ଛତ୍ରପୁର (ସମୃଦ୍ଧ ଓଡିଶା) ବିଜେଡି ସୁପ୍ରିମୋଙ୍କ ନୂତନ ଅଭିଯାନ ‘ମୋ ସରକାର’ କୁ ନେଇ ଗଞ୍ଜାମ ଏସପିଙ୍କ କାର୍ଯ୍ୟାଳୟରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୋ ସରକାରଙ୍କ ସମସ୍ତ ବିଷୟ ବସ୍ତୁ ଉପରେ ଆଲୋଚନା କରାଯାଇଥିଲା । ଉକ୍ତ ବିଷୟ ବସ୍ତୁ ଗୁଡିକ ହେଲା ….
୧) ମୋ ସରକାର କ’ଣ ?
ବ୍ୟାପକ ପରିବର୍ତ୍ତନ ପାଇଁ ୫-T କାର୍ଯ୍ୟକ୍ରମ ଅଧୀନରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଉଦ୍ୟମ । ସରକାରୀ ଅଫିସକୁ ଭିଭିନ୍ନ ସେବା ପାଇଁ ଆସୁଥିବା ଜନସାଧାରଣଙ୍କ ପ୍ରତ୍ୟକ୍ଷ ମତାମତକୁ ବିକ୍ଷିପ୍ତ ଭାବରେ ସଂଗ୍ରହ କରାଯାଇ କର୍ମଚାରୀଙ୍କ ବ୍ୟବହାର ଓ ବର୍ତ୍ତିଗତ ଦକ୍ଷତାରେ ପରିବର୍ତ୍ତନ ଆଣିବା ଏହି ବ୍ୟବସ୍ଥାର ଲକ୍ଷ୍ୟ ।
୨) କେଉଁ ପ୍ରକାର ମତାମତ ?
ମୂଳତଃ ଜନସାଧାରଣଙ୍କୁ ସରକାରୀ ଅଫିସ ମାନଙ୍କରେ କିପରି ବ୍ୟବହାର କରାଯାଉଛି ଏବଂ ସେମାନଙ୍କ ସମସ୍ୟାକୁ ବୃତ୍ତିଗତ ତଥା ସେବା ମନୋଭାବ ନେଇ ସମାଧାନ ପାଇଁ ପଦକ୍ଷେପ ନିଆଯାଉଛି କି ନାହିଁ ।
୩) ଏହା କ’ଣ ଅଭିଯୋଗ ଶୁଣାଣୀ ?
ନାଁ । ଏହା ହେଉଛି ସରକାରୀ ସଂସ୍ଥା ମାନଙ୍କ ସମ୍ପର୍କରେ ଏକ ମତାମତ ସଂଗ୍ରହ ବ୍ୟବସ୍ଥା । ସଂସ୍ଥା ଗୁଡିକୁ ଅଧିକ ଦକ୍ଷ କରିବା ପାଇଁ ଏହି ବ୍ୟବସ୍ଥା ଏକ ଉଦ୍ୟମ ।
୪) କିଏ ମତାମତ ଦେଇପାରିବ ?
ସରକାରୀ ଅନୁଷ୍ଠାନକୁ ଯାଉଥିବା ଯେକୌଣସି ବ୍ୟକ୍ତି ମତାମତ ଦେଇପାରିବେ । ଏହା ୨ ଅକ୍ଟୋବର ୨୦୧୯ ଠାରୁ ରାଜ୍ୟର ସମସ୍ତ ପୋଲିସ ଥାନା ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ କରାଯାଉଛି ।
୫) ଏହା କିପରି କାମ କରିବ ?
ଆପଣ ଯେତେବେଳେ କୌଣସି ସରକାରୀ ଅନୁଷ୍ଠାନକୁ ସେବା ପାଇଁ ଯିବେ, ସେତେବେଳେ ଆପଣଙ୍କର ଟେଲିଫୋନ ନମ୍ବରର ପଞ୍ଜିକରଣ କରାଯିବ ଏବଂ ୨୪ ଘଣ୍ଟା ମଧ୍ୟରେ ଆପଣଙ୍କ ନିକଟକୁ ଏସଏମଏସ ବାର୍ତ୍ତା ପଠାଯିବ । ଯଦି ଆପଣ ଏସଏମଏସ ବାର୍ତ୍ତା ନ ପାଆନ୍ତି ତେବେ ଆପଣ ୧୪୫୪୫ ନମ୍ବରକୁ ମିସ କଲ ଦେଇ ମୋ ସରକାର ପୋର୍ଟାଲ ରେ ଆପଣଙ୍କ ଟେଲିଫୋନ ନମ୍ବରକୁ ପଂଜିକୃତ କରିପାରିବେ ।
୬) ଯଦି ମୋ ନମ୍ବର ପଞ୍ଜିକୃତ ହୂଏ, ତେବେ ମୁ କଲ ପାଇପାରିବି କି ?
