ଛତ୍ରପୁରରେ ଜାତୀୟ ପୂର୍ବାଞ୍ଚଳ ଖୋ-ଖୋ ଚମ୍ପିୟାନସିପ୍ ଆରମ୍ଭ : ଉଦଘାଟନୀ ମ୍ୟାଚରେ ଓଡିଶା ଦଳ ସହ ଝାଡଖଣ୍ଡ ଦଳ ମଧ୍ୟରେ ମୁକାବିଲା…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁରରେ ୨୨ତମ ଅଲ ଇଣ୍ଡିଆ ଇଷ୍ଟ ଜୋନ୍ ଖୋ-ଖୋ ଚମ୍ପିୟାନସିପ୍ ଉଦଘାଟନ ହୋଇଯାଇଛି । ଏହି ମ୍ୟାଚରେ ଓଡିଶା ଦଳ ସହ ଝାଡଖଣ୍ଡ ଦଳ ମଧ୍ୟରେ ମୁକାବିଲା ହୋଇଛି । ଛତ୍ରପୁର ସହରରେ ପ୍ରଥମ ଥର ଭାବେ ଏହି ତିନିଦିନିଆ ୨୨ତମ ଅଲ ଇଣ୍ଡିଆ ଇଷ୍ଟ ଜୋନ ସିନିୟର ପୁରୁଷ ଓ ମହିଳା ବର୍ଗର ଦିବାରାତ୍ର ଖୋ ଖୋ ଚମ୍ପିୟାନସିପ୍ ଆରମ୍ଭ ହୋଇଛି । ସ୍ଥାନୀୟ ଷ୍ଟାଡିୟମ ଠାରେ ଛତ୍ରପୁର ଓ ଗଂଜାମ ଜିଲ୍ଲା ଆର୍ଥଲେଟିକ୍ ଆସୋସିଏସନ, ଜିଲ୍ଲା ପ୍ରଶାସନ ଏବଂ ଓଡିଶା ଖୋ-ଖୋ ଆସୋସିଏସନର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ୨୨ତମ ଅଲ ଇଣ୍ଡିଆ (ଇଷ୍ଟ ଜୋନ) ମହିଳା ଓ ପୁରୁଷ ବର୍ଗର ଦିବାରାତ୍ର ଖୋ-ଖୋ ଚମ୍ପିୟାନସିପର ଉଦଘାଟନୀ ଉତ୍ସବ ଛତ୍ରପୁର ଆର୍ଥଲେଟିକ ଆସୋସିଏସନର ସଭାପତି  ସୂବର୍ଣ୍ଣମାଳା ବିଷୋୟୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଏଥିରେ ଛତ୍ରପୁର ବିଧାୟକ ଡାକ୍ତର ପ୍ରିୟାଂଶୁ ପ୍ରଧାନ ମୁଖ୍ୟ ଅତିଥୀ ଭାବେ ଯୋଗଦେଇ କ୍ରୀଡା ପତାକାକୁ ଉତ୍ତୋଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।ଖେଳାଳୀମାନେ ପରସ୍ପର ମଧ୍ୟରେ ଭାଇଚାରା ସୃଷ୍ଟି କରିବା ହୋଇଛି ଖେଳର ପ୍ରକୃତ ଲକ୍ଷ ବୋଲି କହିଥିଲେ । ସରକାର ସବୁ ବେଳେ ଖେଳାଳୀ ମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ କରି ଆସୁଛନ୍ତି ।ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ପୂର୍ବରୁ ପୁରୁଷ ହକି ବିଶ୍ୱକପ୍ ଓଡିଶାରେ ଆୟୋଜନ କରାଯାଇ ସାରା ବିଶ୍ୱରେ ଚର୍ଚ୍ଚିତ ହୋଇଛନ୍ତି । ଏହା ପୂର୍ବରୁ ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ ଏସିଆନ କ୍ରୀଡା ମଧ୍ୟ ଅନୁଷ୍ଠିତ ହୋଇଥିଲ। । ମୁଖ୍ୟମନ୍ତ୍ରୀ ସବୁବେଳେ ବିକାଶ ନିମନ୍ତେ ଅହରହ ଉଦ୍ୟମ କରୁଛନ୍ତି ବୋଲି ଛତ୍ରପୁର ବିଧାୟକ ଡାକ୍ତର ପ୍ରଧାନ ନିଜ ଅଭିଭାଷଣରେ କହିଥିଲେ । ସମ୍ମାନୀତ ଅତିଥୀ ଭାବେ ଗଂଜାମ ଜିଲ୍ଲାପରିଷଦ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ବେହେରା ଯୋଗଦେଇ କ୍ରୀଡା ମଶାଲକୁ ଧରି କାର୍ଯ୍ୟକ୍ରମକୁ ସ୍ୱାଗତ କରିବା ସହ ନିଜ ଅଭିଭାଷଣରେ କହିଥିଲେ ଯେ ଆଜି ଗୋଟିଏ ଐତିହାସିକ ଦିନ କାରଣ ଏଠାରେ ଓଡିଶା ସମେତ ୯ଟି ରାଜ୍ୟର କ୍ରୀଡାବିତ୍ ମାନେ ଏକାଠି ହୋଇଛନ୍ତି ।ଏହାସହ ଆୟୋଜକମାନଙ୍କୁ ମଧ୍ୟ ଅଧ୍ୟକ୍ଷ ଶ୍ରୀ ବେହେରା ପ୍ରଶଂସା କରିଥିଲେ । ଅନ୍ୟତମ ଅତିଥୀ ଭାବେ ଇଷ୍ଟ ଜୋନ୍ ଖୋ-ଖୋ ଆସୋସିଏସନର ସଂପାଦକ ମଧୁସୂଦନ ସିଂ, ଓଡିଶା ଖୋ-ଖୋ ଆସୋସିଏସନର ସଂପାଦକ ପ୍ରଦ୍ୟୁମ୍ନ ମିଶ୍ରଙ୍କ ସମେତ  ରାଜ୍ୟ ବାହାରୁ ଆସିଥିବା ୯ଟି ରାଜ୍ୟର ଖୋ- ଖୋ ଆସୋସିଏସନର ସଂପାଦକମାନେ ଉପସ୍ଥିତ ଥିଲେ । ଶେଷରେ ଛତ୍ରପୁର ଆର୍ଥଲେଟିକ ଆସୋସିଏସନର ସଂପାଦକ ନୀରଞ୍ଜନ ପାତ୍ର ଧନ୍ୟବାଦ ଦେଇଥିଲେ । ଉଦଘାଟନୀ ଉତ୍ସବ କାର୍ଯ୍ୟକ୍ରମକୁ ପ୍ରଧ୍ୟାପକ ପ୍ରଫେସର ଅମର ପ୍ରସାଦ ବିଷୋୟୀ ସଂଯୋଜନା କରିଥିଲେ । ପରେ ଜାତୀୟ ମହିଳା ଖୋ-ଖୋ ଖେଳାଳୀ ତଥା ଓଡିଶା ଖୋ- ଖୋ- (ମହିଳା) ଦଳର ଅଧିନାୟକ ମଦାକିନୀ ମାଝୀ ସମସ୍ତଙ୍କୁ କ୍ରୀଡା ନିମନ୍ତେ ଶପଥ ପାଠ କରାଇଥିଲେ । ଉଦଘାଟନୀ ଉତ୍ସବର ପ୍ରଥମ ମ୍ୟାଚ ଓଡିଶା (ପୁରୁଷ)ଦଳ ସହ ଝାଡଖଣ୍ଡ (ପୁରୁଷ)ଦଳ ମଧ୍ୟରେ ମୁକାବିଲା ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚ୍ ଆସାମ (ପୁରୁଷ)ଦଳ ସହ ମଣିପୁର (ପୁରୁଷ)ଦଳ ମଧ୍ୟରେ ମୁକାବିଲା ହୋଇଥିଲା । ଏହି ତିନିଦିନିଆ କ୍ରୀଡା ପରିଚାଳନା ନିମନ୍ତେ ଅଫିସିଆଲ ଭାବେ ୨୫ ଜଣ (ଅମ୍ପାୟର, ରେଫରୀ, ଟାଇମ୍ କିପର, ଆସିଷ୍ଟାଣ୍ଡ ସ୍କୋରର ଏବଂ ଟେବୁଲ ସ୍କୋରର) ରହିଛନ୍ତି । ଏହାସହିତ ୫୦ଜଣ କ୍ରୀଡା ଶିକ୍ଷକ ମଧ୍ୟ ସାମିଲ ଅଛନ୍ତି । ଓଡିଶା ସହ ଝାଡଖଣ୍ଡ ଖେଳ ପ୍ରତିଯୋଗିତା ଦର୍ଶକମାନେ ମନଭରି ଉପଭୋଗ କରିଥିବା ଦେଖିବାକୁ ମିଳିଛି । ଏହି ଚମ୍ପିୟାନସିପରେ ଓଡିଶା ସମେତ ଆସାମ, ବିହାର, ଝାଡଖଣ୍ଡ, ମଧ୍ୟପ୍ରଦେଶ. ମଣିପୁର, ନାଗାଲାଣ୍ଡ, ସିକିମ୍ , ତ୍ରିପୁରା ଓ ପଶ୍ଚିମ ବଙ୍ଗ ରାଜ୍ୟର ଉଭୟ ମହିଳା ଓ ପୁରୁଷ ଦଳ ସାମିଲ ହୋଇଛନ୍ତି । ଏହି ଚମ୍ପିୟାନସିପ୍  ଆଜି ଠାରୁ ଫେବୃୟାରୀ ୩ତାରିଖ ପର୍ଯ୍ୟନ୍ତ ଅନୁଷ୍ଟିତ ହେବ । ଏଥି ନିମନ୍ତେ ଏକ କମିଟି ଗଠନ କରାଯାଇଛି କମିଟିର ଅଧ୍ୟକ୍ଷ ଭାବେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଉପାଧ୍ୟକ୍ଷ ଭାବେ ଡିଆରଡିଏ ପିଡି ଇଂ.ସିଦ୍ଧାର୍ଥ ଶଙ୍ଗର ସ୍ୱାଇଁ, ଆଡଭାଇଜର ଭାବେ ଗୋପାଳପୁର ବିଧାୟକ ଡଃ. ପ୍ରଦୀପ କୁମାର ପାଣିଗ୍ରାହୀ ଓ ଛତ୍ରପୁର ବିଧାୟକ ଡାକ୍ତର ପ୍ରିୟାଂଶୁ ପ୍ରଧାନ, କୋ-ଆଡଭାଇଜର ଭାବେ ଗଂଜାମ ଜିଲ୍ଲାପରିଷଦ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ବେହେରା, କୋଡିନଟର ଭାବେ ଗଂଜାମ ଜିଲ୍ଲା ଆର୍ଥଲେଟିକ ଆସୋସିଏସନର ସଂପାଦକ ଅଶୋକ କୁମାର ସାହୁ,  କମିଟି ସଭ୍ୟ ପୂର୍ବତନ ବିଧାୟକ ଅଶୋକ କୁମାର ଚୈାଧୂରୀ, ପ୍ରଫୁଲ କୁମାର ପଟ୍ଟନାୟକ, ଏ.ରାବଣା ରାଓ, ଟି.ଚନ୍ଦ୍ର ଶେଖର ରାଓ, ଡି.ଗଣେଷ ରାଓ, ରାଜେନ୍ଦ୍ର କୁମାର ଦାଶ, ବି.ରାଜୁ ବାବୁ, ସୂବର୍ଣ୍ଣମାଳା ବିଷୋୟୀ, ପ୍ରଶାନ୍ତ କୁମାର ବିଷୋୟୀ, ସୁନିତା ପାତ୍ର, ଡଃ. ଅନୀତା ମିଶ୍ର, ସରୋଜ କୁମାର ପାଢୀ, ସୁଶାନ୍ତ କୁମାର ନାୟକ, ବସନ୍ତ କୁମାର ମହାରଣା, ପ୍ରଶାନ୍ତ କୁମାର ମହାରଣା, ଅଟ୍ଟଳ ବିହାରୀ ପଟ୍ଟନାୟକ, ପ୍ରଶାନ୍ତ କୁମାର ବେହେରା, ନୀରଞ୍ଜନ ପାତ୍ର, ବାବୁଲି ସାହୁ ପ୍ରମୁଖ ରହିଛନ୍ତି । ଆଜି ଉଦଘାଟନୀ ଉତ୍ସବ ପୂର୍ବରୁ ଓଡିଶା ସମେତ ୯ଟି ରାଜ୍ୟର ପୁରୁଷ ଓ ମହିଳା ଦଳ ଖେଳାଳୀ, ଛତ୍ରପୁର ସହରର ସରସ୍ୱତୀ ଶିଶୁବିଦ୍ୟା ମନ୍ଦିର ଛାତ୍ରଛାତ୍ରୀ, ବୁଦ୍ଧିଜିବୀ, କ୍ରିଡାବିତ୍ ମାନେ ସ୍ଥାନୀୟ ଷ୍ଟାଡିୟମ ଠାରେ ଏକ ରାଲିରେ ବାହାରି ଛତ୍ରପୁର ସହର ପରିକ୍ରମା କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା