

ଛତ୍ରପୁର (ସମୃଦ୍ଧ ଓଡିଶା) କେନ୍ଦ୍ର ସରକାରଙ୍କ ତିନି ଗୋଟି କଳା କୃଷି ଆଇନକୁ ବିରୋଧ କରି ଦୀର୍ଘ ମାସ ଧରି ସମଗ୍ର ଦେଶ ବ୍ୟାପି ସମସ୍ତ ଚାଷୀ ସଂଗଠନ, ଗଣ ସଂଗଠନ ମାନେ ଏକତ୍ରିତ ହୋଇ ଅହୋରାତ୍ର ଧାରଣାରେ ବସି ରହିଛନ୍ତି । ସବୁଠାରୁ ଲଜ୍ଜା ଜନକ ବିଷୟ ଏହି କି ଯେ, ଏଥିପ୍ରତି କେନ୍ଦ୍ର ସରକାରଙ୍କ ଆଦୌ ହେଲେ ମଧ୍ୟ ନିଘା ନାହିଁ । ଯେତେବେଳେ କି, “ଜୟ ଯବାନ- ଜୟ କିଷାନ” ବୋଲି ନାରା ଦିଆଯାଉଅଛି । ଠିକ ସେହି ସମୟରେ ବାସ୍ତବରେ ଏହାକୁ ଲଗାତାର ସମ୍ପୂର୍ଣ୍ଣ ରୂପେ ଉଲଂଘନ କରିବା ସହିତ ଅଣଦେଖା ମଧ୍ୟ କରାଯାଇ ଆସୁଅଛି । ସର୍ବଦା ଦେଶର ପୁଞ୍ଜିପତି ମାନଙ୍କୁ ଲାଭବାନ କରାଇବାରେ ଆମ କେନ୍ଦ୍ର ସରକାର ପ୍ରୟାସରତ । ବହୁତ ଦୁଃଖ ଏବଂ କ୍ଷୋଭର ବିଷୟ ଏହିକି ଯେ, ତା-୦୩-୧୦-୨୦୨୧ ରିଖ ରବିବାର ଦିନ ଉତ୍ତରପ୍ରଦେଶ ରାଜ୍ୟର ଲକ୍ଷ୍ମୀପୁରର “ଖେରୀ” ଠାରେ ଏକ ବର୍ବର ଆମାନବୀୟ କାଣ୍ଡ ଘଟି ଯାଇଛି । କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ଗସ୍ତକୁ ନେଇ ତିନି କଳା ଆଇନକୁ ବିରୋଧ କରି ଆନ୍ଦୋଳନ କରୁଥିବା କୃଷକ ମାନେ କଳା ପତାକା ଦେଖାଉଥିବା ସମୟରେ ଅଜୟ ମିଶ୍ରଙ୍କ ପୁଅ ଆନ୍ଦୋଳନରତ କୃଷକ ମାନଙ୍କ ଉପରେ ନିଜ କାରକେଡ ଚଢାଇ ଦେଇଥିଲେ ଯାହା ଫଳରେ ଘଟଣା ସ୍ଥଳରେ ହିଁ କିଛି କୃଷକଙ୍କ ସମେତ ମୋଟ ୮ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହି ସମ୍ବେଦନଶୀଳ ଘଟଣା ପରେ ଜାତୀୟ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଘଟଣା ସମ୍ପର୍କରେ ଜାଣିବା ପାଇଁ ଯିବା ସମୟରେ ଅଧା ରାସ୍ତାରେ ଉତ୍ତରପ୍ରଦେଶ ୟୋଗୀ ସରକାରଙ୍କ ଦ୍ଵାରା ତାଙ୍କୁ ଜୋର ଜବରଦସ୍ତ ଅଟକା ଯାଇ ଗିରଫ କରାଯାଇଥିଲା । ଯାହାକି ସମ୍ପୂର୍ଣ୍ଣ ରୂପେ ଅଗଣତାନ୍ତ୍ରିକ ଅଟେ, ଏହାକୁ ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ଦୃଢ଼ ନିନ୍ଦା କରୁଛି । ଏହିପରି ଚାଷୀ ମାନଙ୍କ ଗଣହତ୍ୟାକୁ ବିରୋଧ କରି ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଛତ୍ରପୁର ସହରରେ ଆଜି ଏକ ବିଶାଳ ଶୋଭାଯାତ୍ରା କରାଯିବା ସହିତ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟିର ସଭାପତି ତଥା ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ପୌରହିତ୍ୟରେ ସ୍ଥାନୀୟ ଅପରବସଷ୍ଟାଣ୍ଡ ସ୍ଥିତ ଭାରତର ଭୂତପୂର୍ବ ପ୍ରଧାନମନ୍ତ୍ରୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ବହୁ ସଂଖ୍ୟାରେ ଲୋକଙ୍କ ସହିତ ଏକ ବିରାଟ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପଦଯାତ୍ରା କରାଯାଇଥିଲା । ଏହିପରି ଘଟଣାରୁ ହିଁ ସ୍ପଷ୍ଟ ପ୍ରମାଣିତ ହୋଇଯାଉଛି କି, ଆମର ଏହି କେନ୍ଦ୍ର ସରକାରଙ୍କ ଶାସନ ସମୟରେ କୃଷକ, ମହିଳା ଏବଂ ଯବାନମାନେ ସମ୍ପୂର୍ଣ୍ଣ ଭାବେ ଅସୁରକ୍ଷିତ ଅଟନ୍ତି । ଯାହାକୁ ବୁଦ୍ଧିଜୀବି ମାନଙ୍କ ଠାରୁ ଆରମ୍ଭ କରି ପ୍ରତିଟି ମହଲରେ ଦୃଢ଼ ନିନ୍ଦା କରାଯାଉଛି । ଏହିପରି ଏକ ଅମାନବୀୟ ଘଟଣା ଘଟାଇଥିବା ମନ୍ତ୍ରୀଙ୍କ ପୁଅକୁ ଯଥା ଶୀଘ୍ର ଗିରଫ କରିବା ସହିତ ତିନି ଗୋଟି କୃଷି ବିରୋଧୀ କଳା ଆଇନକୁ ରଦ୍ଧ କରିବା ସହ ଆଇନ ଅନୁଯାୟୀ ଶକ୍ତ ପଦକ୍ଷେପ ଗ୍ରହଣ କରି ଆମ କୃଷକ ଭାଇ ମାନଙ୍କୁ ଉଚିତ ନ୍ୟାୟ ଦେବା ନିମନ୍ତେ ଜିଲ୍ଲା କଂଗ୍ରେସ କମିଟି ଭାରତର ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଆଗାମୀ ସମୟରେ କଂଗ୍ରେସ ଦଳ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ଉଚିତ ଜବାବ ଦେବା ସହିତ ଚାଷୀଙ୍କ ଉପରେ ଯେବେ ମଧ୍ୟ ଅନ୍ୟାୟ, ଅବିଚାର ହେବ ତା’ ବିରୁଦ୍ଧରେ କଂଗ୍ରେସ ଦଳ ସଦାସର୍ବଦା ଲଢେଇ କରି ସାଧାରଣ ଜନତାଙ୍କୁ ନ୍ୟାୟ ପ୍ରଦାନ କରିବ ବୋଲି ଶ୍ରୀ ଜେନା ନିଜ ବକ୍ତବ୍ୟରେ କହିଥିଲେ । ଏହି ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ବିଜୟ ସାହୁ, ପ୍ରଶାନ୍ତ ବିଷୋୟୀ, ବନଜା ପଣ୍ଡା, ପ୍ରଫୁଲ୍ଲ ପଣ୍ଡା, ଗଞ୍ଜାମ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ବିକାଶ ପଶୁପାଳକ, ଛତ୍ରପୁର ବ୍ଲକ କଂଗ୍ରେସ ସଭାପତି ଅବନୀ ଶତପଥୀ, ନଗର କଂଗ୍ରେସ ସଭାପତି ଜଲାଲ ଖାନ, ଗଞ୍ଜାମ ବ୍ଲକ କଂଗ୍ରେସ ସଭାପତି ଗଣେଶ ରେଡ୍ଡୀ, ବ୍ରହ୍ମପୁର ନଗର କଂଗ୍ରେସ ସଭାପତି ସୁଜିତ ଆଚାର୍ଯ୍ୟ, ରାଷ୍ଟ୍ରୀୟ କିଷାନ ସଂଘର ସମ୍ପାଦକ ରଶ୍ମି ପଟ୍ଟନାୟକ, ଜିଲ୍ଲା ଆଇଏନଟିୟୁସି ସାଧାରଣ ସମ୍ପାଦକ ଇଜୁ ଅମିନ ଖାନ, ଚିକଲଖଣ୍ଡି ସରପଞ୍ଚ ରାମସ୍ୱାମୀ, ପୂର୍ବତନ ସରପଞ୍ଚ ଟି.କ୍ରିଷ୍ଣା ରାଓ, ଆଇନଜୀବୀ ବାବୁ ନାହାକ, ରାମ ତ୍ରିପାଠୀ, ଦୀପକ ରାଉଳ, ଦେବାଶିଷ ମହାନ୍ତି, ରଞ୍ଜିତ ରଥ, ଚିଦାନନ୍ଦ ପ୍ରଧାନ, ମାନସ ସ୍ବାଇଁ, ପାପା ରାଓ, ମହେଶ କୁମାର ଗୌଡ଼, ରାକେଶ ପ୍ରଧାନ, ଭାବନୀ ସାହୁଙ୍କ ସମେତ ଶତାଧିକ ଛାତ୍ର, ଯୁବକ, ମହିଳା ଏବଂ କଂଗ୍ରେସ ପ୍ରେମୀ ମାନେ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା









