ଚତୁର୍ଥ ଦିନରେ ଜିକେଭଟ୍ଟର ଡାକ୍ତରଖାନାରେ ରୋଗୀସେବା ଠପ୍ : ପ୍ରସୂତୀ ଓ ସର୍ପାଘାତ ରୋଗୀ ନିରାଶ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଉତ୍ତର ବାଲେଶ୍ୱରର ଏକମାତ୍ର ରେଫରାଲ ହସ୍ପିଟାଲ ଭାବେ ପରିଗଣିତ ଜିକେଭଟ୍ଟର ହସ୍ପିଟାଲରେ ଏକ ନାବାଳକର ମୃତ୍ୟୁକୁ ନେଇ ଦେଖା ଦେଇଥିବା ସମସ୍ୟା ଯୋଗୁଁ ଆଜି ଚତୁର୍ଥ ଦିନରେ ସେଠାରେ ରୋଗୀସେବା ହୋଇପାରିନାହିଁ । ଡାକ୍ତରମାନେ ସମୁହ ଛୁଟି ନେଇଥିବାରୁ ରୋଗୀ ସେବା ହୋଇପାରିନଥିବା ବେଳେ ଆଜି କେତେକ ପ୍ରସୂତୀ ଓ ସର୍ପଦଂର୍ଶନରେ ଆକ୍ରାନ୍ତ ରୋଗୀମାନଙ୍କୁ ନିରାଶ ହେବାକୁ ପଡିଛି । ଜଣେ ଅସୁସ୍ଥ ନା ବାଳକ ଜିକେ ଭଟ୍ଟର ହାସ୍ପିଟାଲକୁ ଚିକିତ୍ସାପାଇଁ ଆସିଥିଲେ । ତାଙ୍କ ମୃତ୍ୟୁକୁ ନେଇ ବିବାଦ ସୃଷ୍ଟି ହେବା ଏବଂ ଡାକ୍ତରଖାନା ଓ ଭାରପ୍ରାପ୍ତ ଅଧିକାରୀଙ୍କ ବ।ସଗୃହରେ ଭଂଗାରୁଜା ଘଟଣାରେ ଆଜି କର୍ମଚାରୀମାନେ ଉପସ୍ଥିତ ଥିଲେ ମଧ୍ୟ ଡାକ୍ତରଖାନାର କୌଣସି ଡାକ୍ତର କାର୍ଯ୍ୟରେ ଯୋଗ ଦେଇନଥିଲେ । ପ୍ରଶାସନ ପକ୍ଷରୁ ସିଡିଏମଓ ଡା. କମଳାକାନ୍ତ ନାୟକ ୩ଦିନ ଧରି ଡାକ୍ତରମାନେ କାର୍ଯ୍ୟରେ ଯୋଗଦେବା ପ୍ରତିଶୃତି ଦେଇ ଆସୁଥିଲା ବେଳେ କାର୍ଯ୍ୟତଃ ତାହା ହେଉ ନଥିବାରୁ ଅସନ୍ତୋଷ ତେଜୁଛି । ସମଗ୍ର ଉତ୍ତର ବାଲେଶ୍ୱରରେ ଏହା ଏକ ରେଫେରାଲ ୟୁନିଟ୍ ଥିବାରୁ ଗ୍ରାମାଞ୍ଚର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଆସୁଥିବା ରୋଗୀ ଓ ଏଠାକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀମାନେ ହତାଶ ହୋଇଛନ୍ତି । ଆଜି ନଛିମପୁର ଗ୍ରାମର ଅନିଲ କୁମାର ସେନ (୪୫) ସକାଳେ ବିଲକୁ ଗଲାବେଳେ ଏକ ସର୍ପଦଂଶନର ଶୀକାର ହୋଇ ଭଟ୍ଟର ହସ୍ପିଟାଲ ଚିକିତ୍ସାପାଇଁ ଆସି କୋଣସି ସେବା ନ ପାଇ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ଅଧିକ ଖର୍ଚ୍ଚାନ୍ତ ହୋଇ ଯିବାକୁ ବାଧ୍ୟ ହୋଇଥିଲେ । ସେହିପରି ପାପିଆ ସେନ୍ ନାମକ ଜଣେ ପ୍ରସୂତୀକୁ ବାଲେଶ୍ୱର ପଠାଯାଇଥିଲା । ସେହିପରି ବିଭିନ୍ନ ରୋଗ ପାଇଁ ପ୍ରାୟ ୪୦ରୁ ଉଦ୍ଧ୍ୱର୍ ରୋଗୀ ମାନେ ହସ୍ପିଟାଲକୁ ଆସି ନିରାଶ ହୋଇ ବହୁ ଖଚ୍ଚାନ୍ତ ହୋଇ ଘରୋଇ ଚିକିତ୍ସା କେନ୍ଦ୍ରରେ ଚିକିତ୍ସିତ ହୋଇଥିବାର ଜଣାଯାଇଛି । ଗତ ରାତିରେ ଜଳେଶ୍ୱର ବାର୍ ଏସୋସିଏସନର ସଭାପତି କୁଞ୍ଜବିହାରୀ ଦାସ, ସମାଜ କଲ୍ୟାଣ ବିକାଶ ପରିଷଦର ସମ୍ପାଦକ ରାମଚନ୍ଦ୍ର ଜେନା, ଜିଲା ରକ୍ତଦାତା ସଂଘର ସଭାପତି କମଳ ଚକ୍ରବର୍ତ୍ତୀ, ବ୍ଲକ ଉପାଧ୍ୟକ୍ଷ ବ୍ରଜମୋହନ ପ୍ରଧାନ ପ୍ରମୁଖ ବାଲେଶ୍ୱର ଜିଲାପାଳ ଓ ସିଡିଏମ୍ଓଙ୍କୁ ସ୍ୱାସ୍ଥ୍ୟସେବା ନିମନ୍ତେ ଫୋନ ଯୋଗେ ବାରମ୍ବାର କଥାହୋଇ ଆଜି ସ୍ୱାସ୍ଥ୍ୟସେବା ମିଳିବା ପ୍ରତିଶୃତି ମିଳିଥିଲେ ମଧ୍ୟ ଆଜି ସଂଧ୍ୟାସୁଦ୍ଧା ତାହା ସମ୍ଭବ ହୋଇପାରିନାହିଁ । ଗତ ଶନିବାର ବ୍ଲକ ଉପାଧ୍ୟକ୍ଷ ବ୍ରଜମୋହନ ପ୍ରଧାନଙ୍କ ସାମ୍ବାଦିକ ସମ୍ମିଳନୀରେ ଆସନ୍ତା ସୋମବାର ତହସିଲ କାର୍ଯ୍ୟାଳୟ ଘେରାଓର ନିଷ୍ପତ୍ତି କାର୍ଯ୍ୟକାରୀ ଲାଗି ଆଜି ବ୍ୟାପକ ପ୍ରସ୍ତୁତି ନିଆଯାଇଛି । ଅନ୍ୟପକ୍ଷରେ ଜଳେଶ୍ୱର ବିଧାୟକ ଅଶ୍ୱିନୀ କୁମାର ପାତ୍ର ପଣ୍ଡିଚେରୀରୁ ଫେରି ସ୍ୱାସ୍ଥ୍ୟ ସଚିବ, ସିଡିଏମଓ ଓ ଜିଲାପାଳଙ୍କ ସହ ଆଲୋଚନା କରିଛନ୍ତି । ଆପାଦକାଳୀନ ବ୍ୟବସ୍ଥାରେ ଏଲ୍ଓଆର୍ଏମ୍ଓ ଓ ଆଂଚଳିକ ଡାକ୍ତରଙ୍କ ସହାୟତାରେ ଭଟ୍ଟର ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାର ବ୍ୟବସ୍ଥା ହେଉଥିବାର ବିଧାୟକ ଶ୍ରୀ ପାତ୍ର ଫୋନ୍ଯୋଗେ ସୂଚନା ଦେଇଛନ୍ତି । ଅତିଶୀଘ୍ର ସମସ୍ୟାର ସମାଧାନ କରାଯିବାକୁ ଅଂଚଳବାସୀଙ୍କ ପକ୍ଷରୁ ନିବେଦନ କରାଯାଇଛି ।

ରିପୋର୍ଟ : ଭୂପତି କୁମାର ପରିଡା