ଗ୍ରାମାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ରରେ ନାହାନ୍ତି ଡାକ୍ତର : ନାମ୍ପୋ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ହେବ ଜନ ଆନ୍ଦୋଳନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକର ଗ୍ରାମାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ଜଣେ ହେଲେ ଡାକ୍ତର କାର୍ଯ୍ୟ କରୁନଥିବାରୁ ଅଚଳାବସ୍ଥା ସୃଷ୍ଟି ହୋଇଛି । ତେଣୁ ନାମ୍ପୋ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନିଯୁକ୍ତି ଓ ଆନୁସଙ୍ଗିକ ବ୍ୟବସ୍ଥା ଦାବି କରି ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯାଉଥିବା ସଂପର୍କରେ ଗତକାଲି ନାମ୍ପୋ ବିଜେପି ପଂଚାୟତ ଶାଖା ପକ୍ଷରୁ ରାଜ୍ୟ ସ୍ୱାସ୍ଥ୍ୟ ସଚିବ, ଜିଲାପାଳ ଓ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ତଥା କେନ୍ଦ୍ର ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଜଳେଶ୍ୱର ବ୍ଲକର ନାମ୍ପୋ, ଛମୌଜ, ଜମାଳପୁର, ଲକ୍ଷ୍ମଣନାଥରୋଡ, ଶିଖରପୁର, ଶାଳବଣି, ଖୁଆଡ, ଓଲମରା ଓ ଜଳେଶ୍ୱର ପୁରୁଣିଆ ବଜାରଠାରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିଯୁକ୍ତି ପାଇଥିବା କୌଣସି ଡାକ୍ତର ନ ଥିବାର ଜଣାଯାଇଛି । କିନ୍ତୁ ପଶ୍ଚିମବାର୍ଡ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଏକ ଏନ୍ଜିଓ ଆର୍ମ ସଂଗଠନ ଦ୍ୱାରା ପରିଚାଳିତ ହେଉଥିବାରୁ ସେଠାରେ ନିୟୋଜିତ ଅବସରପ୍ରାପ୍ତ ଡାକ୍ତର ସପ୍ତାହକୁ ୩ ଦିନ କାର୍ଯ୍ୟ କରୁଥିବା ଜଣାଯାଇଛି । ସରକାରଙ୍କ ତୃଟିପୂର୍ଣ୍ଣ ନିଯୁକ୍ତି ଯୋଗୁ ଉପରୋକ୍ତ ସମସ୍ତ ଡାକ୍ତରଖାନାରେ ଡାକ୍ତର ନିଯୁକ୍ତି ଦିଆଯାଇଥିଲେ ମଧ୍ୟ ଆଇନ୍ର ଫାଙ୍କରେ ସମସ୍ତେ ଉଚ୍ଚ ଶିକ୍ଷା ବାହାନରେ ଚାଲି ଯାଇଛନ୍ତି । ଏଥିରୁ ନାମ୍ପୋ ପ୍ରାଥମିକ ସ୍ୱାସ୍ଥ୍ୟ ନ୍ଦ୍ରେଟି ବହୁବର୍ଷ ତଳୁ ପ୍ରତିଷ୍ଠା ହୋଇ ଖାଲିନା, ନାମ୍ପୋ, ସମ୍ପତିଆ, ନେତୁଆ, ସୁଗୋ ପଂଚାୟତର ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଆସୁଛି । ପୁଣି ନାମ୍ପୋ ଏକ ସଚେତନ ତଥା ଐତିହାସିକ ଗ୍ରାମ ହୋଇଥିବାରୁ ସ୍ୱାସ୍ଥ୍ୟସେବା ଲାଗି ସେମାନେ ଅଧିକ ସଚେତନ । ଦୀର୍ଘ ୮ ବର୍ଷଧରି ସ୍ଥାୟୀ ନିୟମିତ ଡାକ୍ତର ନିଯୁକ୍ତି ହୋଇନଥିବା ବେଳେ ଡାକ୍ତରଙ୍କ ରହବି ପାଇଁ କ୍ୱାଟର ନ ଥିବା, ଡାକ୍ତରଖାନାର ଚତୁପାଶ୍ୱର୍ରେ ସ୍ଥାୟୀ ପାଚେରୀ ନ ଥିବା ଓ ରୋଗୀମାନଙ୍କୁ ଆବଶ୍ୟକୀୟ ଔଷଧ ଦିଆଯାଉନଥିବାର ଅଭିଯୋଗ ହୋଇଛି । ପୂର୍ବରୁ ବାରମ୍ବାର ଦାବି, ଧାରଣା, ପ୍ରତିବାଦ ସଭା ଇତ୍ୟାଦି କରିଥିଲା । ମାତ୍ର ବିଭିନ୍ନ ସମୟରେ କର୍ତ୍ତୃପକ୍ଷଙ୍କ ଦ୍ୱାରା ପ୍ରତିଶୃତି ମିଳିଥିଲେ ସୁଦ୍ଧା ଏହାର କୌଣସି ସୁଫଳ ମିଳିପାରିନାହିଁ । ଆସନ୍ତା ୧୫ ଦିନ ମଧ୍ୟରେ ଏହାର ସ୍ଥାୟୀ ସମାଧାନ ନହେଲେ କର୍ମକର୍ତ୍ତାମାନେ ଡାକ୍ତରଖାନା ସମ୍ମୁଖରେ ଆମରଣ ଅନଶନ ବସିବେ ବୋଲି ବିଜେପି ନାମ୍ପୋ ଶାଖା ସଭାପତି ଗୋପାଳ ଚନ୍ଦ୍ର ଦତ୍ତ, ସୁମତି ଦେ, ଜଗନ୍ନାଥ ପ୍ରଧାନ, ଜ୍ୟୋତିବ୍ରହ୍ମ ଦେ, ସ୍ୱରୂପ ସିଂହ, ଯତିନ୍ଦ୍ର ଜେନା, ବିଶ୍ୱନାରାୟଣ ଷଡଙ୍ଗୀ, କମଳାକାନ୍ତ ଦେ, ହରିଶ୍ଚନ୍ଦ୍ର ହୁଇ, ଜଗଦିଶ ପ୍ରଧାନ, ବିଚିତ୍ର ହୁଇ ପ୍ରମୁଖ ଚେତାବନି ଦେଇଛନ୍ତି ।

ରିପୋର୍ଟ : ବିଭୁତି କୁମାର ପରିଡା