ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବର୍ତ୍ତମାନ ଅନୁଷ୍ଠିତ ହେଉଥିବା ଗୋପାଳପୁର ବେଳାଭୂମି ମହୋତ୍ସବରେ ସରକାରୀ ଦଳକୁ ଛାଡି ଅନ୍ୟ କୌଣସି ରାଜନୈତିକ ଦଳ ଓ ବିଶିଷ୍ଟ ବ୍ୟକ୍ତିଙ୍କୁ ସାମିଲ ନ କରିବା ଅତି ଦୁଃଖ ଓ ପରିତାପର ବିଷୟ ବୋଲି ବିଜେପି ସଭାପତି ବିଭୁତି ଜେନା କହିଛନ୍ତି । ଏହାସହ ସେ କହିଛନ୍ତି ଯେ ସମସ୍ତେ ଜାଣନ୍ତି ଗଞ୍ଜାମ ଜିଲ୍ଲା ଏକ ବୃହତ ସାଂସ୍କୃତିକ କେନ୍ଦ୍ରସ୍ଥଳି କିନ୍ତୁ ଏହି କାର୍ଯ୍ୟକ୍ରମରେ କୌଣସି ଗୋଟିଏ ଆଞ୍ଚଳିକ ନୃତ୍ୟ ସଂଗଠନକୁ ଏଥିରେ ଅଂଶ ଗ୍ରହଣ କରିବା ପାଇଁ ନିମନ୍ତ୍ରଣ କରାଗଲା ନାହିଁ ଏହା ଅତି ଦୁଃଖର ବିଷୟ । ଏକାଧିକ ଯୁବ ସଂଗଠନ, କ୍ଳବ, ଅନୁଷ୍ଠାନ ଓ ସେବା ସଂଗଠନକୁ ମଧ୍ୟ ଏଥିରୁ ବାଦ ଦିଆଯାଇଛି । ପରିବେଶ, ସଂସ୍କୃତି ଓ ସ୍ୱର୍ଣ୍ଣିମ ବେଳାଭୂମିର ଉତଥାନ ପାଇଁ କୌଣସି ପଦକ୍ଷେପ ନିଆଯାଉନାହିଁ । ଗୋପାଳପୁର ବେଳାଭୂମିର ସୌନ୍ଦର୍ଯ୍ୟକରଣ, ଜଳକ୍ରୀଡା, ନୃତ୍ୟ ଅନୁଷ୍ଠାନ, ପାର୍କ ପ୍ରଭୃତିର ନବୀକରଣ ନିମିତ୍ତ ୬୦୦ କୋଟି ଟଙ୍କା ପୂର୍ବରୁ ଘୋଷଣା କରାଯାଇଥିଲେ ମଧ୍ୟ ଅଦ୍ୟାବଧି କୌଣସି ପଦକ୍ଷେପ ନିଆଯାଉନାହିଁ । ଅପରପକ୍ଷେ ବେଳାଭୂମି ମହୋତ୍ସବ ନାଁରେ ବେଆଇନ ଭାବେ କୋଟି କୋଟି ଟଙ୍କା ସଂଗ୍ରହ କରାଯାଇ ଇଭେଣ୍ଟ ମେନେଜମେଣ୍ଟ ଜରିଆରେ ବ୍ୟାପକ ଟଙ୍କା ବାଟମାରଣା କରାଯାଉଛି । ତେଣୁ ଗଞ୍ଜାମ ଜିଲ୍ଲା ବିଜେପି ପକ୍ଷରୁ ଦାବୀ କରାଯାଇଛି ଯେ ଗୋପାଳପୁର ମହୋତ୍ସବର ସମସ୍ତ ଆଦାୟ ଓ ଖର୍ଚ୍ଚ ହିସାବର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଇ ଜନସାଧାରଣଙ୍କ ଗୋଚରାର୍ଥ ରାଜ୍ୟ ସରକାର ସର୍ବ ସମ୍ମୁଖରେ ଏକ ଶ୍ୱେତପତ୍ର ପ୍ରକାଶ କରାଯାଉ । ଏହାସହ ମୁଖ୍ୟମନ୍ତ୍ରୀଙ୍କ ଉଦଘାଟନୀ ସନ୍ଧ୍ୟାରେ ଯେଉଁଭଳି ଭାବେ ଗୋପାଳପୁର ବେଳାଭୂମି ମହୋତ୍ସବର ସମସ୍ତ ଷ୍ଟଲରେ ବିଜେଡି ପତାକା ଲଗାଯିବା ସହ ମହୋତ୍ସବକୁ ବିଜେଡି ବାନାରେ ଆଚ୍ଛାଦିତ କରାଗଲା ତାହା ଅତି ନିନ୍ଦନୀୟ ଏବଂ ଦୁଃଖର ସହିତ କହିବାକୁ ପଡୁଛି ସାଂସ୍କୃତିକ କେନ୍ଦ୍ରସ୍ଥଳୀ ଗଞ୍ଜାମ ଜିଲ୍ଲାର ସଂସ୍କୃତି ଓ କଳା ବଦଳରେ ଗୋପାଳପୁର ବେଳାଭୂମି ମହୋତ୍ସବ ନାଁରେ ବିଜେଡିର ଦଳୀୟ ମହୋତ୍ସବ ଭଳି ପ୍ରଚାର ପ୍ରସାର କରାଯାଉଛି । ଏହିଭଳି କାର୍ଯ୍ୟପନ୍ଥା ଗଞ୍ଜାମ ଜିଲ୍ଲା ପାଇଁ ଶୁଭଙ୍କର ନୁହେଁ । ଗତକାଲି ସନ୍ଧ୍ୟାରେ କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ ହୋଇଥିବା ଦୁର୍ବ୍ୟବହାରକୁ ବିଜେପି ଗଞ୍ଜାମ ଜିଲ୍ଲା ଘୋର ନିନ୍ଦା କରୁଛି ବୋଲି ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲାର ପୂର୍ବତନ ସଭାପତି କାହ୍ନୁ ଚରଣ ପତି ଜଣାଇଛନ୍ତି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା