

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାରେ କରୋନା ଭୁତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢି ଚାଲିଛି । ଏପରି ସ୍ଥିତିରେ ଏହାକୁ ପ୍ରତିହତ କରିବା ପାଇଁ ଛତ୍ରପୁର ସବଡିଭିଜନର ସମସ୍ତ ଏନଏସିକୁ ଆସନ୍ତାକାଲି ଠାରୁ ୬ ଦିନ ପାଇଁ ସଟଡାଉନ୍ ଘୋଷଣା କରାଯାଇଛି । ଛତ୍ରପୁର, ଖଲ୍ଲିକୋଟ, ରମ୍ଭା, ଗଞ୍ଜାମ, ପୁରୁଷୋତ୍ତମପୁର, କୋଦଳା, କବିସୂର୍ଯ୍ୟନଗର, ପୋଲସରା ଓ ହିଞ୍ଜିଳି ମୁନିସିପାଲଟିରେ ୧୬ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ସଟ୍ ଡାଉନ ଘୋଷଣା କରାଯାଇଛି । କେବଳ ଔଷଧ ଦୋକାନ ବ୍ୟତୀତ ଅନ୍ୟକୌଣସି ଦୋକାନ ଖୋଲା ଯିବ ନାହିଁ ବୋଲି ଏନଏସି ପକ୍ଷରୁ ଡାକବାଜି ଯନ୍ତ୍ର ଦ୍ୱାରା ସହରର ବିଭିନ୍ନ ସାହି ବୁଲି ପ୍ରଚାର କରାଯାଇଛି । ଏହି ସମୟରେ ଗାଡ଼ି ଚଳାଚଳ ବନ୍ଦ କରାଯାଇଛି ଏବଂ କୌଣସି ଲୋକ ବିନା କାରଣରେ ଘର ବାହାରକୁ ନ ବାହାରିବାକୁ କୁହାଯାଇଛି । ଯଦି କୌଣସି ଜରୁରୀକାଳୀନ କାର୍ଯ୍ୟ କରିବାକୁ ପଡେ ତେବେ ମୁଖରେ ମାସ୍କ ପିନ୍ଧି ଘର ବାହାରକୁ ବାହାରିବାକୁ ସଚେତନ କରାଯାଇଛି । ଏହାକୁ ଯେଉଁମାନେ ଖିଲାପ କରିବେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି । ଏହାସହ ବିଭିନ୍ନ ରାସ୍ତାରେ ବ୍ୟାରିକେଡ୍ ମଧ୍ୟ କରାଯାଇଛି ବୋଲି ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ଜଣାଇଛନ୍ତି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା

