

ଛତ୍ରପୁର (ସମୃଦ୍ଧ ଓଡିଶା) ସୃଜନ ସାହିତ୍ୟ ସଂସ୍କୃତି ସଂସଦ ଛତ୍ରପୁର ଦ୍ୱାରା ଆୟୋଜିତ ରଜପର୍ବ ପାଳନ ଅବସରରେ ବହୁ ସାହିତ୍ୟିକ ଓ ସଂସ୍କୃତି ପ୍ରେମୀ ଯୋଗଦେଇ ଆମ ସଂସ୍କୃତି ଓ ପରମ୍ପରାର ପର୍ବ ରଜ ପର୍ବକୁ ଉଜ୍ଜୀବିତ କରି ରଖିବା ସହ ମା ଓ ମାଟିକୁ ସମ୍ମାନ ଦେଇ ଘରେ ଘରେ ଏହି ପର୍ବର ପାଳନର ଆବଶ୍ୟକତା ରହିଛି ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ କୃଷି ସୂଚନା କେନ୍ଦ୍ର ସମ୍ମିଳନୀ କକ୍ଷରେ ଆୟୋଜିତ ରଜପର୍ବ ଉତ୍ସବର ଆୟୋଜକ ଅନୁଷ୍ଠାନର ସଭାପତି ଲକ୍ଷ୍ମଣ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାକାର୍ଯ୍ୟରେ ଉପଦେଷ୍ଟା ଶ୍ରୀକାନ୍ତ ମିଶ୍ର ଓ ନିରଞ୍ଜନ ତ୍ରିପାଠୀ, ସମ୍ପାଦକ ସୋମନାଥ ସାହୁ, ବରିଷ୍ଠ ସଦସ୍ୟ ତଥା ସାମାଜିକ କର୍ମୀ ଅରୁଣ ଶତପଥୀ, ମାଧବ ମହାପାତ୍ର, ପ୍ରଶାନ୍ତ ଶତପଥୀ, ମନ୍ମଥ କୁମାର ପାଢ଼ୀ, ପ୍ରଫୁଲ ମହାପାତ୍ର, ନରେନ୍ଦ୍ର କୁମାର ପଣ୍ଡା, ଗୋକୁଳ ଚନ୍ଦ୍ର ପଣ୍ଡା ପ୍ରମୁଖ ରଜପର୍ବର ଐତିହ ଓ ଆଧୁନିକ ସମାଜରେ ରଜପର୍ବର ଉପାଦେୟତା ଆଲୋକପାତ କରିଥିଲେ । ଅଜିତ କୁମାର ସେଠିଙ୍କ ସଂଯୋଜନାରେ ଏକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ବହୁ କବି ସ୍ୱରଚିତ ରଜ ସମ୍ପର୍କୀୟ କବିତା ପାଠ କରିଥିଲେ । ଉତ୍ସବର ଆକର୍ଷଣ ରହିଥିଲା ପାରମ୍ପରିକ ପୋଢ ପିଠା ବଣ୍ଟନ ଓ ରଜ ସଂଗୀତ କାର୍ଯ୍ୟକ୍ରମ ।ଶେଷରେ ଗୌରହରି ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ୟୁ. ଚନ୍ଦ୍ର ଶେଖର ଓ ଯତିରାଜ ନାୟକ ପରିଚାଳନାରେ ସହଯୋଗ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା
