


ଭୁବନେଶ୍ୱର (ସମୃଦ୍ଧ ଓଡିଶା)ବହୁ ଚର୍ଚ୍ଚିତ ରସଗୋଲା ବିବାଦର ସମାଧାନ ହୋଇଛି । ରସଗୋଲା ଓଡ଼ିଶାର ନା ପଶ୍ଚିମବଙ୍ଗର ବୋଲି ରାଜ୍ୟ ରାଜ୍ୟ ମଧ୍ୟରେ ବିବାଦ ଲାଗିଥିଲା । କଲିକତା ରସଗୋଲାକୁ ଅନେକେ ପସନ୍ଦ କରନ୍ତି, ଆଉ ତାହାର ଫାଇଦା ଉଠାଇବାକୁ ଯାଇ ପଶ୍ଚିମବଙ୍ଗରୁ ହିଁ ରସଗୋଲାର ଉତ୍ପତି ବୋଲି ପଶ୍ଚିମବଙ୍ଗ ପକ୍ଷରୁ ଦାବି ହୋଇଥିଲା । ହେଲେ ରସଗୋଲା ପରମ୍ପରା ଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ରହିଛି ବୋଲି ହୁଏତ ଭୁଲିଯାଇଥିଲେ । ରଥଯାତ୍ରାରୁ ବାହୁଡ଼ିବା ପରେ ମହାପ୍ରଭୂ ଜଗନ୍ନାଥ ସାଥୀରେ ନିଜ ସ୍ତ୍ରୀ ଲକ୍ଷ୍ମୀଙ୍କୁ ନେଇ ନ ଥିବାରୁ ସେ ରାଗିଥିଲେ । ପ୍ରଭୂ ଜଗନ୍ନାଥ ଯାତ୍ରାରୁ ଫେରିବା ପରେ ଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ରସଗୋଲା ଖାଇବାକୁ ଦେଇଥିଲେ । ଏହି ପରମ୍ପରା ବହୁ ପୁରାତନରୁ ଓଡିଶା ଜଗନ୍ନାଥ ସଂସ୍କୃତିରେ ରହିଆସିଛି । ଏଥିପାଇଁ ରଥଯାତ୍ରା ଅବସରରେ ଭକ୍ତମାନେ ତିନି ଠାକୁର ରଥ ଉପରେ ଥିବା ବେଳେ ରସଗୋଲା ଭୋଗ ଅର୍ପଣ କରିଥାନ୍ତି । ଜଗନ୍ନାଥ ସଂସ୍କୃତି ଯେତେ ପୁରୁଣା ଓଡ଼ିଶାରେ ରସଗୋଲା ପ୍ରଚଳନ ସେତେ ପୁରୁଣା । ଆଉ ତାକୁ ଦୃଷ୍ଟିରେ ରଖି ରସଗୋଲା ଓଡ଼ିଶାର ବୋଲି ଦାବି କରିଥିଲେ ଦୁଇଟି ସଂସ୍ଥା ଉକ୍ରଳ ମିଷ୍ଟାନ ବ୍ୟବସାୟ ସମିତି ଓ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ । ଆଉ ବିବାଦ ଯାଇ ପହଂଚିଥିଲା କେନ୍ଦ୍ର ସରକାରଙ୍କ ଜିଆଇ ରେଜିଷ୍ଟ୍ରାରଙ୍କ ନିକଟରେ । ଜିଆଇ ଟ୍ୟାଗ୍ ମାନ୍ୟତା ପାଇଁ ଦାବି ହୋଇଥିବା ବେଳେ ଓଡ଼ିଶା ରସଗୋଲାକୁ ଜିଆଇ ଟ୍ୟାଗ୍ ମିଳିବା ସହ ଭୌଗୋଲିକ ପରିଚୟ ଆଇନରେ ମଧ୍ୟ ମିଳିଲା ମାନ୍ୟତା । ବର୍ତ୍ତମାନ ପଶ୍ଚିମବଙ୍ଗକୁ ନିରାଶ କରି ଓଡ଼ିଶା ସପକ୍ଷରେ ବିଜ୍ଞପ୍ତି ପ୍ରକାଶ କଲେ କେନ୍ଦ୍ର ସରକାରଙ୍କ ଜିଆଇ ରେଜିଷ୍ଟାର ।ଚିଠି ଦେଖି ତୃପ୍ତି ହୁଅନ୍ତୁ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା





