ଭୁବନେଶ୍ୱର(ସମୃଦ୍ଧଓଡିଶା) ପୁରୀ ଜିଲ୍ଲାର କଣାସ ବ୍ଲକରେ ଦେଖାଯାଇଥିବା ଡାଇରିଆ ରୋଗ ପ୍ରତି ରାଜ୍ୟ ସରକାର ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତ୍ୟନ୍ତ ସମ୍ବେଦନଶୀଳ ଅଛନ୍ତି । ତାର ପ୍ରତିଫଳନ ସ୍ୱରୂପ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା. ନୀଳକଣ୍ଠ ମିଶ୍ର, ରାଜ୍ୟ ନିରୀକ୍ଷଣ ୟୁନିଟର ଏପିଡେମିଓଲୋଜିଷ୍ଟ ଡ଼. ସୁନୀତା ଜେନା ଏକ ଟିମ ସହିତ ଆଜି କଣାସ ବ୍ଲକର ଡାଇରିଆ ପ୍ରଭାବିତ ଗାଁ ଓ ଅଂଚଳ ଗୁଡିକର ପରିଦର୍ଶନରେ ଯାଇ ସାମ୍ପ୍ରତିକ ସ୍ଥିତି ଓ ପରିସ୍ଥିତର ମୂଲ୍ୟାଙ୍କନ କରିବା ସହ ବିଭାଗପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପର ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ ଓ ଚିକିତ୍ସାସେବାକୁ ଆହୁରି ଅଧିକ ବ୍ୟବସ୍ଥିତ କରିବା ପାଇଁ ପରାମର୍ଶ ଦେଇଛନ୍ତି । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା. ମିଶ୍ର କଣାସ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାଇରିଆ ପ୍ରଭାବିତ ଏବଂ ସେମାନଙ୍କୁ ଚିକିତ୍ସା କରୁଥିବା ଚିକିତ୍ସକମାନଙ୍କ ସହିତ ବିଷଦ ଆଲୋଚନା କରି ଚିକିତ୍ସା ଓ ଅନ୍ୟାନ୍ୟ ସେବାକୁ କିପରି ଅଧିକ ବ୍ୟବସ୍ଥିତ ଓ ସୁସଙ୍ଗଠିତ କରାଯାଇପାରିବ ସେ ବିଷୟରେ ପରାମର୍ଶ ଦେଇଥିଲେ । ସ୍ଥାନୀୟ ସ୍ୱାସ୍ଥ୍ୟ ଏବଂ ପ୍ରଶାସନିକ ଅଧିକାରୀଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଶ୍ରୀ ମିଶ୍ର ନିରାପଦ ପାନୀୟ ଜଳ ତାସହ ପରିମଳ ଓ ବର୍ଜ୍ୟବସ୍ତୁ ସୁପରିଚାଳନା ମାଧ୍ୟମରେ ଏହି ସମସ୍ୟାର କିଭଳି ସମାଧାନ କରାଯାଇପାରିବ ତା ଉପରେ ଗୁରୁତ୍ୱାରୋପ କରିଥିଲେ । ନୂଆଗାଁ ଏବଂ ଜାଗୁଳେଇପଦର ଗ୍ରାମର କ୍ଷେତ୍ର ପରିଦର୍ଶନ ସମୟରେ ଡାଇରିଆକୁ ନିୟନ୍ତ୍ରଣ କରିବା ପାଇଁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଗୋଷ୍ଠୀ ସଚେତନତା ଏବଂ ଅନ୍ତର୍ବିଭାଗୀୟ ସମନ୍ୱୟର ବ୍ୟାପକ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ଅବରୋଧିତ କେନାଲଗୁଡିକୁ ସଫା କରିବା ଏବଂ ପ୍ରଭାବିତ ଗ୍ରାମଗୁଡିକୁ ଅତିରିକ୍ତ ପାନୀୟ ଟ୍ୟାଙ୍କର ଯୋଗାଇ ଦେବାକୁ ସେ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି । ପରିଷ୍କାର-ପରିଚ୍ଛନତା ଏବଂ ଶୌଚାଳୟ ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ସମ୍ପୃକ୍ତ ଗାଁ ଗୁଡିକରେ ଏକ ବିସ୍ତୃତ ସୂଚନା, ଶିକ୍ଷା, ଏବଂ ଯୋଗାଯୋଗ (IEC) ଅଭିଯାନର ଆବଶ୍ୟକତାକୁ ସେ ପରିଲିଖିତ କରିଥିଲେ । ଦୂଷିତ ନଦୀ ଜଳର ବ୍ୟବହାରକୁ ନିରୁତ୍ସାହିତ କରିବା ଏବଂ ଅଞ୍ଚଳବାସୀଙ୍କୁ ସୁରକ୍ଷିତ ଜଳ ଉତ୍ସ ସମ୍ପର୍କରେ ସଚେତନ କରିବାରେ ସ୍ଥାନୀୟ ନେତୃମଣ୍ଡଳୀ ଓ ସ୍ୱେଚ୍ଛାସେବୀମାନଙ୍କର ଏକ ପ୍ରମୁଖ ଭୂମିକା ରହିଛି । ଜନସଚେତନତାକୁ ସୁନିଶ୍ଚିତ କରିବାକୁ ସେ ସ୍ୱାସ୍ଥ୍ୟ ଓ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ସମସ୍ୟାକୁ ସଫଳତାର ସହ ମୁକାବିଲା କରିବା ଏବଂ ଭବିଷ୍ୟତରେ ଘଟିବାକୁ ନ ଦେବା ପାଇଁ ବିଭିନ୍ନ ଅଂଶୀଦାରମାନଙ୍କୁ ଏକତ୍ରିତ କରି ଏକ ବହୁ-ବିଭାଗୀୟ ଆଭିମୁଖ୍ୟର ଆବଶ୍ୟକତା ଉପରେ ସେ ଆଲୋକପାତ କରିଥିଲେ । ନିୟମିତ କ୍ଷେତ୍ର ପରିଦର୍ଶନ ଓ ସ୍ଥିତି ଅନୁଧ୍ୟାନ କରାଯିବ ବୋଲି ସେ ପ୍ରକାଶ କରିଥିଲେ । ରାଜ୍ୟ ସରକାରଙ୍କ ମାର୍ଗଦର୍ଶନରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ତ୍ୱରିତ ଓ ସମୟୋଚିତ ପଦକ୍ଷେପ ଗ୍ରହଣ ଏବଂ ଜନସ୍ୱାସ୍ଥ୍ୟର ସୁରକ୍ଷା ଉପରେ ସର୍ବାଧିକ ପ୍ରାଧାନ୍ୟ ଦେଇଆସୁଛି । ସଚେତନ ହୁଅନ୍ତୁ, ସୁରକ୍ଷିତ ରୁହନ୍ତୁ ।
ରିପୋର୍ଟ : ସୌରଭ ପ୍ରଧାନ, ସୂଚନା ଅଧିକାରୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