
ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ଓକିଲ ସଂଘର ଜରୁରୀ ବୈଠକ ଗତ ଶନିବାର ଦିନ ସ୍ଥାନୀୟ ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ସଂଘର ସଭାପତି କେ. ଶିବରାମ ରେଡ୍ଡୀ ଅଧ୍ୟକ୍ଷତା କରିଥିଲେ । ଛତ୍ରପୁର କୋର୍ଟ ପରିସର ଭୁକ୍ତ ସମସ୍ତ ମାଲିମୋକଦ୍ଦମା ଗୁଡିକ ନୂତନ ଭାବେ ଖୋଲାଯାଇଥିବା ଖଲ୍ଲିକୋଟ ଏଡ଼ିଜେକୁ ବଦଳି ଓ ପ୍ରତିବଦଳ ନ କରିବା ପାଇଁ ସଂଘ ଦାବି କରିଛି । ରମ୍ଭା ଥାନା ଓ ଗଂଜାମ ତହସିଲ ଅନ୍ତର୍ଗତ ସମସ୍ତ ଗାଁର ମକଦ୍ଦମାଗୁଡିକୁ ଛତ୍ରପୁର କୋର୍ଟ ପରିସର ଭୁକ୍ତ କରିବା ସହ ଯଥାବିଧି ପଦକ୍ଷେପ ଗ୍ରହଣ କରିବା ସମ୍ପର୍କରେ ବୈଠକରେ ସର୍ବସମ୍ମତି କ୍ରମେ ସ୍ଥିର ହୋଇଛି । ସଂଘ ପକ୍ଷରୁ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଛତ୍ରପୁରର ସମସ୍ତ କୋର୍ଟର ବିଚାରପତି, ବ୍ରହ୍ମପୁର ଜିଲ୍ଲା ଜର୍ଜ, ହାଇକୋର୍ଟ ମୁଖ୍ୟ ବିଚାରପତି, ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଫାକ୍ସ ଜରିଆରେ ଅବଗତ କରାଯାଇଥିବା ସୂଚନା ଦିଆଯାଇଛି । ଏଥିସହ ଉପରୋକ୍ତ ଦାବି ଗୁଡିକ ତୁରନ୍ତ ପୁରଣ କରିବା ନିମନ୍ତେ ସଂଘ ପକ୍ଷରୁ ଆଜି ଠାରୁ ଆଗାମୀ ସାଧାରଣ ବୈଠକ ବସିବା ପର୍ଯ୍ୟନ୍ତ ସଂଘର ସମସ୍ତ ସଦସ୍ୟ ତଥା ଓକିଲମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିବା ସହ ଛତ୍ରପୁର ସ୍ଥିତ କୋର୍ଟ ନିକଟରେ ଶାନ୍ତିପୂର୍ଣ୍ଣ ଧାରଣା ଦେବା ପାଇଁ ବୈଠକରେ ସ୍ଥିର ହୋଇଥିଲା । ସେଥିପାଇଁ ଆଜି ଠାରୁ ଗଞ୍ଜାମ ତହସିଲ ଅନ୍ତର୍ଭୁକ୍ତ ରମ୍ଭାଥାନା ଅଧିନସ୍ଥ ସମସ୍ତ ମୋକଦ୍ଦମା ଛତ୍ରପୁର କୋର୍ଟ ପରିସର ଭୁକ୍ତ କରିବା ଦାବିରେ ଛତ୍ରପୁର ଓକିଲ ସଂଘ ଧାରଣାରେ ବସିଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା



