

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ବ୍ଲକ ବିଜୁ ଯୁବବାହିନୀ ପକ୍ଷରୁ ବ୍ଲକସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ କରତଳି କ୍ରିକେଟ ଖେଳ ପଡ଼ିଆରେ ଗତକାଲି ମୁଖ୍ୟ ଅତିଥି ଭାବେ ଛତ୍ରପୁର ବିଡ଼ିଓ ସଚିଦାନନ୍ଦ ନାୟକ ଯୋଗଦେଇ ଉଦଘାଟନ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟ ୬ ତାରିଖ ଯାଏଁ ଚାଲିବ। ୧୮ଟି ପଞ୍ଚାୟତ ଓ ଛତ୍ରପୁର ଏନଏସିର ଗୋଟିଏ ଟିମକୁ ନେଇ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଛି । ଉଦଘାଟନୀ ମ୍ୟାଚରେ ବଉଳଗାଁ ଓ ଅଗସ୍ତି ନୂଆଗାଁ ପଞ୍ଚାୟତ ସହ ମ୍ୟାଚ ହେଉଥିବା ବେଳେ ୬ ଓଭର ମ୍ୟାଚରେ ପ୍ରଥମେ ଟସ ଜିତି ଅଗସ୍ତି ନୂଆଗାଁ ବ୍ୟାଟିଙ୍ଗ କରି ବଉଳଗାଁ ଟିମ୍ କୁ ପରାସ୍ତ କରିଥିଲା । ଏଥିରେ ସମ୍ମାନିତ ଅତିଥି ରୂପେ ଛତ୍ରପୁର ବ୍ଲକ ଶିକ୍ଷାଧିକାରୀ ଅବିନାଶ ଶତପଥୀ, ମୁଖ୍ୟ ଅତିଥି ଭାବେ ଛତ୍ରପୁର ବିଡ଼ିଓ ସଚିଦାନନ୍ଦ ନାୟକ ବ୍ୟାଟିଙ୍ଗ କରି କଣମଣା ସରପଞ୍ଚ ଏସ୍. ଚକ୍ରପାଣି ରେଡ୍ଡିଙ୍କ ବଲ୍ ରେ ଆକର୍ଷଣୀୟ ସଟ୍ ମାରି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ବ୍ଲକ୍ ଉପାଧ୍ୟକ୍ଷା ଅମିତା ସାହୁ, ଜିଲ୍ଲା ପରିଷଦ ସଭ୍ୟ ଏସ୍. କିଶୋର ରେଡ୍ଡି, ବିପିଳିଙ୍ଗି ସରପଞ୍ଚ ଟି. ନରସିଂହ ରେଡ୍ଡି, ସମିତି ସଭ୍ୟ ଜୟରାମ ଲେଙ୍କା, କଣମଣା ସରପଞ୍ଚ ଏସ. ଚକ୍ରପାଣି ରେଡ୍ଡି, ଭିକାରୀପଲ୍ଲୀ ସରପଞ୍ଚ ଧବଳେଶ୍ୱର ପ୍ରଧାନ, ମହାନାଦପୁର ସମିତି ସଭ୍ୟ ଅଶୋକ କୁମାର ପାଣିଗ୍ରାହୀ, ଓଡ଼ିଶା ଜୀବିକା ମିଶନର ବ୍ଲକ୍ ସଂଯୋଜିକା ମାନିନୀ ଜେନାଙ୍କ ସମେତ ସମସ୍ତ ସରପଞ୍ଚ, ସମିତି ସଭ୍ୟ ଓ କରାତଳି ଗ୍ରାମବାସୀ ଓ ବିଜୁ ଯୁବବାହିନୀର ସଦସ୍ୟମାନେ ଉପସ୍ଥିତ ରହି କ୍ରୀଡ଼ାବିତମାନଙ୍କୁ ଉତ୍ସାହିତ କରିଥିଲେ । ଅନୁଷ୍ଠିତ ଟୁର୍ଣ୍ଣାମେଣ୍ଟର ଅନ୍ତିମ ଦିବସରେ ସେମିଫାଇନାଲ ଓ ଫାଇନାଲ ମ୍ୟାଚ୍ ହେବାକୁ ଥିବା ବେଳେ ବ୍ଲକ୍ ତରଫରୁ ଏସଓଜି ମହିଳାମାନଙ୍କୁ ନେଇ ଝୋଟି ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ବିଡ଼ିଓ ସଚିଦାନନ୍ଦ ନାୟକ ସୂଚନା ଦେଇଛନ୍ତି ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା