ଦିଗପହଣ୍ଡି(ସମୃଦ୍ଧଓଡିଶା)ସୁନାମ ଧନ୍ୟ ମେଳାପୀ ନେତା ସୂଯ୍ୟ ନାରାୟଣ ପାତ୍ରଙ୍କ ନିର୍ବାଚନ ମଣ୍ଡଳୀ ଦିଗପହଣ୍ଡିରେ ବିଜେଡ଼ିର ଗୋଷ୍ଠି କନ୍ଦଳ ଯୋଗୁଁ ତାଙ୍କ ତଥାକଥିତ ଶିଷ୍ୟ ବିପିନ ପ୍ରଧାନଙ୍କୁ ବିଜେଡିରୁ ବହିଷ୍କାର କରାଯାଇଛି । ବିଜେଡିର ଅପରପକ୍ଷ ନେତା ତଥା ଜିଲ୍ଲାପରିଷଦ ସଦସ୍ୟ ବିପିନ ପ୍ରଧାନଙ୍କୁ ଦଳ ବିରୋଦ୍ଧି କାର୍ଯ୍ୟ ଯୋଗୁଁ ଦଳ ଆଜି ବହିଷ୍କାର କରିଛି । ଦଳ ବିରୋଧୀ କାମ ପାଇଁ ବିପିନଙ୍କୁ ଦଳରୁ ବାହାର କରି ଦିଆ ଯାଇ ଥିବା ପ୍ରେସ ରିଲିଜ୍ ମାଧ୍ୟମରେ ସୂଚନା ଦେଇଛନ୍ତି ରାଜ୍ୟ ସମ୍ପାଦକ ମାନସ ମଙ୍ଗରାଜ। ଗତକାଲି ବ୍ଲକ ଅଧ୍ୟକ୍ଷ ନିର୍ବାଚନକୁ ନେଇ ଦିଗପହଣ୍ଡିରେ ଉତ୍ତେଜନା ଦେଖାଦେଇଥିଲା। ପୂର୍ବ ସୂଚନା ନ ଥାଇ ନିର୍ବାଚନ ସ୍ଥଗିତ ହୋଇଯିବାରୁ ଏହାକୁ ନେଇ ବିଜେଡିର ଗୋଟିଏ ଗୋଷ୍ଠୀ ସୂର୍ଯ୍ୟ ପାତ୍ରଙ୍କ ପୁଅ ବିପ୍ଲବ ପାତ୍ର ଓ ଅପରପକ୍ଷ ଗୋଷ୍ଠୀ ବିପିନ ପ୍ରଧାନଙ୍କ ସମର୍ଥକଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଥିଲା । ଭୋଟ ବାତିଲ କରାଯିବାକୁ ନେଇ ବିପିନଙ୍କ ସମର୍ଥକ ମାନେ ରାସ୍ତା ରୋକ କରିବା ସହ ହୋହାଲ୍ଲା କରିଥିଲେ । ଏହା ସହ ବିପିନଙ୍କ ସମର୍ଥକମାନେ ବ୍ଲକ ଅଫିସରେ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ରାଜ ରାସ୍ତାରେ ନିଆଁ ଜାଳି ରାସ୍ତା ରୋକ କରି ହୋହାଲ୍ଲା କରିଥିଲେ । ପୋଲିସ ଉତ୍ତେଜନାକୁ ଆୟତ୍ତ କରିଥିଲେ ମଧ୍ୟ୍ ଅସନ୍ତୋଷ ଲାଗି ରହିଥିଲା । ଏହି ସୂଚନା ପାଇ ଦଳ ବିପିନିଙ୍କୁ ବିଜେଡିରୁ ବହିଷ୍କାର କରିଛି । ଦୁଇ ମାସ ପୂର୍ବରୁ ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷା ସୁନୀତା ସେଠୀଙ୍କର ମୃତ୍ୟୁ ଘଟିଥିଲା । ତାଙ୍କର ମୃତ୍ୟୁ ପରେ ବ୍ଲକ ଅଧ୍ୟକ୍ଷ ପଦ ଖାଲିପଡ଼ିଥିଲା। ଗତକାଲି ଏନେଇ ନିର୍ବାଚନ ହେବାର ଥିଲା। ହେଲେ ନିର୍ବାଚନ କମିଶନ ଗତକାଲି ହେବାକୁ ଥିବା ନିର୍ବାଚନକୁ ସ୍ଥଗିତ ରଖିଥିଲେ। ଏହାକୁ କେନ୍ଦ୍ର କରି ଅସନ୍ତୁଷ୍ଟ ଗୋଷ୍ଟି ଲଙ୍କାକାଣ୍ଡ ଘଟାଇଥିଲେ । ହେଲେ ଧର୍ମ ସମ୍ଭାଳିଲା ନାହିଁ । ଯାହାହେଲେ ବି ଗୁରୁ ବିରୋଧରେ ଯିବା ଅଧର୍ମ ନୁହେଁ କି ? ସମସ୍ତେ ଏକଥା କୁହାକୁହି ହେଲେ । ହେଉ ଦେଖାଯାଉ ପାଣି କୁଆଡେ ଗଡୁଛି ।
ରିପୋର୍ଟ : ଆଡ଼ଭୋକେଟ ସୁଧୀର ପଟ୍ଟନାୟକ