ଭୁବନେଶ୍ୱର(ସମୃଦ୍ଧଓଡିଶା) ଚଳିତ ଖରିଫ ଋତୁରେ ରାଜ୍ୟରେ ଧାନକିଣା ଜାରି ରହିଛି । ବର୍ତ୍ତମାନ ୩୦ଟି ଜିଲ୍ଲାରେ ୧୭ ଲକ୍ଷ ୪୯ ହଜାର ୯୮୭ ଜଣ ଚାଷୀ ଏହି ପ୍ରକ୍ରିୟାରେ ସାମିଲ ହେବା ପାଇଁ ପଞ୍ଜିକରଣ କରିଛନ୍ତି । ଚଳିତ ଖରିଫ ଋତୁରେ ଧାନକିଣା ପ୍ରକ୍ରିୟା ଗତ ନଭେମ୍ବର ୨୦ ତାରିଖରୁ ବରଗଡ଼ରୁ ଆରମ୍ଭ ହୋଇଛି । ଏହା ଆସନ୍ତା ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଜାରି ରହିବ । ରାଜ୍ୟରେ ବରଗଡ଼ ଜିଲ୍ଲାରେ ସର୍ବାଧିକ ଏକ ଲକ୍ଷ ୫୫ ହଜାର ୬୧୭ ଜଣ ଚାଷୀ ପଞ୍ଜିକୃତ ହୋଇଛନ୍ତି । ସେହିଭଳି ବାଲେଶ୍ୱର, ଗଞ୍ଜାମ ଓ କଳାହାଣ୍ଡି ଜିଲ୍ଲାରେ ମଧ୍ୟ ଲକ୍ଷାଧିକ ଚାଷୀ ପଞ୍ଜିକରଣ କରିଛନ୍ତି । ଉକ୍ତ ଆବେଦନର କ୍ଷେତ୍ରସ୍ତରୀୟ ଯାଞ୍ଚ ପରେ ଧାନ ବିକିବା ପାଇଁ ଚାଷୀମାନଙ୍କୁ ଟୋକନ ପ୍ରଦାନ କରାଯାଉଛି । ସେହିଭଳି ଚାଷୀମାନଙ୍କର ଆକାଉଣ୍ଟକୁ ତ୍ରିସ୍ତରୀୟ ଯାଞ୍ଚ କରାଯାଉଛି । ଏହା ଦ୍ୱାରା ଧାନବିକ୍ରୟ ଏବଂ ଇନ୍ପୁଟ ସହାୟତା ରାଶିରୁ ଯେଭଳି କୌଣସି ଯୋଗ୍ୟ ଚାଷୀ ବାଦ ନ ପଡ଼ନ୍ତି, ସେଥି ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି । ଏଥି ସହ ୪୮ ଘଣ୍ଟା ମଧ୍ୟରେ ସଂପୃକ୍ତ ଚାଷୀଙ୍କ ପ୍ରାପ୍ୟ ସେମାନଙ୍କ ଆକାଉଣ୍ଟକୁ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି ।ବର୍ତ୍ତମାନ ରାଜ୍ୟର ୩୦ଟି ଜିଲ୍ଲାର ୩୯୦୩ ଟି ମଣ୍ଡିରେ ଧାନକିଣା ଯିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଆବଶ୍ୟକୀୟ ଅଧିକାରୀମାନେ ପ୍ରତ୍ୟେକ ମଣ୍ଡିରେ ଉପସ୍ଥିତ ରହି ଏହି ପ୍ରକ୍ରିୟାର ଯାଞ୍ଚ କରୁଛନ୍ତି । ଧାନକିଣା ସଂପର୍କିତ କୌଣସି ଅଭିଯୋଗର ତ୍ୱରିତ ସମାଧାନ ପାଇଁ ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳମାନେ ପଦକ୍ଷେପ ଗ୍ରହଣ କରିଛନ୍ତି । ଏତଦ୍ବ୍ୟତୀତ ମଣ୍ଡିଗୁଡ଼ିକରେ ଚାଷୀମାନଙ୍କ ପାଇଁ ଆବଶ୍ୟକୀୟ ବ୍ୟବସ୍ଥା ମଧ୍ୟ ରହିଛି ।
ରିପୋର୍ଟ : ରଜତ ମହାପାତ୍ର