସକୁ ନେଇ ଏକ କମିଟି ଗଠନ କରାଯିବ । କେଉଁ ସମୟରେ କେଉଁ ରୁଟରେ ଯାନବାହାନ ଚଳାଚଳ ହେବ ନେଇ ପରବର୍ତ୍ତୀ ବୈଠକରେ ଆଲୋଚନା କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି । ଏହି ପ୍ରସ୍ତାବ ଉପରେ ଆନ୍ଦୋଳନକାରି ମାନେ ସହମତି ପ୍ରକାଶ କରିଛନ୍ତି । ୧୮ ତାରିଖ ପର୍ଯ୍ୟନ୍ତ ଏହି ରାସ୍ତାରେ ଜାତୀୟ ରାଜପଥରେ ଠିଆ ହୋଇଥିବା ଯାନବାହାନ ଗୁଡିକୁ ଗୋପାଳପୁର ପୋର୍ଟକୁ ଯିବା ଆସିବା ପାଇଁ ରାଜି ହୋଇଛନ୍ତି । ଏହି ତ୍ରିପାକ୍ଷୀକ ବୈଠକରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଏସଡିପିଓ ଉତ୍କଳକେଶରୀ ଦାସ, ତହସିଲଦାର ନୀଳମାଧବ ଭୋଇ, ଚମାଖଣ୍ଡି ଥାନା ଅଧିକାରୀ ସହଦେବ ମହାପାତ୍ର, ଗୋପାଳପୁର ପୋର୍ଟ ସିଇଓ କ୍ୟାପଟାନ ସନ୍ଦୀପ ଅଗ୍ରୱାଲ, ଆଇଆରଇ କମ୍ପାନୀର ଜି.କେ.ନାୟକ, ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସମେତ କାଳିଆବାଲି ଛକ, ମାଟିଖାଲ ଏବଂ ପୁରୁଣା ଛତ୍ରପୁରର ଗ୍ରାମବାସୀ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା




