ଛେଳିଆ ମାଝି ହତ୍ୟାକାଣ୍ଡ ମାମଲାରେ ୯ ଜଣ ଦୋଷୀଙ୍କୁ ଆଜୀବନ ଦଣ୍ଡାଦେଶ…

ରାୟଗଡା (ସମୃଦ୍ଧ ଓଡିଶା) ବହୁ ଚର୍ଚ୍ଚିତ ଛେଳିଆ ମାଝି ହତ୍ୟାକାଣ୍ଡ ମାମଲାରେ ଆଜି ରାୟଗଡା ଜିଲା ଦୌରା ଜର୍ଜ ସୋମଶେଖର ଜେନା ବିଚାର କରି ୯ ଜଣ ଅଭିଯୁକ୍ତଙ୍କୁ ଆଜୀବନ ସଶ୍ରମ କରାଦଣ୍ଡାଦେଶ ରାୟ ଶୁଣାଇଛନ୍ତି । ଦୋଷୀମାନେ ହେଲେ ବାଲି ମାଝି, ସନ୍ତାଷ ମାଝି, ପତିଡି ମାଝି, ନରୀ ମାଝି, କୁଶ ମାଝି, କୃର୍ଷ୍ଣ ମାଝି, ସଦା ମାଝି, ସାଲୁମାଝି ଓ କବି ମାଝି । ଅଭିଯୋଗ ଅନୁଯାୟୀ, ଗତ ୨୦୧୭ ମସିହା ୩୦ ତାରିଖ ରାତି ୮ଟା ସମୟରେ ରାୟଗଡ଼ା ଜିଲା ଟିକିରି ଥାନା ଅନ୍ତର୍ଗତ ପୋଡାକଣା ଗ୍ରାମବାସୀନ୍ଦା ପାଞ୍ଚାଳୀ ମାଝିଙ୍କ ଘର ନିକଟକୁ କିଛି ଦୁର୍ବୃତ୍ତ ଆସିଥିଲେ । ୨୩ ବର୍ଷିଆ ଛେଳିଆ ମାଝିଙ୍କ ବିଷୟରେ ଉଭୟ ମା’ ପାଞ୍ଚାଳୀ ଓ ଭାଇ ରାଜୁଙ୍କୁ ଦୁର୍ବୃତ୍ତ ପଚାରିଥିଲେ । ପରେ ଆତର୍କିତ ଭାବେ ଉଭୟଙ୍କୁ ଗୁରୁତର ଭାବେ ମାଡ ମାରି ଛେଳିଆଙ୍କୁ ଘର ଭିତରରୁ ଭିଡି ସ୍ଥାନୀୟ କଡିଗରଡା ଜଙ୍ଗଲକୁ ନେଇଯାଇଥିଲେ । ସେଠାରେ ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ଛେଳିଆଙ୍କ ଗଣ୍ଡି ଠାରୁ ମଣ୍ଡୁକୁ ଅଲଗା କରି ଦେଇଥିଲେ । ଏହି ଘଟଣା ୨୦୧୭ ମସିହା ଡିସେମ୍ବର ୫ ତାରିଖ ଦିନ ପଦାକୁ ଆସିଥିଲା । ଏ ନେଇ ପାଞ୍ଚାଳୀ ଟିକିରି ଥାନାରେ ଏତଲା ଦେଇଥିଲେ । ଅଭିଯୋଗକୁ ଭିତ୍ତିକରି ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଥିଲା । ଅଭିଯକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିଲା । ଉକ୍ତ ହତ୍ୟାକାଣ୍ଡ ଜମିଜମା ବିବାଦ ଓ ଗୁଣିଗାରେଡି ସନ୍ଦେହରୁ ହୋଇଥିବା ପୁଲିସ ସୂତ୍ରରୁ ଜଣାପଡିବା ପରେ ତଦନ୍ତ କରାଯାଇଥିଲା । ଶେଷରେ ଏହି ମାମଲାରେ ସମ୍ପୃକ୍ତି ଅଭିଯୋଗରେ ମୋଟ ୧୨ ଜଣଙ୍କ ମଧ୍ୟରୁ ତିନି ଜଣ ନାବାଳକଙ୍କୁ ବାଳ ସୁଧାର ଗୃହକୁ ପଠା ଯାଇଥିଲା । ଅନ୍ୟ ୯ ଜଣଙ୍କୁ ଗିରଫ କରି କର୍ଟଚାଲାଣ ହୋଇଥିଲେ । ଉକ୍ତ ମାମଲାରେ ମୋଟ ୧୮ଜଣଙ୍କ ସାକ୍ଷ ପ୍ରମାଣ ଗ୍ରହଣ କରି ଦୌରାଜଜ୍ ପୂର୍ଣ୍ଣାଙ୍ଗ ରାୟ ଶୁଣାଇଛନ୍ତି ।

ରିପୋର୍ଟ : ତୁଷାର ରଞ୍ଜନ ସାହୁ