ହିଞ୍ଜିଳିକାଟୁ (ସମୃଦ୍ଧ ଓଡିଶା)ଦୀର୍ଘ ଦିନ ଧରି ଲକଡାଉନ ଯୋଗୁଁ ଘୋର ଆର୍ଥିକ ଅନଟନ ମଧ୍ୟରେ ହିଞ୍ଜିଳିକାଟୁ ଫୋଟ ଓ ଭିଡିଓଗ୍ରାଫର ମାନେ ଜୀବିକା ନିର୍ବାହ କରୁଛନ୍ତି । ଆଜି ଆର୍ଥିକ ସହାୟତା ପାଇଁ ସ୍ଥାନୀୟ ସରକାରୀ ଅଧିକାରୀମାନଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବୀ ପତ୍ର ପ୍ରଦାନ କରିଛନ୍ତି । ସୂଚନା ଯୋଗ୍ୟ ଯେ, ମହାମାରୀ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଦେଶରେ ଲାଗୁ ହୋଇଥିବା ଲକଡାଉନ ବେପାରୀ, ଦିନମଜୁରିଆ, ଶ୍ରମିକ ମାନଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି । ଲକଡାଉନ କଡାକଡ଼ି ଭାବେ ଦେଶରେ, ରାଜ୍ୟରେ ଓ ଜିଲ୍ଲାରେ ଲାଗୁ ହୋଇଥିବା ଯୋଗୁଁ ଚାରିଆଡେ ଶୂନଶାନ ହୋଇଯାଇଛି । ଦୋକାନ ବଜାର ଦୀର୍ଘ ଦିନ ଧରି ବନ୍ଦ ରହିବା ଫଳରେ ଦି ପଇସା ରୋଜଗାର କରି ଚଳୁଥିବା ଛୋଟ ଛୋଟ ବ୍ୟବସାୟୀ ମାନଙ୍କର ଅବସ୍ଥା କହିଲେ ନ ସରେ । ଆର୍ଥିକ ଅବସ୍ଥା ସମସ୍ତଙ୍କର ଅଦୁଆନ ହୋଇଯାଇଛି । ବିଶେଷ କରି ଛୋଟ ଛୋଟ ସହରରେ ଓ ଗ୍ରାମାଞ୍ଚଳରେ ଛୋଟ ଦୋକାନଟିଏ ଖୋଲି ବେପାର କରି ଚଳୁଥିବା ଲୋକଟି ଆଜି ଦୀର୍ଘହରା ହୋଇଯାଇଛି । ବିବାହ, ବ୍ରତ, ଜନ୍ମଦିନ ପାଳନ, ସାଂସ୍କୃତିକ କାର୍ଯ୍ୟକ୍ରମ, ଉତ୍ସବ, ପର୍ବପର୍ବାଣି ଲକଡାଉନ ଯୋଗୁଁ ସମ୍ପୂର୍ଣ୍ଣ ବନ୍ଦ ହୋଇ ଯାଇଥିବାରୁ ଫୋଟ ଓ ଭିଡିଓଗ୍ରାଫର ବେପାରୀ ମାନଙ୍କର ଅବସ୍ଥା ଆହୁରି କଷ୍ଟକର ହୋଇଯାଇଛି । ଭିଡିଓ ଓ ଫୋଟଗ୍ରାଫର ମାନେ ଷ୍ଟୁଡ଼ିଓଟିଏ ଖୋଲି ଓ ଅନୁଷ୍ଠିତ ହୋଉଥିବା ବିଭିନ୍ନ ଜନ ଉତ୍ସବରେ ଫୋଟୋ ଉଠାଇ ଯାହା ଦି ପଇସା ରୋଜଗାର କରୁଥିଲେ ତାହା ୨୨ ତାରିଖରୁ ବନ୍ଦ ହୋଇଯାଇଥିବାରୁ ମାସେ ହେଲା ରୋଜଗାର ନାହିଁ । ଭିଡିଓ ଓ ଫୋଟଗ୍ରାଫର ମାନେ ବ୍ରତ ବିବାହ ଜନ୍ମଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦିରୁ ଦୁଇ ପଇସା ରୋଜଗାର କରି ପରିବାର ପରିପୋଷଣ କରିଆସୁଥିଲେ କିନ୍ତୁ ଏସବୁ ବନ୍ଦ ହୋଇ ଯାଇଥିବାରୁ ସେମାନଙ୍କ ରୋଜଗାର ମାସେ ହେଲା ବନ୍ଦ ହୋଇଯାଇଛି । ଫଳରେ ପରିବାର ପରିପୋଷଣ କଷ୍ଟକର ହୋଇଯାଇଛି । ଉପାର୍ଜନ ବନ୍ଦ ହୋଇଯାଇଥିବା ବେଳେ ଷ୍ଟୁଡିଓ ବା ଦୋକାନ ଭଡା, ବିଜୁଳି ବିଲ, ଘର ଖର୍ଚ, ଚିକିତ୍ସା ଖର୍ଚ, ପିଲାଙ୍କ ପାଠ ପଢା ଆଦି ଆଗକୁ ରହିଥବାରୁ ବେଢ଼ି ଉପରେ କରୋଡା ବାଡ଼ି ଭଳି ଏମାନଙ୍କୁ ଆର୍ଥିକ ସଙ୍କଟ ଘେରିଯାଇଛି । ଏଭଳି ସମସ୍ୟା ଗୁଡିକୁ ଆଖି ଆଗରେ ରଖି ହିଞ୍ଜିଳିକାଟୁରେ ଏଭଳି ବ୍ୟବସାୟ କରି ଜୀବିକା ନିର୍ବାହ କରୁଥିବା ୩୦୦ଜଣ ବ୍ୟବସାୟୀ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଲକଡାଉନ ସରୁସରୁ ସେମାନଙ୍କୁ ଦୋକାନ ଭଡା ବିଜୁଳି ବିଲ ପିଲାଙ୍କ ପାଠପଢା ଖର୍ଚ ବାନ୍ଧିବାକୁ ପଡିବ ବୋଲି ଘର ଚିନ୍ତା ଘାରିଛି । ଏଭଳି ଦାରୁଣ ଦୁଃଖ ସେମାନେ ଆଜି ବିଡ଼ିଓ ଓ ପୌର ପରିଷଦ ନିର୍ବାହୀ ଅଧିକାରୀଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି । ଲକଡାଉନ ସରୁସରୁ ବର୍ଷ ଆରମ୍ଭ ହେଉଥିବାରୁ ବ୍ୟବସାୟ କରିବାକୁ ଓ କ୍ୟାମେରା ଯନ୍ତ୍ରପାତି ଆଦି ଆଣିବାକୁ ଯେଉଁମାନେ ଋଣ କରିଥିଲେ ସେମାନେ ଋଣ ସୁଝିବାକୁ ପଡିବ ଓ ପିଲାଙ୍କ ସ୍କୁଲ ଖର୍ଚ ନିହାତି ବାନ୍ଧିବାକୁ ପଡ଼ିବ । ତେଣୁ ପାଖରେ ଟଙ୍କାଟିଏ ନ ଥିବା ବେଳେ ଏସବୁ କାର୍ଯ୍ୟ କେମିତି ହେବ ବୋଲି ଚିନ୍ତାରେ ଥିବା ବେଳେ ଲକଡାଉନ ଉଠିବା ସମୟ ଯେତିକି ପାଖେଇ ଆସୁଛି ସେମାନଙ୍କ ଚିନ୍ତା ସେତିକି ବଢି ଯାଉଥିବା ଦେଖିବାକୁ ମିଳୁଛି । ଅନ୍ତତଃ ଫୋଟୋ ଓ ଭିଡିଓଗ୍ରାଫରଙ୍କ ଦୁଃଖ ବୁଝିବାକୁ ମୁଖ୍ୟମନ୍ତ୍ରୀଙ୍କୁ ସେମାନେ ଅନୁରୋଧ କରିଛନ୍ତି । ଆଜି ହିଞ୍ଜିଳିକାଟୁ ଫୋଟୋ ଓ ଭିଡିଓଗ୍ରାଫର ସଂଘ ଉପରୋକ୍ତ ସମସ୍ତ ସମସ୍ୟାକୁ ଉଲ୍ଲେଖ କରି ଏକ ଦରଖାସ୍ତ ସ୍ଥାନୀୟ ଗୋଷ୍ଠୀ ଉନୟନ ଅଧିକାରୀ ଓ ପୌର ପରିଷଦ ନିର୍ବାହୀ ଅଧିକାରୀଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି । ଏଥିରେ ସଂଘର ସଭାପତି ନବକଳେବର ପଣ୍ଡା, ସମ୍ପାଦକ ତାରାପ୍ରସାଦ ପଟ୍ଟନାୟକଙ୍କ ସମେତ ନଳିନୀକାନ୍ତ ମିଶ୍ର, ତୁଟୁ ବାଡ଼ତ୍ୟା, ସୁନୀଲ ବାଡତ୍ୟା, ସତ୍ୟବ୍ରତ ପଟ୍ଟନାୟକ ପ୍ରମୁଖ ସଭ୍ୟମାନେ ଏକତ୍ରିତ ହୋଇ ବିଡ଼ିଓ ଓ ନିର୍ବାହୀ ଅଧିକାରୀଙ୍କୁ ସାକ୍ଷାତ କରିଥିଲେ ।
ରିପୋର୍ଟ : କିରଣ କୁମାର ପଟ୍ଟନାୟକ