

ଭୁବନେଶ୍ୱର (ସମୃଦ୍ଧ ଓଡିଶା) କଟକର କ୍ରୀଡ଼ା ଛାତ୍ରାବାସ ଚତୁର୍ଥ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଚାମ୍ପିଅନ୍ ହୋଇଛନ୍ତି । ଭୁବନେଶ୍ୱର ସିଟି କ୍ଲବ୍ ଏବଂ ସ୍ପୋର୍ଟ୍ସ ଆଣ୍ଡ ଗେମ୍ସ ଅର୍ଗାନାଇଜେସନ (ଏସ୍ଜିଓ) ଆନୁକୂଲ୍ୟରେ ଗତ ରବିବାର ଦିନ ଖେଳା ଯାଇଥିବା ଫାଇନାଲ ମ୍ୟାଚ୍ ତୀବ୍ର ପ୍ରତିଦ୍ୱନ୍ଦ୍ୱିତାମୂଳକ ହୋଇଥିଲା । ଏଥିରେ ଦୁଇ ଫାଇନାଲିଷ୍ଟ କ୍ରୀଡ଼ା ଛାତ୍ରବାସ ଓ ଭୁବନେଶ୍ୱରର କିଶୋର କ୍ଳବ୍ କେହି କାହାରିକୁ ଗୋଲ ଦେଇପାରି ନଥିଲେ । ଏହା ଫଳରେ ଟାଇବ୍ରେକରର ସହାୟତା ନିଆଯାଇଥିଲା । ଏଥିରେ କଟକ ଦଳ ୪-୩ ଗୋଲରେ ଭୁବନେଶ୍ୱର ଟିମ୍କୁ ହରାଇ ଟାଇଟଲ ଜିତିବାରେ ସମର୍ଥ ହୋଇଛି । ଟାଇଟଲ ଜିତିଥିବା କ୍ରୀଡ଼ା ଛାତ୍ରାବାସ୍କୁ ଟ୍ରଫି ସହ ନଗଦ ୧୫,୦୦୦ ଟଙ୍କା ପ୍ରଦାନ କରାଯାଇଥିଲା । ଏହି ଅର୍ଥ ଅନ୍ୟତମ ବିଶିଷ୍ଟ କ୍ରୀଡ଼ା ପ୍ରଶାସକ ନବରଞ୍ଜନ ପଟ୍ଟନାୟକ ତାଙ୍କ ଯାଆଁଳା ଭାଇ କୁଶରଞ୍ଜନ ପଟ୍ଟନାୟକଙ୍କ ସ୍ମୃତି ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । ଗୋଲକିପର ଫଗୁ ବାସ୍କେ, ଆନନ୍ଦ ଲାକ୍ରା ଓ ସୁଶୀଲ ବାର୍ଲାଙ୍କୁ ଇଣ୍ଡିଭିଜୁଆଲ ପୁରସ୍କାର ପ୍ରଦାନ କରାଯାଇଥିଲା । ଫାଇନାଲ ଖେଳକୁ ରେଫରୀ ସୁଜିତ୍ କୁମାର ପାତ୍ର, ପରିଚାଳନା କରିଥିଲେ । ଶିବପ୍ରସାଦ ଦାସ୍, ଟି ମୋହନ ରାଓ ଲାଇନ୍ରେ ସହାୟତା ଦେଇଥିଲାବେଳେ ଚତୁର୍ଥ ରେଫରି ଭାବେ ଦୁର୍ଗା ଆଚାର୍ଯ୍ୟ ରହିଥିଲେ । ଖେଳ ଶେଷରେ ଜଗନ୍ନାଥ ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୌର୍ଯ୍ୟରଞ୍ଜନ ପରିଜା, ନବରଞ୍ଜନ ପଟ୍ଟନାୟକ, ଅଶୋକ ମହାନ୍ତି, ଭାରତୀୟ ମହିଳା ଦଳର ସହକାରୀ କୋଚ୍ ଶ୍ରଦ୍ଧାଞ୍ଜଳୀ ସାମନ୍ତରାୟ, ସହଦେବ ରାଉତ, ମିଲନ ପାଇକରାୟ ଓ ନବକିଶୋର ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏସ୍ଜିଓ ସଭାପତି ଭାଗ୍ୟଧର ଜଗଦ୍ଦେବ, ତିଳୋତ୍ତମା ଜଗଦ୍ଦେବ, ତ୍ରିନାଥ ମଙ୍ଗରାଜ ଓ ସିଟି କ୍ଲବ୍ ସମ୍ପାଦକ ପ୍ରଦୀପ କୁମାର ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା




Very nice.
Thank you.
Jai hind.