ଚୁକ୍ତିଭିତ୍ତିକ ଶିକ୍ଷକଙ୍କ ପ୍ରତି ଉଦାସୀନତା ପ୍ରତିବାଦରେ ଓଡିଶା କର୍ମଚାରୀ ମହାମଞ୍ଚର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ବହୁ ଆବେଦନ ନିବେଦନ ସତ୍ତ୍ୱେ ସରକାରଙ୍କ ଚୁକ୍ତିଭିତ୍ତିକ ଶିକ୍ଷକ ମାନଙ୍କ ପ୍ରତି ଉଦାସୀନତା ପ୍ରତିବାଦରେ ଗତକାଲି ଓଡିଶା କର୍ମଚାରୀ ମହାମଞ୍ଚ ଭବନରେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ସଂଘର ସଭାପତି ଶୁଭ୍ରବିତ ପ୍ରତିହାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସଂଘର ମୁଖ୍ୟ ଉପଦେଷ୍ଟା ପ୍ରଭାତ ମହାନ୍ତି ଯୋଗ ଦେଇଥିଲେ । ଏଥିରେ ନିମ୍ନଲିଖିତ ପ୍ରସ୍ତାବ ମାନ ଗୃହୀତ କରାଯାଇଥିଲା । ପ୍ରସ୍ତାବ ଗୁଡିକ ହେଲା –
୧) ୨୦୧୨ ମସିହାରେ ନିଯୁକ୍ତି ପାଇଥିବା ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ଯଥାଶୀଘ୍ର ସ୍ଥାୟୀ ନିଯୁକ୍ତି ପତ୍ର ପ୍ରଦାନ କରିବା । ୨) ୩୨୦୧୦/୧୧୪୭ ଚିଠିଟିକୁ ଚୁକ୍ତିଭିତ୍ତିକ ଶିକ୍ଷକମାନଙ୍କ ପାଇଁ ଲାଗୁ କରିବା ।
୩) ୨୦୧୬ ମସିହାରେ ନିଯୁକ୍ତି ପାଇଥିବା ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ପାଇଁ ଆବଶ୍ୟକ ଥିବା OSSTET କୁ ଉଚ୍ଛେଦ କରିବା ।
୪) ହିନ୍ଦୀ ସଂସ୍କୃତ ଓ କ୍ରୀଡା ଶିକ୍ଷକମାନଙ୍କୁ ରାଜ୍ୟ କ୍ୟାଡର ଭୁକ୍ତ କରିବା ।
୫) ବର୍ଷକୁ ୨ଥର ନିୟମିତ ପ୍ରକ୍ରିୟା ପାଇଁ ପଦକ୍ଷେପ ଗ୍ରହଣ କରିବା ।
୬) ୬ ବର୍ଷ ଚୁକ୍ତିଭିତ୍ତିକ ଅବଧିକୁ ମୂଳ ଚାକିରୀରେ ସଂଯୁକ୍ତ କରିବା ।
ଉପରୋକ୍ତ ଏହି ଦାବି ଗୁଡିକୁ ସରକାର ଯଦି ସହୃଦୟତାର ସହିତ ବିଚାର କରି ନ୍ୟାୟ ପ୍ରଦାନ ନ କରନ୍ତି ତେବେ ଆସନ୍ତା ତା ୨୭/୯/୨୦୧୯ ରିଖରେ ଓଡ଼ିଶାର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଘେରାଉ କରାଯାଇ ଦାବୀ ପତ୍ର ପ୍ରଦାନ କରାଯିବ ଏବେ ତା. ୨୧/୧୦/୨୦୧୯ ରିଖ ଠାରୁ ରାଜ ରାସ୍ତାକୁ ଓଲ୍ଲାଇବ ସମଗ୍ର ଚୁକ୍ତିଭିତ୍ତିକ ଶିକ୍ଷକ ସମାଜ ବୋଲି ଚେତାବନୀ ଦେଇଛନ୍ତି । ଏହି ବୈଠକରେ ସଂଘର ସାଧାରଣ ସମ୍ପାଦକ ବିପିନ ବିହାରୀ ସାହୁ, କୋଷାଧ୍ୟକ୍ଷ ନବଜ୍ୟୋତି ମହାପାତ୍ର, କର୍ମଚାରୀ ସଭାପତି କୃଷ୍ଣ ଚନ୍ଦ୍ର ଜେନାଙ୍କ ସମେତ ବହୁ କର୍ମୀ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ବିଜୟ ମଲ୍ଲ