ମୋ ସରକାର ପୋର୍ଟାଲରୁ ପଞ୍ଜୀକୃତ ହୋଇଥିବା ସମସ୍ତ ନମ୍ବର ମଧ୍ୟରୁ ବିକ୍ଷିପ୍ତ ଭାବରେ ଚୟନ କରାଯାଇଥିବା ନମ୍ବରକୁ ମତାମତ ପାଇଁ ଯୋଗାଯୋଗ କରାଯିବ । ତେଣୁ ଏ କ୍ଷେତ୍ରରେ ଆପଣ କଲ ପାଇପାରନ୍ତି ବା ନ ପାଇପାରନ୍ତି ।
୭) କିଏ କଲ କରିବେ ?
ମୁଖ୍ୟମନ୍ତ୍ରୀ, ମନ୍ତ୍ରୀମଣ୍ଡଳରେ ତାଙ୍କର ସହଯୋଗୀ ମନ୍ତ୍ରୀଗଣ, ବିଭାଗୀୟ ମୁଖ୍ୟ ଏବଂ ବରିଷ୍ଠ ଅଧିକାରୀ ବୃନ୍ଦ । ଉଦାହରଣ ସ୍ୱରୂପ ପୋଲିସ ଥାନା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ, ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ, ପୋଲିସ ମହା ନିର୍ଦ୍ଦେଶକ ଏବଂ ପୋଲିସ ଡିଆଇଜି । ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ,ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଶାସନ ସଚିବ ଓ ନିର୍ଦ୍ଧେଶକ ।
୮) ଯଦି ମୁଁ ପ୍ରତିକୂଳ ମତାମତ ଦିଏ ତେବେ ମୋ ପରିଚୟ ପ୍ରକାଶ କରି ଦିଆଯିବ କି ?
ନାଁ । ଆପଣଙ୍କ ପରିଚୟ ଗୋପନୀୟ ରହିବ, କାରଣ ମୋ ସରକାରରେ ବ୍ୟକ୍ତିଗତ ଅଭିଯୋଗ ଫଇସଲା କରାଯାଉନାହିଁ । ଏଥିରେ ବ୍ୟବସ୍ଥା ସମ୍ପର୍କରେ ମୋଟା ମୋଟି ଧାରଣା ବିଷୟରେ ତଥ୍ୟ ସଂଗ୍ରହ କରାଯାଉଛି ।
୯) ମୁଁ ଯଦି ପୋଲିସ ଷ୍ଟେସନକୁ ଯାଏ ତେବେ ମୋତେ କିପରି ବ୍ୟବହାର ମିଳିବ ?
ପୋଲିସ ଥାନାକୁ ଯାଉଥିବା ପ୍ରତ୍ୟେକ ଅଭିଯୋଗକାରୀଙ୍କୁ ଉତ୍ତମ ବ୍ୟବହାର କରାଯିବ ଏବଂ ତାର ଅଭିଯୋଗ ଉପରେ ବୃତ୍ତିଗତ ଏବଂ ସେବା ମନୋଭାବ ନେଇ ତାକୁ ନ୍ୟାୟ ଦେବା ପାଇଁ ଉଦ୍ୟମ କରାଯିବ । ତେଣୁ ମୂଳତଃ (୧) ଆପଣଙ୍କୁ କିପରି ବ୍ୟବହାର କରାଗଲା, (୨) ଆପଣଙ୍କୁ ହଇରାଣ କରାଗଲା କି, (୩) ଆପଣଙ୍କୁ ଲାଞ୍ଚ ମଗାଗଲା କି, (୪ ) ବିନା ଭୟ ବା ପକ୍ଷପାତରେ ପଦକ୍ଷେପ ଗ୍ରହଣ କରାଗଲା କି ।
୧୦) ମୁଁ ଯଦି ଡାକ୍ତରଖାନାକୁ ଯାଏ, ତେବେ ମୋତେ କିପରି ବ୍ୟବହାର ମିଳିବ ?
ଡାକ୍ତର ଆପଣଙ୍କର ଚିକିତ୍ସା କରିବେ । ଆପଣଙ୍କୁ କେହି ହଇରାଣ କରିବେ ନାହିଁ ବା ଲାଞ୍ଚ ମାଗିବେ ନାହିଁ । ଔଷଧ ବିଭିନ୍ନ ପ୍ରକାର ପରୀକ୍ଷା ସମେତ ସବୁ ପ୍ରକାର ସେବା ଆପଣଙ୍କୁ ମାଗଣାରେ ଯୋଗାଇ ଦିଆଯିବ । ଘରୋଇ ଡାକ୍ତରଖାନା/ଔଷଧ ଦୋକାନ/ ଘରୋଇ ନିଦାନ କେନ୍ଦ୍ର ଆଦିକୁ ଯିବା ପାଇଁ କୌଣସି ରୋଗୀଙ୍କୁ ବାଧ୍ୟ କରାଯାଇପାରିବ ନାହିଁ ।
୧୧) ଯଦି ମୁଁ ଅନୁକୂଳ ମତାମତ ଦିଏ, ତେବେ କଣ ପଦକ୍ଷେପ ନିଆଯିବ ?
ଆପଣଙ୍କ ଅନୁକୂଳ ମତାମତ ଭିତ୍ତିରେ ସମ୍ପୃକ୍ତ ଅନୁଷ୍ଠାନ ଏବଂ ତାହାର କର୍ମଚାରୀମାନଙ୍କୁ ପ୍ରଶଂସା କରାଯିବ । ନିରନ୍ତର ଅନୁକୂଳ ମତାମତ ପାଇଁ ସମ୍ପୃକ୍ତ ସଂସ୍ଥାକୁ ଭଲ ର ବ୍ୟାଙ୍କ ଦିଆଯିବ ଏବଂ ଭଲ କାମ କରିଥିବା କର୍ମଚାରୀଙ୍କୁ ଆଗୁଆ ପଦୋନ୍ନତି ଦିଆଯିବ ।
୧୨) ଯଦି ମୁଁ ପ୍ରତିକୂଳ ମତାମତ ଦିଏ, ତେବେ କଣ ପଦକ୍ଷେପ ନିଆଯିବ ?
ଆପଣଙ୍କ ପ୍ରତିକୂଳ ମତାମତକୁ ଗୁରୁତ୍ୱର ସହ ନିଆଯିବ ଏବଂ ସମ୍ପୃକ୍ତ ସରକାରୀ ଅନୁଷ୍ଠାନ ଭଲ ଭାବରେ ସେବା ଯୋଗାଉନାହିଁ ବୋଲି ନିଶ୍ଚିତ କରିବା ପାଇଁ ଆମେ ସେହି ଅନୁଷ୍ଠାନକୁ ଯାଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଆଉ କିଛି ଲୋକଙ୍କ ମତାମତ ସଂଗ୍ରହ କରିବୁ । ଏହା ଭିତ୍ତିରେ ସମ୍ପୃକ୍ତ ଅନୁଷ୍ଠାନର ଦାୟୀ କର୍ମଚାରୀମାନଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଏବଂ ଅନ୍ୟାନ୍ୟ ପଦକ୍ଷେପ ଗ୍ରହଣ କରାଯିବ । ଏହା ସହିତ ସମ୍ପୃକ୍ତ ଅନୁଷ୍ଠାନକୁ ଖରାପର ବ୍ୟାଙ୍କ ମିଳିବ ଏବଂ ତା ସହିତ ସେହି ଅନୁଷ୍ଠାନର କାର୍ଯ୍ୟଧାରାରେ ଉନ୍ନତି ଆସିବା ପର୍ଯ୍ୟନ୍ତ ସରକାରଙ୍କ ତୀକ୍ଷ୍ମ ନଜରରେ ରହିବ ।
୧୩) ମୋ ସରକାର ଦ୍ୱାରା କଣ ହାସଲ ହେବ ?
ଏକ ସିଧାସଳଖ ବିକ୍ଷିପ୍ତ ମତାମତ ସଂଗ୍ରହ ବ୍ୟବସ୍ଥା ଜରିଆରେ ମୋ ସରକାର କାର୍ଯ୍ୟକ୍ରମ ଦ୍ୱାରା ଦୁଇଟି ବିଷୟରେ ଉନ୍ନତି ଆଣିବା ପାଇଁ ଲକ୍ଷ୍ୟ ରଖାଯାଇଛି । (୧) ସରକାରୀ ଅନୁଷ୍ଠାନ ମାନଙ୍କର କାର୍ଯ୍ୟଧାରା ଏବଂ ନାଗରିକ ମାନଙ୍କ ପ୍ରତି ସେମାନଙ୍କର ବ୍ୟବହାର । (୨) ସରକାରୀ କର୍ମଚାରୀମାନଙ୍କର କାର୍ଯ୍ୟ ପ୍ରଣାଳୀ ଏବଂ ଲୋକଙ୍କ ସମସ୍ୟା ପ୍ରତି ସେମାନଙ୍କର ବୃତ୍ତିଗତ ଓ ନୈତିକ ଦୃଷ୍ଟିଭଙ୍ଗୀ ।
୧୪) ମୋ ସରକାର କାର୍ଯ୍ୟକ୍ରମର ବିଚାରଧାରା କଣ ?
ଲୋକମାନେ ହେଉଛନ୍ତି ଗଣତନ୍ତ୍ରର ଆତ୍ମା । ଲୋକଙ୍କ ସେବା ପାଇଁ ସବୁ ସରକାରୀ ଅନୁଷ୍ଠାନ ସୃଷ୍ଟି କରାଯାଇଛି । ସବୁ ସରକାରୀ କର୍ମଚାରୀ ଲୋକଙ୍କ ପଇସାରୁ ହିଁ ବେତନ ପାଆନ୍ତି । ଏହା ହେଉଛି ଗଣତନ୍ତ୍ର – ଯେଉଁଠାରେ ସରକାରୀ ଅନୁଷ୍ଠାନ ହେଉଛି ଲୋକଙ୍କ ସମ୍ପତ୍ତି ଏବଂ ଲୋକମାନେ ହେଉଛନ୍ତି ସରକାରୀ ଅନୁଷ୍ଠାନର ପ୍ରକୃତ ମାଲିକ । ଏହି ବିଚାରଧାରାକୁ ଭିତ୍ତି କରି ସରକାରୀ ଅନୁଷ୍ଠାନକୁ ଆସୁଥିବା ପ୍ରତ୍ୟେକ ନାଗରିକଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା ଏବଂ ସେମାନଙ୍କ ସମସ୍ୟାର ସମାଧାନ ପାଇଁ କର୍ମଚାରୀମାନେ କିପରି ବୃତ୍ତିଗତ ଓ ସେବା ମନୋଭାବ ନେଇ କାର୍ଯ୍ୟ କରୁଛନ୍ତି ସେ ବିଷୟରେ ଅବଗତ ହେବା ନିମନ୍ତେ ଏହା ଏକ ସଶକ୍ତିକରଣ ପଦକ୍ଷେପ ।
୧୫) ଅକ୍ଟୋବର ୨ରେ ମୋ ସରକାର କାର୍ଯ୍ୟକ୍ରମରେ କେଉଁ ସରକାରୀ ଅନୁଷ୍ଠାନ ଗୁଡିକ ଅନ୍ତର୍ଭୁକ୍ତ ହେବେ ?
ରାଜ୍ୟର ସବୁ ପୋଲିସ ଥାନା ରାଜ୍ୟର ୨୧ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ୩ଟି ମେଡିକାଲ କଲେଜ । ୩୦ ଅକ୍ଟୋବର ସୁଦ୍ଧା ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଏହା ସମ୍ପ୍ରସାରିତ ହେବ ।
୧୬) ମୋ ସରକାରରେ ସବୁ ସରକାରୀ ଅଫିସ କେବେ ଅନ୍ତର୍ଭୁକ୍ତ ହେବ ?
୨୦୨୦ ମାର୍ଚ୍ଚ ୫ ତାରିଖ ସୁଦ୍ଧା ରାଜ୍ୟର ସବୁ ସରକାରୀ ଅଫିସକୁ ମୋ ସରକାର କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯିବ ।
୧୭) ମୋ ସରକାର କାର୍ଯ୍ୟକ୍ରମରେ ମୁଁ ମୁଖ୍ୟମନ୍ତ୍ରୀଙ୍କ ଠାରୁ କଲ ପାଇ ପାରିବି କି ?
ହଁ । ଆପଣ ପାଇ ପାରିବେ । ଯଦି ବିକ୍ଷିପ୍ତ ଭାବରେ ଚୟନ କରାଯାଇଥିବା ନମ୍ବରଟି ଆପଣଙ୍କର ହୋଇଥାଏ ।
୧୮) ୧୪୫୪୫ ନମ୍ବର କଣ ପାଇଁ ?
ସରକାରୀ ଅଫିସକୁ ଯାଇଥିବା ସମୟରେ, ଆପଣଙ୍କ ଫୋନ ନମ୍ବର ପଞ୍ଜିକୃତ ହୋଇଥିଲେ ସୁଦ୍ଧା, ଆପଣ ଯଦି ମୋ ସରକାର ପୋର୍ଟାଲରୁ କୌଣସି ଏସଏମଏସ ବାର୍ତ୍ତା ପାଇ ନଥାନ୍ତି, ତେବେ ଆପଣ ୧୪୫୪୫ କୁ ଫୋନ କଲେ ଆପଣଙ୍କ ନମ୍ବର ଆପେ ଆପେ ପଞ୍ଜିକୃତ ହୋଇଯିବ ।
୧୯) ୧୪୫୪୫ ରେ କଲ ପାଇଁ ମୋତେ କିଛି ପଇସା ଦେବା ପାଇଁ ପଡ଼ିବ କି ?
ନାଁ । ଏହା ଏକ ଦେୟ ମୁକ୍ତ ଟେଲିଫୋନ ନମ୍ବର ।
୨୦) ମୋ ସରକାରରେ ନିଆ ଯାଇଥିବା ମତାମତକୁ ନେଇ ଆପଣ କଣ କରିବେ ?
ଆପଣଙ୍କ ମୂଲ୍ୟବାନ ମତାମତ ଲୋକଙ୍କ ପ୍ରତି ସରକାରୀ ଅନୁଷ୍ଠାନ ମାନଙ୍କର ଉତ୍ତରଦାୟୀତ୍ୱକୁ ବୃଦ୍ଧି କରିବାରେ ସହାୟକ ହେବ । ଆପଣଙ୍କ ମତାମତ ଭିତ୍ତିରେ ଉଭୟ ଅନୁକୂଳ କିମ୍ବା ଶାସ୍ତିମୂଳକ ପଦକ୍ଷେପ ଗ୍ରହଣ କରାଯାଇପାରେ ଯାହାକି ସମ୍ପୃକ୍ତ ଅନୁଷ୍ଠାନର ଦକ୍ଷତା ବୃଦ୍ଧିରେ ସହାୟକ ହେବ ।
୨୧) ଆପଣ ଏକ ଉଦାହରଣ ଦେଇପାରିବେ କି ?
ଆପଣ ଯେତେବେଳେ କୌଣସି ପର୍ଯ୍ୟଟନସ୍ଥଳୀ ବା ହୋଟେଲକୁ ଯାଆନ୍ତି ସେତେବେଳେ ସମ୍ପୃକ୍ତ ସଂସ୍ଥା ପକ୍ଷରୁ ଆପଣଙ୍କ ମତାମତ ନିଆଯାଏ ଏବଂ ଆପଣ ସେ ସ୍ଥାନ ବା ହୋଟେଲକୁର ବ୍ୟାଙ୍କ ଦିଅନ୍ତି । ସେବା ଜାଗାଉଥିବା ଘରୋଇ କମ୍ପାନୀମାନେ ମଧ୍ୟ ଏହିଭଳି ମତାମତ ନେଇଥାନ୍ତି । ସେମାନେ ଗ୍ରାହକଙ୍କୁ ସେମାନଙ୍କ ସେବା ଭିତ୍ତିରେ ବ୍ୟାଙ୍କ ଏବଂ ନମ୍ବର ଦେବାକୁ କହିଥାନ୍ତି । ଲୋକଙ୍କ ସେବା ପାଇଁ ସରକାର ଅଛି ଏବଂ ଲୋକଙ୍କ ପଇସାରେ ଏହା ଚାଲିଛି । ତେଣୁ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ବିଭିନ୍ନ ସେବା ସମ୍ପର୍କରେ ମତାମତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହାଦ୍ୱାରା ସରକାରୀ ସଂସ୍ଥା ଗୁଡିକର କାର୍ଯ୍ୟଧାରାକୁ ସୁଦୃଢ ଓ ଦକ୍ଷ କରାଯାଇପାରିବ ଏବଂ ନାଗରିକମାନଙ୍କ ସଶକ୍ତିକରଣ ହୋଇପାରିବ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା