ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଆତ୍ମାହୁତି ଉଦ୍ୟମ କରି ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ବିଜେଡି ନେତ୍ରୀ ମୀନାକ୍ଷୀ ମିଶ୍ରଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି । ସେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ମୃତ୍ୟୁବରଣ କରିଛନ୍ତି ।ସୂଚନାଯୋଗ୍ୟ, ଗତ ମାସ ୨୮ତାରିଖ ଦିନ ବିଜେଡି ନେତ୍ରୀ ମୀନାକ୍ଷୀ ମିଶ୍ରଙ୍କ ଆତ୍ମାହୁତି ଉଦ୍ୟମ ଘଟଣା ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିଲା । ପୁଅକୁ ନ୍ୟାୟ ଦାବିରେ ବ୍ରହ୍ମପୁର ଜିଲ୍ଲା ପୁଲିସ ମୁଖ୍ୟାଳୟ ପରିସରରେ ସେ ନିଜ ଦେହରେ କରାସିନି ଢାଳି ଆତ୍ମହତ୍ୟା ଲାଗି ଉଦ୍ୟମ କରିଥିଲେ । ମୀନାକ୍ଷୀଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକର ଏସ୍ସିବିରେ ଚିକିତ୍ସା କରାଯାଉଥିଲା । ପରେ ଗତ ୧୪ ତାରିଖରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲିଥିଲା । ତାଙ୍କ ଶରୀରର ପାଖାପାଖି ୯୫ପ୍ରତିଶତ ପୋଡ଼ିଯାଇଥିଲା ଓ ସେ ଆଇସିୟୁରେ ମୃତ୍ୟୁ ସହ ସଂଗ୍ରାମ କରୁଥିଲେ । ଏପଟେ ଗିରଫ ହୋଇ ଜେଲ୍ ଯାଇଥିବା ମୀନାକ୍ଷୀ ମିଶ୍ରଙ୍କ ପୁଅ କୃତ୍ତିବାସ ମିଶ୍ର ଓରଫ୍ ରାଜାଙ୍କୁ ଅନ୍ତରୀଣ ଜାମିନ୍ ମିଳିଥିଲା । ସେପଟେ ପୁଲିସ ରାଜାଙ୍କୁ ଆକ୍ରମଣ ଘଟଣାରେ ଗିରଫ କରିଥିବା ଅଭିଯୁକ୍ତଙ୍କୁ ଜେଏମ୍ଏଫ୍ସି କୋର୍ଟରେ ହାଜର କରି ବୟାନ୍ ରେକର୍ଡ କରାଇଥିଲା ।
ରିପୋର୍ଟ : ଆକାଶ ମିଶ୍ର