ବାରିପଦା (ସମୃଦ୍ଧ ଓଡିଶା) ଛାତ ଉପରେ ଫୁଲଫଳ ଓ ସବୁଜ ପନିପରିବାରେ ଭର୍ତ୍ତି ସୁନ୍ଦର ବଗିଚା । ବଗିଚାର ସୌନ୍ଦର୍ଯ୍ୟରେ ଆକର୍ଷିତ ହୋଇ ଉଡ଼ି ଆସୁଛନ୍ତି କେତେପ୍ରକାର ପକ୍ଷୀ । ପକ୍ଷୀଙ୍କ କିଚିରି ମିଚିରି କାକଳିରେ ପରିବେଶ ଉଛୁଳି ପଡୁଛି । ପ୍ରଜାପତି ଓ ମହୁମାଛିଙ୍କ ଉପସ୍ଥିତି ଛାତ ଉପରେ ଭିନ୍ନ ଏକ ପରିବେଶ ସୃଷ୍ଟି କରୁଛି । ସ୍ଥାନୀୟ ଅମିକା ମନ୍ଦିର ପଛପଟେ ଥିବା ସ୍ୱରୁପନଗରରେ ଧରଣୀ କୁମାର ଦେ ତାଙ୍କ ଘର ଛାତ ଉପରେ ସୃଷ୍ଟି କରିପାରିଛନ୍ତି ଏକ ସୁନ୍ଦର ସବୁଜ ବଳୟ । ଛାତ ଉପରେ ଭଳିକି ଭଳି କୁଣ୍ଡରେ ବିଭିନ୍ନ ପ୍ରକାର ରଙ୍ଗ ବେରଙ୍ଗର ଫୁଲ ସହିତ ଫଳ ଗଛ ପୁଣି ଛନଛନିଆ ପନିପରିବାର ସମ୍ଭାରକୁ ଦେଖି ଯେକେହି ଆଶ୍ଚର୍ଯ୍ୟ ହେବ । କାରଣ ଛାତ ଉପରେ ପ୍ରକୃତିକୁ ସଜାଡିବାରେ ଏଭଳି ପ୍ରୟାସ ନିଆରା ଧରଣୀଙ୍କ ଛାତି ଉପରେ ସପେଟା ଗଛରେ ଝାଙ୍କିପଡିଛି ସପେଟା, ଆମ୍ବ ଗଛରେ ଧରିଛି ପେନ୍ଥା ପେନ୍ଥା ବଉଳ । ଲେମ୍ବୁ ଗଛରେ ଲେମ୍ବୁ ଜାମୁରୋଳ, ବାରମାସୀ ଗୟାକୁଳି, ପିଜୁଳି, ଡାଳିମ୍ବ ଫଳ ସବୁ ଭରପୁର ଥୁବଳେ ସପୁରୀ, କଦଳୀ, ନଡ଼ିଆ ଗଛ ମଧ୍ୟ ରହିଛି । ବିଭିନ୍ନ ପ୍ରକାର ଫୁଲ ମଧ୍ୟରେ ଗୋଲାପ ସାଙ୍ଗକୁ ଗେଣ୍ଡୁ, ଡାଲିଆ, ଜିନିଆ, ସେବତୀ, ସାଇକାସ୍, ରଜନୀଗନ୍ଧା, ଟଗର, ଗନ୍ଧରାଜ, ଯୁଇ, ହେନା ଏବଂ ବିଭିନ୍ନ ସିଜିନାଲ ଫୁଲ ସହିତ ନାନାକିସମର ସୋ ଗଛ (କୁଟନ ପ୍ରାଣ୍ଟ) ଓ ବିଭିନ୍ନପ୍ରକାର ଔଷଧୀୟ ଗୁଳ୍ପଲତା ମଧ୍ୟରେ ସତାବରୀ, ତୁଳସୀ, ଘି କୁଆଁରୀ, ପୁଦିନା ଏମିତି ଅନେକ ଦରକାରୀ ଗଛି । ଖାଲି ସେତିକି ନୁହେଁ । ପନିପରିବା ମଧ୍ୟରେ ବିଭିନ୍ନ ପ୍ରକାର ଶାଗଠୁ ଆରମ୍ଭ କରି ଧଣିଆପତ୍ର, ମେଥି, ଫୁଲକୋବି, ବନ୍ଧାକୋବି, ବ୍ରୋକଲି, ଉଲକୋବି, ବିଟ୍, ଗାଜର, ମୂଳା, ଲଙ୍କା, ବାଇଗଣ, ବିଲାତି, କଲରା, କାକୁଡ଼ି, ବୋଇତାଳୁ, ଲାଉ, ପୋଟଳ, କୁନ୍ଦୁରୀ ଇତ୍ୟାଦି । ଏପରି ବିଭିନ୍ନପ୍ରକାର ଗଛଭରା ଛାତିରେ ସବୁଜିମାର ଲହଡ଼ି ଭାଙ୍ଗୁଛି । ସହରରେ ବାଡ଼ି ବଗିଚା ପାଇଁ ସ୍ଥାନର ଅଭାବିଥିବାରୁ ଧରଣୀ ବାବୁ ଛାତ ଉପରେ ସୃଷ୍ଟି କରିଛନ୍ତି ତାଙ୍କ ମନପସନ୍ଦର ବଗିଚା । ଗତ ବର୍ଷ ଓ ଚଳିତ ବର୍ଷ ଛାତ ଉପରେ ଜୈବିକ ଉପାୟରେ (ଅର୍ଗାନିକ ଫାର୍ମ) କରି ଗତ ବର୍ଷ ୧୬ କିଲୋଗ୍ରାମର ଅଧୁକ ଓଜନର ଏକ ବୋଇତାଳୁ ଫଳାଇଥିଲେ ଓ ଚଳିତ ବର୍ଷ ଶୀତ ଋତୁ ରେ ଦେଖିବାକୁ ମିଳିଛି ବାଇଗନି ରଙ୍ଗର ଫୁଲ କୋବି । କୌଣସି କେମିକାଲ ସାର କିମ୍ବା ଔଷଧ ବ୍ୟବହାର ନ କରି ସୁନ୍ଦର ବଗିଚା ସୃଷ୍ଟି କରି ଫଳ ଓ ପନିପରିବା ଅମଳ କରିବାରେ ସଫଳତା ପାଇବା ସଂପର୍କରେ ଧରଣୀ ବାବୁ କହନ୍ତି ଯେ, ସେ ବୁଢାବଳଙ୍ଗ ନଦୀ ପଠାରୁ ମାଟି ଆଣି ଗୋବର ଖତ ସହ ମିଶାଇ ତାକୁ ଗୁଣ୍ଡ କରି ପ୍ରଥମେ ଶୁଖାଇ ଦିଅନ୍ତି । ମାଟି ପାଗ ହେଲା ପରେ ତାକୁ କୁଣ୍ଡରେ ଦେଇ ଗଛ ଲଗାନ୍ତି । ଦେଶୀ ଗାଈର ଗୋବର ଖତ ମାଟିର ସ୍ୱାସ୍ଥ୍ୟ ପାଇଁ ଏବଂ ଗଛ ପାଇଁ ଅଧୁକ ଫଳପ୍ରଦ ବୋଲି ସେ କହନ୍ତି । ଗଛ ଟିକିଏ ବଢିଗଲେ ପିଡ଼ିଆ ଦିଅନ୍ତି । ଛାତ ଉପରେ ଗଛର ଯନ୍ତି ନେବା ପାଇଁ ପ୍ରତ୍ୟେକ ଦିନ ସକାଳ ୬ରୁ ୮ଟା ୨ଘଣ୍ଟା ତାଙ୍କର ସମୟ ଯାଏ । ସବୁଜ ବଳୟ ସୃଷ୍ଟି କରି ପରିବେଶର ଯନ୍ନ ନେବା ସହିତ ସେ ଅପାର ଆନନ୍ଦ ପାଆନ୍ତି ବୋଲି କହନ୍ତି । ୨୦୧୦ରୁ ଛାତ ଉପରେ ଧରଣୀ କିଚେନ ଗାର୍ଡେନ କରିଥିବା ବେଳେ ୨୦୧୫ରେ ପରୀକ୍ଷାମୂଳକ ଭାବେ ଫାଇବର କୁଣ୍ଡରେ ବଡ ବଡ ଗଛ ଯେପରି ଆମ, ସପେଟ, ଜାମୁରୋଳ, ନଡିଆ ଆଦି ଲଗାଇ ସଫଳ ହୋଇଛନ୍ତି । ଛାତ ଉପରେ ପ୍ରକୃତିକୁ ସଜାଡି ଅନ୍ୟ ପାଇଁ ଉଦାହରଣ ପାଲଟିବା ଧରଣୀଙ୍କ ପୈତୃକ ଗାଁ ପଶ୍ଚିମବଙ୍ଗର ମେଦିନାପୁର ଜିଲ୍ଲା ଦାନ୍ତୁନ ସବଡିଭିଜନର ଉତ୍ତର ଆଡବଣା ଗ୍ରାମରେ । ୧୨ବର୍ଷ ବୟସରୁ ୧୯୮୮ ସମିହାରୁ ଗାଁ ଛାଡି ସେ ବାରିପଦାରେ ରହି ବ୍ୟବସାୟ କରି ଆସୁଛନ୍ତି । ଗାନ୍ଧୀ ମାର୍କେଟରେ ତାଙ୍କର ଆସବାବପତ୍ର (ଫୁର୍ଣ୍ଣିଚର) ଦୋକାନଟିଏ ରହିଛି । ପେସାରେ ସେ ଜଣେ ବ୍ୟବସାୟୀ ହୋଇଥିଲେ ସୁଦ୍ଧା ନିଶାରେ ଜଣେ ନିଷ୍ଠାପର ପରିବେଶ ସୁରକ୍ଷାକାରୀ । ଅବସ୍ଥା ଚକ୍ରରେ ପଡି ବ୍ୟବସାୟ କରୁଥିଲେ ବି ଚାଷୀ ପରିବାରର ହୋଇଥିବାରୁ ଚାଷବାସ ପ୍ରତି ତାଙ୍କର ଅହେତୁକ ଦୁର୍ବଳତା । ତେଣୁ ତାଙ୍କ ଘରକୁ ଯେକେହି ଗଲେ ସେ ତାକୁ ସଙ୍ଗେ ସଙ୍ଗେ ଛାତ ଉପରକୁ ପାଛୋଟି ନିଅନ୍ତି । ନିଜ ହାତଗଢ଼ା ବଗିଚାକୁ ଦେଖାଇବା ସହ ପ୍ରତିଟି ଗଛର କାହାଣୀ ପେଡ଼ି ଖୋଲି ବସନ୍ତି । ଆଉ ଆସିଲା ବେଳେ ବଗିଚାର ଫଳ ଫୁଲ କି ପନିପରିବା ଦେବାକୁ କେବେ ବି ଭୁଲନ୍ତିନି ଧରଣୀ ।