ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱର କୃଷି ଜିଲାରେ କେବଳ ଧାନ ଅଧିକ ଚାଷ ହୋଇ ଆସୁଛି ତାହା ନୁହେଁ ଜିଲାର ଚିନାବାଦାମ ଚାଷର ଅର୍ଦ୍ଧାଧିକ ଚାଷ ଜଳେଶ୍ୱର କୃଷି ଜିଲାରେ ହୋଇ ଆସୁଛି । କିନ୍ତୁ ଚଳିତ ବର୍ଷ ଚାଷୀମାନେ ୬୩ଟଙ୍କାରେ ଚିନାବାଦାମ କିଲୋପ୍ରତି କିଣାଥିବା ବେଳେ ଅମଳ ପରେ ୪୩ଟଙ୍କାରେ କିଲୋପ୍ରତି ବିକିବାକୁ ବାଧ୍ୟ ହେଉଛି । ସମଗ୍ର ବାଲେଶ୍ୱର ଜିଲାରେ ପ୍ରାୟ ୨୦ହଜାର ହେକ୍ଟର ଅଧିକ ଅମଳକ୍ଷକ ଧାନ ଚାଷ ହୋଇ ଆସୁଥିବା ବେଳେ କେବଳ ଜଳେଶ୍ୱର କୃଷି ଜିଲାରେ ୧୨ହଜାର ହେକ୍ଟର ଜମିରେ ଏହି ଚାଷ ହୋଇଛି । ସେହିପରି ସମଗ୍ର ଜିଲାରେ ୭ହଜାର ହେକ୍ଟର ଜମିରେ ଚିନାବାଦାମ ଚାଷ ହୋଇଥିବା ବେଳେ ଜଳେଶ୍ୱର କୃଷି ଜିଲାରେ ପ୍ରାୟ ୫୫୦୦ ହେକ୍ଟର ଜମିରେ ଚିନାବାଦାମ ଚାଷ ହୋଇଛି । ଚାଷୀମାନେ ବିହନ ବୁଣିବା ବେଳେ ବାହାର ବଜାରରୁ କିଲୋପ୍ରତି ବିହନ ୬୩ଟଙ୍କାରେ କିଣିଥିବା ବେଳେ ଏବେ ତାହା ୪୩ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଉଛି । କୃଷି ବିଭାଗର ତଥ୍ୟରୁ ପ୍ରକାଶ ଜଳେଶ୍ୱରରେ ୧୬୭୭ ହେକ୍ଟର, ବାଲିଆପାଳରେ ୩୨୦୦ହେକ୍ଟର ଓ ଭୋଗରାଇରେ ୧ହଜାର ହେକ୍ଟର ଜମିରେ ଚିନିବାଦାମ ଚାଷ ହୋଇଛି ।ଗତ ଫଣି ଯୋର୍ଗୁ ଏହି ଚାଷର ବ୍ୟାପକ କ୍ଷତି ଘଟିଛି । ଜମିରେ ପାଣି ଜମି ରହିବା ଯୋଗୁଁ ଶହ ଶହ ଚାଷୀଙ୍କର କ୍ଷତିଯୋଗୁଁ ମୁଣ୍ଡରେ ହାତମାରି ବସିଛନ୍ତି । ଆଜି ଚିନାବାଦାମ କିଲୋପ୍ରତି ବିକ୍ରିକରିଥିବା ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଲକ୍ଷ୍ମଣନାଥ ଓ ଗୋବର ଘଟା ପଂଚାୟତର ଉଠିଆ ଚାଷୀ ସନ୍ତୋଷ ଦଳେଇ, ଅତୁଲ କୁମାର କର, ଝାଡେଶ୍ୱର ମହାନ୍ତି, ଅଜିତ୍ ଦଳାଇ, ଭାନୁ ପ୍ରମାଣିକ, ଲକ୍ଷ୍ମୀଧର ଦଳେଇ, ଗଦାଧର ଦଳେଇ, ଗୋପାଳ ବେହେରା, ଅନାଦି ପାତ୍ର ପ୍ରମୁଖ କହିଛନ୍ତି । ସରକାର ଅମଳ ପରେ ଚିନାବାଦାମ କିଣିବାର ବ୍ୟବସ୍ଥା କରିନଥିବାରୁ ଚାଷୀମାନେ ଅଭାବୀବିକ୍ରୀର ସମ୍ମୁଖନ ହେଉଥିବା ସେମାନେ ଅଭିଯୋଗ କରିଛନ୍ତି । ଆଜି କାଦରାୟାଁ ଗାଁର ୟାସିନ୍ ଖାଁ ନାମକ ଚାଷୀ ଦୁଃଖରେ ଅମଳ କରିଥିବା ଚିନାବାଦାମକୁ ଖରାରେ ଶୁଖାଉଥିବା ବେଳେ ଏବେ ଏହାର ମୂଲ୍ୟ କିଲୋପ୍ରତି ୪୦ଟଙ୍କାରେ ବିକ୍ରିକରିବ ବୋଲି କ୍ଷୋଭର ସହ କହିଥିଲେ । ସେହି ଗାଁର ସମରକ ଖାଁ ଉସ୍ଲାମ ଖାଁ ପ୍ରତ୍ୟେକେ ୧୦କୁଣ୍ଟାଲରୁ ଅଧିକ ଚିନାବାଦାମ ଲେଖାଏଁ ଅମଳ କରିଥିଲେ ମଧ୍ୟ ବିକ୍ରି କରିନପାରି ଋଣ ଭାରରେ ଭାଂଗି ପଡିଥିବା କହିଥିଲେ । ଚାଷୀମାନେ ଧାର କରଜ କରି ଚାଷ କରିଥିବା ବେଳେ ଏବେ ଅଭାବୀ ବିକ୍ରୀର ସମ୍ମୁଖୀନ ହେଉଥିବାରୁ ଚାଷୀ ଆତ୍ମହତ୍ୟାଭଳି ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ ବୋଲି ବୁଦ୍ଧିଜିବୀମାନେ ମତବ୍ୟକ୍ତ କରିଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା