ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ଷ୍ଟେସନର ଅନତୀ ଦୂରରେ ଥିବା ଡାଉନ୍ ଲାଇନ୍ରେ ଆଜି ସକାଳ ପ୍ରାୟ ୭ଟା ସମୟରେ ଭଦ୍ରକ-ହାୱାଡା ବାଘାଯତିନ ଫାଷ୍ଟ ପେସେଞ୍ଜର ଟ୍ରେନରୁ ଖସିପଡି ଜନୈକ ୧୯ବର୍ଷ ଛାତ୍ରର ଶୋଚନୀୟ ମୃତ୍ୟ ଘଟିଛି । ପ୍ରାପ୍ତ ସୂଚନା ଅନୁଯାୟୀ ରାଇବଣିଆ ଥାନା ଅନ୍ତର୍ଗତ ଶ୍ରୀରାମପୁର ପଂଚାୟତର ଗୁରୁଦାସପୁର ଗ୍ରାମନିବାସୀ ଲକ୍ଷ୍ମଣ ସିଂଙ୍କ ପୁତ୍ର ସୁନୀଲ ସିଂ ବାଲେଶ୍ୱରରେ ଏକ କଲେଜରେ +୩ ଶ୍ରେଣୀରେ ଅଧ୍ୟୟନ କରୁଥିଲେ । ସୁନୀଲର ଭିଣୋଇ ଓ ଭଉଣୀ ଗତକାଲୀ ମଧ୍ୟରାତ୍ରୀରେ ନୂଆଦିଲ୍ଲୀର ପୁରଷୋତ୍ତମ ଏକ୍ସପ୍ରେସ ଟ୍ରେନ ଯୋଗେ ଆସି ବାଲେଶ୍ୱର ଷ୍ଟେସନରେ ଓହ୍ଲାଇଥିଲେ । ସେମାନଙ୍କୁ ନିଜଘରକୁ ଆଣିବାପାଇଁ ସୁନୀଲ ଷ୍ଟେସନ ଯାଇ ସେଠାରୁ ବାଘାଯତିନ ପେସେଞ୍ଜର ଟ୍ରେନରେ ଘରକୁ ଆସୁଥିଲା । ଜଳେଶ୍ୱର ଷ୍ଟେସନ ପୂର୍ବରୁ ହଠାତ୍ ଟ୍ରେନଟି ମେନଲାଇନରୁ ଲୁପ୍ଲାଇନ୍କକୁ ଯିବା ପାଇଁ ଟ୍ରାକ୍ ବଦଳ କରୁଥିବା ବେଳେ ଦ୍ୱାରପାଖେ ଛିଡା ହୋଇଥିବା ସୁନୀଲ ହଠାତ୍ ଭାରସାମ୍ୟ ହରାଇ ତଳକୁ ଖସିପଡି ଚଳନ୍ତା ଟ୍ରେନ ଚକ ତଳକୁ ଚାଲିଯାଇଥିଲା । ଫଳରେ ଘଟଣା ସ୍ଥଳରେ ତାର ମୃତ୍ୟ ହୋଇଯାଇଥିଲା । ଖବରପାଇ ରେଳବାଇ ପୋଲିସ୍ ମୃତ ସୁନୀଲର ଶବକୁ ବ୍ୟବଚ୍ଛେଦ ପାଇଁ ଜିକେଭଟ୍ଟର ଡାକ୍ତରଖାନାକୁ ପଠାଇ ଏକ ମାମଲା ରୁଜୁ କରିଛି ।
ରିପୋର୍ଟ : ଭୂପତି କୁମାର ପରିଡା