ଛତ୍ରପୁର (ସମୃଦ୍ଧ ଓଡିଶା) ଗୋପାଳପୁର ବେଳାଭୂମି ମହୋତ୍ସବ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ସ୍ଥାନୀୟ ଜିଲ୍ଲା ପରିଷଦ ଭବନ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କରାଯାଇଥିଲା । ଏଥିରେ ଗୋପାଳପୁର ବେଳାଭୂମି ମହୋତ୍ସବ କମିଟି, ଜିଲ୍ଲା ପ୍ରଶାସନ, ପର୍ଯ୍ୟଟନ ବିଭାଗର ମିଳିତ ଆନୁକୁଲ୍ୟରେ ଗୋପାଳପୁର ମହୋତ୍ସବ ଅନୁଷ୍ଠିତ ହେଉଛି । ଗୋପାଳପୁର ମହୋତ୍ସବ ଆସନ୍ତା ୨୪ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ୫ ଦିନ ବ୍ୟାପି ଗୋପାଳପୁର ଠାରେ ଅନୁଷ୍ଠିତ କରାଯିବ । ଏହି ମହୋତ୍ସବରେ ସ୍ଥାନୀୟ କଳାକାରଙ୍କ ସମେତ ଲୋକ କଳା ଓ ଲୋକ ସଂସ୍କୃତିକୁ ପ୍ରୋତ୍ସାହନ ଦିଆଯିବା ସହ ଶାସ୍ତ୍ରୀୟ ଓ ଆଧୁନିକ ନୃତ୍ୟ ସଙ୍ଗୀତ ପରିବେଷଣ ପାଇଁ ବ୍ୟବସ୍ଥା କରାଯାଇଛି । ବିଶେଷ କରି ଅନ୍ତର୍ଜାତୀୟ ସ୍ତରରେ ମହୋତ୍ସବ ମାଧ୍ୟମରେ ଗୋପାଳପୁର ବେଳାଭୂମିର ପ୍ରକୃତ ପରିଚୟ ସୃଷ୍ଟି କରିବା ପାଇଁ ଦୀର୍ଘ ବର୍ଷ ହେଲା ଏପରି ପ୍ରୟାସ ହୋଇ ଆସୁଛି ବୋଲି ମହୋତ୍ସବ କମିଟିର ଅଧ୍ୟକ୍ଷ ତଥା ଗୋପାଳପୁର ବିଧାୟକ ଡ଼.ପ୍ରଦୀପ କୁମାର ପାଣିଗ୍ରାହୀ ସୂଚନା ଦେଇଛନ୍ତି । ସେହିପରି ପଲ୍ଲିଶ୍ରୀ ମେଳା, ପୁସ୍ତକ ମେଳା, ଖାଦ୍ୟ ମେଳା ଏବଂ ବିଭିନ୍ନ କ୍ରୀଡାର ବ୍ୟବସ୍ଥା କରାଯାଇଛି ବୋଲି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି । ଏହି ଅବସରରେ ବ୍ରହ୍ମପୁର, ଛତ୍ରପୁର, ଚିକିଟି, ପୋଲସରା, ସୋରଡ଼ା, ଖଲ୍ଲିକୋଟ ଓ ଆସିକାର ବିଧାୟକ, ବିଧାୟିକାଙ୍କ ସମେତ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଯୋଗ ଦେଇଥିଲେ । ଏହି ପ୍ରସ୍ତୁତି ବୈଠକରେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ପୂର୍ବତନ ମନ୍ତ୍ରୀ ତଥା ଗୋପାଳପୁର ବିଧାୟକ ଡ.ପ୍ରଦୀପ କୁମାର ପାଣିଗ୍ରାହୀ, ପୂର୍ବତନ ମନ୍ତ୍ରୀ ତତା ଚିକିଟି ବିଧାୟିକା ଉଷା ଦେବୀ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ମହାରଣା, ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ, ସୋରଡ଼ା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୋନମ ପଲାଇ, ଗଞ୍ଜାମ ଏସପି ବ୍ରିଜେଶ କୁମାର ରାଏ, ବ୍ରହ୍ମପୁର ଏସପି ପିନାକ ମିଶ୍ରଙ୍କ ସମେତ କମିଟିର ଅନ୍ୟାନ୍ୟ ସଦସ୍ୟ ସଭ୍ୟ ଉପସ୍ଥିତ ରହିଥିଲେ । ପ୍ରଥମ ଦିନରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହାସହ ବଲିଉଡର ସୁନାମଧନ୍ୟ କଣ୍ଠଶିଳ୍ପୀ ସୋନୁ ନିଗମ ଉଦଘାଟିତ ଉତ୍ସବରେ ଯୋଗଦେଇ ଗୀତ ଗାଇ ଦର୍ଶକମାନଙ୍କ ମନମୁଗ୍ଧ କରିବେ ବୋଲି କୁହାଯାଇଛି । ଏହାପରେ ୨୫ ତାରିଖରେ ବଲିଉଡର ହାସ୍ୟ କଳାକାର ଶଙ୍କିତ ଭୋସଲେ ଏବଂ ଉଦଯାପନୀ ଦିବସରେ ପ୍ରଖ୍ୟାତ ବଲିଉଡ ସିଙ୍ଗର ସାନ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହାସହ ୫ ଦିନ ବ୍ୟାପି ଓଲିଉଡ଼ର ଯୋଡି କଳାକାରମାନଙ୍କ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଯଥା ଅନୁଭବ ଓ ବର୍ଷା, ସବ୍ୟସାଚି ଓ ଅର୍ଚ୍ଚିତା, ଏଲିନା, ହରିହର ଦାସ, କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କ ସମେତ ବ୍ରହ୍ମପୁର ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ କଳାକାରମାନେ ଯୋଗଦେଇ ମହୋତ୍ସବକୁ ରଙ୍ଗୀନ କରିବେ । ଏହି ମହୋତ୍ସବକୁ ଏକ ଜାତୀୟ ମହୋତ୍ସବରେ ପରିଣତ କରିବା ନିମନ୍ତେ ସମସ୍ତଙ୍କ ଉଦ୍ୟମ ଜାରି ରହିବ । ଏହାସହ ଟ୍ରାଫିକ ନିୟନ୍ତ୍ରଣ ସମେତ ବିଭିନ୍ନ କାର୍ଯ୍ୟକ୍ରମକୁ କମିଟିର ସଦସ୍ୟମାନେ ସୁପରିଚାଳନା କରିବେ ଏଥି ନିମନ୍ତେ ଗୁରୁତ୍ୱାରୋପ କରାଯାଇଥିଲା । ପ୍ରାରମ୍ଭରେ ଗୋପାଳପୁର ବେଳାଭୂମି ମହୋତ୍ସବର ଏକ ଲୋଗୋ ଅତିଥିମାନକ ଦ୍ୱାରା ଉନ୍ମୋଚନ କରାଯାଇଥିଲା ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା