ଚମାରଗାଁ ପଞ୍ଚାୟତର ଅସ୍ତଡିହା ଗାଁକୁ ନାହିଁ ସବୁଦିନିଆ ରାସ୍ତା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳଶ୍ୱର ବ୍ଳକର ସୁବର୍ଣ୍ଣରେଖା ନଦୀର ପଶ୍ଚିମ ପଟେ ଥିବା ଆଦିବାସୀ ଅଧ୍ୟୁସୀତ ରାଇବଣିଆ ଅଂଚଳର ୧୪ଟି ପଞ୍ଚାୟତର ଦୂରାବସ୍ଥା ଏବେବି ସୁଧୁରୀ ନାହିଁ । ଚମାରଗାଁ ପଞ୍ଚାୟତର ଅସ୍ତଡିହା ଗାଁକୁ ରାସ୍ତା ନଥିବାରୁ ଲୋକେ ବର୍ଷା ଦିନରେ ପାଣି କାଦୁଅରେ ଯାତାୟାତ କରିବାକୁ ବାଧ୍ୟ ହୁଅନ୍ତି । ଛାତ୍ରଛାତ୍ରୀମାନେ ଉଚ୍ଚ ବିଦ୍ୟାଳୟକୁ ଯିବା ଲାଗି ଗାଁଠାରୁ ୨ କି.ମି ଦୂର ଭଣ୍ଡାରୀପଲ୍ଲି ଉଚ୍ଚ ବିଦ୍ୟାଳୟକୁ ଦୁଃଖ କଷ୍ଟ ସହିତ ଯିବାକୁ ବାଧ୍ୟ ହୁଅନ୍ତି । ଏହି ରାସ୍ତଟି ଦେଢ କି.ମି. ଗତି କରିଥିବା ବେଳେ ରାସ୍ତାକଡରେ ପ୍ରାୟ ୪୫୦ ପରିବାର ବାସ କରିଥାନ୍ତି । ଦୈବିଦୁର୍ବିପାକ ଘଟିଲେ ଗାଁକୁ ଦମକଳ ପଶି ପାରୁନଥିବା ବେଳେ ଆମ୍ବୁଲାନ୍ସ ଯିବା ସାତସପନ ହୋଇଥାଏ । ଦୀର୍ଘ ୧୫ବର୍ଷ ଧରି ଥିବା ଏହି ଗାଁ ରାସ୍ତା କଂକ୍ରିଟ ହୋଇନଥିବାରୁ ପାଣି କାଦୁଅରେ ସରସର ହୋଇଥାଏ । ଜଳେଶ୍ୱର ନିକଟ ବାଘାବାଳି ଠାରୁ ପଶ୍ଚିମବଙ୍ଗକୁ ଲମ୍ବିଥିବା ଶାନ୍ତିପୁର ଠାରୁ ଦୀର୍ଘ ଦେଢ କି.ମି. ଗଲେ ଅସ୍ତଡିହା ଗାଁଟି ପଡିଥାଏ । ରାସ୍ତାର ଦୂରାବସ୍ଥା ଅବର୍ଣ୍ଣନୀୟ ହୋଇ ଥିବାରୁ ଗାଁର ବହଚ ବ୍ୟକ୍ତି ବାରମ୍ବାର ସରପଞ୍ଚ ଚନ୍ଦ୍ରକାନ୍ତ ମଲ୍ଲିକ, ବ୍ଲକ ଅଧ୍ୟକ୍ଷ ମାନସ ଜେନା, ବିଡିଓ ଓ ଜିଲାପାଳଙ୍କ ଠାରେ ଅଭିଯୋଗ କରି ଆସୁଛନ୍ତି । ନିକଟରେ ତପନ ସାମଲ, ରାଧାକାନ୍ତ ମହାନ୍ତି, ନିତ୍ୟାନନ୍ଦ ମଲ୍ଲିକ ଓ ମୂରଲୀଘୋଷଙ୍କ ନେତୃତ୍ୱରେ ଗାଁର ବହୁ ବ୍ୟକ୍ତି ଏହି ରାସ୍ତାଟି ମରାମତି କରିବାକୁ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ରିପୋର୍ଟ : ଭୂପତି ପରିଡା