ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ଅଂଚଳର ଜନୈକ ବେକାର ଯୁବକ ଚାକିରୀ ଖୋଜୁଥିବା ବେଳେ ଏକ ବିଜ୍ଞାପନ ଦେଖି ସୁଇଜି ଫୁଡ ଡେଲିଭାରୀ କମ୍ପାନୀକୁ ଆବେଦନ କରିଥିଲେ । ଅନ୍ଲାଇନ୍ ଆବେଦନ ପରେ ତାଙ୍କର ସ୍ଥାନୀୟ ଏସ୍ବିଆଇରେ ଥିବା ଜମା ଅର୍ଥରୁ ୬୦ହଜାର ଟଙ୍କା ଗାଏବ ହୋଇଥିବା ସେ ଅଭିଯୋଗ କରିଛନ୍ତି । କିନ୍ତୁ ଏହାର ତଦନ୍ତ ବ୍ୟାଙ୍କ କର୍ତ୍ତୃପକ୍ଷ କିମ୍ବା ପୋଲିସ୍ କରୁନଥିବାରୁ ସେ ବାର ଦୁଆର ଶୁଣ୍ଢିପିଣ୍ଡା ହେଉଛନ୍ତି । ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଜଳକାପଡିଆ ଗାଁର ସୁଧାଂଶୁ ମହାପାତ୍ରଙ୍କ ପୁତ୍ର ରଂଜୟ କୁମାର ମହାପାତ୍ର ଜଣେ ବେକାର ଯୁବକ ଅଟନ୍ତି । ଉଚ୍ଚ ଶିକ୍ଷାଲାଭ ପରେ ବିଭିନ୍ନ ସ୍ଥାନରେ ଚାକିରୀ ପାଇଁ ଆବେଦନ କରି ବିଫଳ ହେବାପରେ ନିକଟରେ କୋଲକତାର ସଲ୍ଟଲେକ ଅଂଚଳରେ ଥିବା ସୁଇଜି ଫୁଡ ଡେଲିଭାରୀ କମ୍ପାନୀକୁ ଆବେଦନ କରିଥିଲେ । ଆବେଦନପରେ କମ୍ପାନୀ ପକ୍ଷରୁ ରଂଜୟକୁ ଅନ୍ଲାଇନରେ ୧୦ଟଙ୍କା ଜମା କରିବାକୁ କୁହାଯାଇଥିଲା । ରଂଜୟର ସ୍ଥାନୀୟ ଜଳେଶ୍ୱର ଷ୍ଟେଟବ୍ୟାଙ୍କରେ ଥିବା ସଂଚୟ ଖାତାରୁ ୧୦ଟଙ୍କା ଅନ୍ଲାଇନରେ ପଠାଇଥିଲେ । ଘଟଣାର କିଛି ସମୟ ପରେ ତାଙ୍କ ସଂଚୟ ଖାତାରୁ ୬୦ହଜାର ଟଙ୍କା ଗାଏବ ହୋଇଥିବା ସେ ଜାଣିବାକୁ ପାଇଥିଲେ । ଏହି ଘଟଣା ଫଳରେ ସେ ମର୍ମାହତ ହୋଇପଡିଥିଲେ । ସଂପୃକ୍ତ କମ୍ପାନୀଟି କୋଲକତାର ସଲ୍ଟଲେକ ଅଂଚଳର ସେକ୍ଟର-୫ ପ୍ଲଟନଂ-୩୭ ଚତୁର୍ଥ ମହଲାରେ ଥିବା ଜଣାଯାଇଛି । ଜମା ଟଙ୍କା ଗାଏବ ହେବାପରେ କମ୍ପାନୀର ୬୨୯୧୯୫୪୧୭୮ ଫୋନ ନମ୍ବରକୁ ଏ ସଂପର୍କର ଯୋଗାଯୋଗ କଲାପରେ ଜନୈକ କର୍ମଚାରୀ କିଛି ସମୟ କଥା ହେବା ପରେ ଫୋନ କାଟି ଦେଇଥିଲେ । ଏ ସଂପର୍କରେ ରଞ୍ଜୟ ଜଳେଶ୍ୱର ଏସ୍ବିଆଇର ଶାଖାପରିଚାଳକଙ୍କୁ ଲିଖିତ ଭାବେ ଜଣାଇବା ପରେ ଥାନରେ ଜଣାଇବାକୁ ସେ ପରାମର୍ଶ ଦେଇ ନିଜର ଅସାମର୍ଥ ପ୍ରକାଶ କରିଥିଲେ । ଥାନାରେ ଲିଖିତଭାବେ ଜଣାଇବାପରେ ଷ୍ଟେସନ ଡାଇରି ନଂ ୧୨ରେ ଲିପିବଦ୍ଧ କରାଯାଇଥିଲେ ମଧ୍ୟ ମାମଲା କିମ୍ବା ତଦନ୍ତ କରାଯାଉନାହିଁ । ଆଶ୍ୱର୍ଯ୍ୟର କଥା ବ୍ୟାଙ୍କ କର୍ତ୍ତୃପକ୍ଷ ଓ ପୋଲିସକୁ ଜଣାଇଥିଲେ ମଧ୍ୟ ଅଦ୍ୟବଧି କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ଜଳେଶ୍ୱର ଅଂଚଳର ବୁଦ୍ଧିଜିବୀ, ବ୍ୟାଙ୍କ ଗ୍ରାହକଙ୍କ ମଧ୍ୟରେ ଆଲୋଚ୍ୟର ବିଷୟ ସୃଷ୍ଟି ହୋଇଛି । ଅତିଶୀଘ୍ର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବୀ ହୋଇଛି । ସେହିପରି ଜଳେଶ୍ୱର ଆଇସିଆଇସିଆଇ ବ୍ୟାଙ୍କର ଗ୍ରାହକ ଦିଲ୍ଲିପ କୁମାର ସାହୁଙ୍କ ସଞ୍ଜୟ ଖାତାରୁ ୭ ହଜାର ଟଙ୍କା ଉଭାନ ହୋଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଅଭିଯୋଗପରେ ତାଙ୍କ ସଂଚୟ ଖାତାକୁ ଫେରି ଆସିବା ସ୍ଥାନୀୟ ଅଂଚଳରେ ଆଲୋଚ୍ୟ ବିଷୟ ହୋଇଛି ।
ରିପୋର୍ଟ : ଭୂପତି କୁମାର ପରିଡ଼ା