

ଗରଦପୁର(ସମ୍ବଲପୁର)ଗରଦପୁର ବ୍ଲକ୍ କାର୍ଯ୍ୟାଳୟର ଅନତି ଦୂରରେ ଅନୁଷ୍ଠିତ ହେଉଥିବା ରାଜ୍ୟ ସ୍ତରୀୟ ଚିତତ୍ରୋପôଳା ମହୋତ୍ସବର ୨ୟ ଦିନରେ ଅଗଣିତ ଦର୍ଶକ ଦିପ୍ତିରେଖାଙ୍କ ସଙ୍ଗୀତ ଓ ସମ୍ବଲପୁର ର ଦୁଲୁଦୁଲି ଲୋକନୃତ୍ୟରେ ବିମୋହିତ ହୋଇଛନ୍ତି । ଚଳଚିତ୍ର ସଙ୍ଗୀତକାର ଦିପ୍ତିରେଖା ପାଢ଼ୀ ଓ ଟିମ୍ ମଂଚ ଉପରେ ଗୋଟିକ ପରେ ଗୋଟିଏ ଅଗଣିତ ଚଳଚିତ୍ର ସଙ୍ଗୀତ ପରିବେଷଣ କରି ଶ୍ରୋତା ମାନଙ୍କ୍ ମନ କିଣିନେଇଥିଲେ । ପରେ ପରେ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ଦ୍ୱାରା ଆସିଥିବା ସମ୍ବଲପୁର ଟିମ୍ ଦୁଲୁଦୁଲି ବାଦ୍ୟ ଓ ଲୋକନୃତ୍ୟ ପରିବେଷଣ କରି ମଂଚ ଦୁଲୁକାଇ ଦେଇଥିଲେ । ପ୍ରାରମ୍ଭରେ ଗଣପତି ଶିଶୁ ବିଦ୍ୟା ମନ୍ଦିରର କୁନି କୁନି କଳାକାରମାନେ ଦେଶାତ୍ମବୋଧ ନୃତ୍ୟ ପରିବେଷଣ କରିଥିଲେ । ଏହି ଅବସରରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବେ କେନ୍ଦ୍ରାପଡ଼ା ଜିଲା ପ୍ରକଳ୍ପ ନିର୍ଦ୍ଧେଶକ ଅଜାମ୍ବର ମହାନ୍ତି ଓ ସମ୍ମାନୀତ ଅତିଥି ରୂପେ ବିଡ଼ିଓ ଆଲୋକ ରଂଜନ ସେଠୀ ଓ ତହସିଲଦାର ତୃପ୍ତି ଦାଶ ଯୋଗ ଦେଇଥିବାବେଳେ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ତଥା ବିଜେପି ନେତା ତେଜେଶ୍ୱର ପରିଡ଼ା ସଂଯୋଜନା କରିଥିଲେ । ପରସ୍ପର ମଧ୍ୟରେ ଭାଇଚାରା ଅତୁଟ ରଖିବା ଓ ଆମ କଳା ସଂସ୍କୃତିକୁ ସବୁ ସ୍ତରରେ ପହଂଚାଇବା ପାଇଁ ମହୋତ୍ସବ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ମହୋତ୍ସବ ଅବସରରେ ପୂର୍ବାହ୍ନରେ ପଦ୍ମିନୀ କେୟାର ହସପିଟାଲ ପକ୍ଷରୁ ଜନସାଧାରଣଙ୍କ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଓ ଔଷଧ ବିତରଣ କରାଯାଇଥିଲା । ଏହା ବ୍ୟତିତ ଲୋକମାନେ ବିଭିନ୍ନ ଷ୍ଟଲରୁ ମନ ପସନ୍ଦର ଜିନିଷ କିଣାକିଣି କରିବା ସହିତ ମନ ପସନ୍ଦର ବିଭିନ୍ନ ଫାଷ୍ଟ ଫୁଡ଼ ଖାଇ ମଜା ଉଠାଇଥିଲେ ।
ରିପୋର୍ଟ : ରଜତ ମହାପାତ୍ର