

ଛତ୍ରପୁର (ସମୃଦ୍ଧ ଓଡିଶା) ଓସ୍ୱାନ ହଲ ଠାରେ ଭିଡିଓ କନଫରେନ୍ସିଂ ଜରିଆରେ ଗଞ୍ଜାମ ଜିଲ୍ଲାର ରାଜସ୍ୱ ବିଭାଗୀୟ ସମୀକ୍ଷା ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଗୁରୁବାର ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ସମସ୍ତ ତହସିଲଦାର ମାନଙ୍କୁ ଜଣାଇଥିଲେଯେ, ରାଜସ୍ୱ ବିଭାଗ ଦ୍ୱାରା ପ୍ରଦାନ କରାଯାଉଥିବା ସେବାମାନ ଅବିଳମ୍ବେ ନିର୍ଦ୍ଧାରୀତ ସମୟସୀମା ମଧ୍ୟରେ ସମାଧାନ କରି ହିତାଧିକାରୀ ମାନଙ୍କୁ ସେବା ଯୋଗାଇ ଦେଲେ ସରକାରଙ୍କ ଲକ୍ଷ୍ୟ ସାଧନ ହୋଇପାରିବ । ଏ ଦିଗରେ ସମସ୍ତ ତହସିଲ କାର୍ଯ୍ୟାଳୟ ତତ୍ପରତାର ସହ କାର୍ଯ୍ୟ କରନ୍ତୁ । ଆଜି ଅନୁଷ୍ଠିତ ସମୀକ୍ଷା ବୈଠକରେ ସୈରାତ୍ ସୋର୍ସ, ଗ୍ରାମ କଣ୍ଟକ ପରମ ଭୋଗ, ଓଡିଶା ଜନସେବା କାର୍ଯ୍ୟ ଅଧିକାର, ବସୁନ୍ଧରା ଯୋଜନାଇତ୍ୟାଦି ସମ୍ପର୍କିତ ସୁବିସ୍ତୃତ ଆଲୋଚନା ହୋଇଥିଲା । ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅମୀୟ କୁମାର ସାହୁ ସମୀକ୍ଷା ବୈଠକର ସମସ୍ତ ତଥ୍ୟ ଉପସ୍ଥାପନ କରିଥିଲେ । ସୈରାତ୍ ଉତ୍ସ କ୍ଷେତ୍ରରେ ଦେଖାଯାଉଥିବା ସମସ୍ୟାମାନ ସଂପୃକ୍ତ ସଂସ୍ଥାକୁ ଡକାଯାଇ ଉପ-ଜିଲ୍ଲାପାଳଙ୍କ ସ୍ତରରେ ସମାଧାନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଖଣିଜ ପଦାର୍ଥର ରକ୍ଷଣବେକ୍ଷଣ ପ୍ରଶାସନର ଦାୟୀତ୍ବ । ଖଣିଜ ଖଣି ସମ୍ପଦର ଚୋରୀକୁ ରୋକିବା ସକାଶେ ନିଲାମ ପ୍ରକ୍ରିୟା ଜାରି ହେବା ଉଚିତ୍ । ଚୋରକୁ ସମର୍ଥନ ନକରି ଚୋରୀ କରୁଥିବା ବ୍ୟକ୍ତି ବିଶେଷଙ୍କୁ ଆଇନ୍ ଅନୁଯାୟୀ ସିଆର୍.ପି.ସି.-୧୦୭ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଜେଲଦଣ୍ଡ ପ୍ରଦାନ କରାଗଲେ ଚୋରୀ ହେବନାହିଁ । ଏଣିକି ଯଦି ଚୋରୀ ହୁଏ ତେବେ ସଂପୃକ୍ତ ରାଜସ୍ବ ନିରୀକ୍ଷକ ଓ ତହସିଲଦାରଙ୍କୁ ଦାୟୀ କରାଯିବ । ସେଟଲ୍ ବା ସମାଧାନ ହୋଇନଥିବା ସୌରାତ୍ ଉତ୍ସ ଗୁଡିକର ସମ୍ପୂର୍ଣ୍ମ ତଥ୍ୟ ସହିତ ଫଟୋ ଉଠାଇ ରଖିବା ସହିତ ପ୍ରତି ୧୫ ଦିନ ଅନ୍ତରରେ ତାର ତଥ୍ୟ ପ୍ରଦାନ କରିବା ସହିତ ସେଗୁଡିକ ପରିଦର୍ଶନ କରି ନଜର ରଖନ୍ତୁ । ଜାତୀୟ ରାଜପଥ, ବ୍ଲକ୍ ସ୍ତରୀୟ ଉନ୍ନୟନ କାର୍ଯ୍ୟ ସକାଶେ ଆବଶ୍ୟକ ପଡୁଥିବା ମାଟି, ପଥର,ବାଲି ଇତ୍ୟାଦି ଆଗ୍ରହ ପ୍ରକାଶ କରି ଯୋଗାଇବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ସରକାରୀ ଜମି ଗୁଡିକର ଲିଜ୍ ପ୍ରୋସେସ୍ କାର୍ଯ୍ୟ ସଂଚାଳନ ଦିଗରେ ଦୃଢ ପଦକ୍ଷେପ ଗ୍ରହଣ କରନ୍ତୁ । ସରକାରୀ ସଂସ୍ଥାର ଉନ୍ନୟନ କାର୍ଯ୍ୟ ଦିଗରେ ଜମି ପ୍ରଦାନ କାର୍ଯ୍ୟରେ ବିଳମ୍ବ କରନ୍ତୁ ନାହିଁ । ଗ୍ରାମ କଣ୍ଟକ ପରମଭୋଗ କାର୍ଯ୍ୟରେ ରାଜସ୍ବ ଅଧିକାରୀମାନେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ରିପୋର୍ଟ ପ୍ରଦାନ କରନ୍ତୁ । କରୋନା କଟକଣା ମାନି ମେଳା ମାଧ୍ୟମରେ ଜିଲ୍ଲାରେ ୧୦ ହଜାର ପଟା ପ୍ରଦାନ କରାଯିବ । ଗ୍ରାମ କଣ୍ଟକ ପରମ ଭୋଗ କାର୍ଯ୍ୟରେ ଯେଉଁ ହିତାଧିକାରୀଙ୍କ ଆବେଦନ ଖାରଜ କରୁଛନ୍ତି ତାହାର କାରଣ ମାନ ଦର୍ଶାଇବାକୁ ଜଣାଇ ଦିଆଗଲା । ହିତାଧିକାରୀମାନେ ପଟ୍ଟା ପାଇବାରେ ଯେପରି ହଇରାଣ ହେବେନାହିଁ ସେଥିପ୍ରତି ଦୃଷ୍ଟିଦେଇ ଗୁଣବତ୍ତା ବା କ୍ବାଲିଟି କେଶ୍ ଗୁଡିକର ସମାଧାନ କରନ୍ତୁ । ଜନସାଧାରଣଙ୍କୁ ସେବା ଯୋଗାଇ ଦେବାହିଁ ସରକାରଙ୍କ ମୂଳ ଆଭିମୁଖ୍ୟ । ଓଡିଶା ଜନସେବା କାର୍ଯ୍ୟ ଅଧିକାର (ଓ.ଆର୍.ଟି.ପି.ଏସ୍.ଏ) ଆଇନ୍ ନିୟମ ପ୍ରକାରେ ହିତାଧିକାରୀ ମାନଙ୍କୁ ଯୋଗାଇ ଦିଆଯାଉଥିବା ଜାତିଗତ ପ୍ରମାଣପତ୍ର, ଆୟକର ପ୍ରମାଣପତ୍ର, ଉତ୍ତାରାଧିକାରୀ ପ୍ରମାଣ ପତ୍ର ଇତ୍ୟାଦି ପ୍ରମାଣ ପତ୍ର ଗୁଡିକ ନିଜଆଡୁ ଆଗ୍ରହ ପ୍ରକାଶ କରି ଶୀଘ୍ର ପ୍ରଦାନ କରିବା ଦିଗରେ ତତ୍ପରତା ପ୍ରକାଶ କରନ୍ତୁ । ହିତାଧିକାରୀ ମାନଙ୍କ ଠାରୁ ଆବେଦନ ପତ୍ରକୁ ଅପେକ୍ଷା ନକରି ରାଜସ୍ୱ ନିରୀକ୍ଷକ ଗଣ ସ୍ୱୟଂ ଭାବେ ଅବିଳମ୍ବେ ପ୍ରଦାନ କରନ୍ତୁ । ବାକି ରହିଥିବା ଆବେଦନ ପତ୍ର ଯେପରି ଶୂନ୍ୟ ହେବ ସେ ଦିଗରେ ତତ୍ପରତା ନେଇ କାର୍ଯ୍ୟ କରନ୍ତୁ । ପ୍ରତ୍ୟେକ ଶୁକ୍ରବାରଦିନ ମୋ ଗାଁ’ରେ ତହସିଲ ଆୟୋଜନ କରି ହିତାଧିକାରୀ ଗଣ ଯେପରି ପ୍ରଶାସନର ବିଶ୍ବାସଭାଜନ ହେବେ ସେହିଭଳି ସେବା ଯୋଗାନ୍ତୁ । ଗୋଚର ଜମିରେ ନରେଗାରେ ଗୋଶାଳା ପ୍ରସ୍ତୁତ ହେବ । ଏଥି ସକାଶେ କାର୍ଯ୍ୟପନ୍ଥା ସ୍ଥିର କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଡେପୁଟି କଲେକ୍ଟର (ରାଜସ୍ୱ) ବିଜୟାନନ୍ଦ ସେଠୀ, ଡେପୁଟି କଲେକ୍ଟର ଶରତ ଚନ୍ଦ୍ର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ବୋଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜଣାଇଛନ୍ତି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା

