ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳର ସ୍ୱୟଂଶାସିତ ମହାବିଦ୍ୟାଳୟ ଉପାସନା ଛାତ୍ରୀନିବାସରେ ଜଳ ଓ ବିଦ୍ୟୁତର ଘୋର ଅଭାବ ଦେଖାଦେଇଛି । ଛାତ୍ରୀନିବାସର କୌଣସି ବିଭାଗରେ ଗୋଟିଏ ବି ଆକ୍ୟୁଆଗାର୍ଡ଼ ନାହିଁ । ଯାହା ଫଳରେ ଛାତ୍ରୀମାନେ ଅପରିଷ୍କାର ପାଣି ପିଇ ଅସୁସ୍ଥ ହେଉଥିବା ଜଣାପଡିଛି । ଛାତ୍ରୀ ନିବାସର ଭିତରେ ଏବଂ ଚାରି ପାର୍ଶ୍ୱରେ ଜଙ୍ଗଲ ହୋଇ ପଡି ରହିଥିବାରୁ ହଷ୍ଟେଲ ରୁମ ଭିତରକୁ ସାପ ପଶି ଯାଉଛି । ଏହାସହ ଅତ୍ୟଧିକ ଜଙ୍ଗଲ ହୋଇଥିବା ଫଳରେ ବହୁତ ମଶା ମଧ୍ୟ ହେଉଛନ୍ତି । ଯାହାଦ୍ୱାରା ମଶା କାମୁଡି ଛାତ୍ରୀମାନେ ଅସୁସ୍ଥ ହେଉଛନ୍ତି ବୋଲି ଅଭିଯୋଗ ହୋଇଛି । ଏହି ସବୁ ସମସ୍ୟାର ସମାଧାନ କରିବା ନିମନ୍ତେ ଆଜି ସକାଳ ୭ଟା ରୁ ଛାତ୍ରୀ ମାନେ ସେମାନଙ୍କର ନିତ୍ୟକର୍ମ ନ କରି କଲେଜ ମୁଖ୍ୟ ଫାଟକ ଆଗରେ ଏବଂ କଲେଜ ଭିତରେ ଅଫିସ ରୁମ ଆଗରେ ଆନ୍ଦୋଳନ କରିଛନ୍ତି । ତୁରନ୍ତ ଏହାର ସମାଧାନ କରାଯାଉ ନଚେତ ଆଗକୁ ତୀବ୍ର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଏହି ଆନ୍ଦୋଳନରେ ଛାତ୍ରୀ ନିବାସର ସେକ୍ରେଟାରୀ ଋତୁପର୍ଣ୍ଣା ସାହୁ, ସ୍ୱର୍ଣ୍ଣମୟୀ ପରିଡା, ଜ୍ୟୋତିସ୍ମିତା ସାହୁ, ମନ୍ଦାକନି ଦାଶ, ସବିତା ନାଥ, ଦିଶାନି ପାଲ, ଶୁଶ୍ରୀ ପ୍ରିୟଦର୍ଶନୀ ପ୍ରମୁଖଙ୍କ ସମେତ ବହୁ ଛାତ୍ରୀ ଉପସ୍ଥିତ ଥିଲେ ।
ରିପୋର୍ଟ : ଶୁଭମ କୁମାର ପାଣି