ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଲକ ଅଧିନ ନାମ୍ପୋ ଫାଣ୍ଡି ନିକଟରେ ପାଣି ରାସ୍ତା ଅବରୋଧ ହୋଇଥିବାରୁ ହଜାର ହଜାର ଏକର ଚାଷଜମି ନଷ୍ଟ ହୋଇଯାଇଛି । ଚଳିତବର୍ଷ ଲଗାଣ ବର୍ଷା ଫଳରେ ପାଣି ନିଷ୍କାସନ ହୋଇନପାରିବାରୁ ମାସ ମାସ ଧରି ବର୍ଷାପାଣି ଚାଷଜମିରେ ଲହଡି ଭାଙ୍ଗୁଛି । ଗ୍ରାମର କେତେକ ଲୋକଙ୍କ ଘରେ ପାଣି ପଶିଥିବା ବେଳେ ଚାଷୀମାନେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ । ଅଦ୍ୟାବଧି ସମସ୍ୟାର ସମାଧାନ ହୋଇ ନ ପାରିବାରୁ ଚାଷୀମାନେ ପ୍ରଶାସନକୁ ଜଣାଇ ଜଳେଶ୍ୱର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ମଧ୍ୟାହ୍ନରୁ ଆମରଣ ଅନଶନରେ ବସିଛନ୍ତି । ମଙ୍ଗଳବାର ନିର୍ବାହୀଯନ୍ତ୍ରୀ ଆସି ଆନ୍ଦୋଳନକାରୀମାନଙ୍କ ସହିତ ଆଲୋଚନା କରିଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରୁ ନଥିବାରୁ ପରିସ୍ଥିତି ଜଟିଳ ହେବାରେ ଲାଗିଛି । ସୂଚନାଯୋଗ୍ୟ ଆନ୍ଦୋଳନକାରୀ ଚାଷୀ ସୁଧିର ଭୂୟାଁ ମଂଗଳବାର ହଠାତ୍ ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ତୁରନ୍ତ ଚିକିତ୍ସିତ କରାଯାଇଥିଲା । ଆନ୍ଦୋଳନକାରୀମାନେ ଉପଜିଲାପାଳ ଆଶିଷ ପାଟିଲ ଓ ନିର୍ବାହୀ ଯନ୍ତ୍ରୀଙ୍କୁ ଫୋନଯୋଗେ ଆଲୋଚନା କରିଥିଲେ ମଧ୍ୟ ତାହା ସୁଫଳ ମିଳିନାହିଁ । ଏହି ଆନ୍ଦୋଳନକୁ ବିଜେପି ପକ୍ଷରୁ ସମର୍ଥନ କରାଯାଇ ବହୁ କର୍ମୀ ଓ ନେତା ସାମିଲ ଥିବା ଜଣାଯାଇଛି । ଜଗଦିଶ ପ୍ରଧାନ, ବିଜୟ କୁମାର ପାତ୍ର, ଜ୍ୟୋତିବ୍ରହ୍ମ ଦେ, ସୁଧିର କୁମାର ଭୂୟାଁ, ପ୍ରଣବ ବାରିକ, ରବିନ୍ଦ୍ର ଜେନାଙ୍କ ସହିତ ବହୁ ଚାଷୀ ଅନଶନରେ ବସିଥିବା ଜଣାଯାଇଛି । ଏ ସମ୍ପର୍କରେ ସହକାରୀଯନ୍ତ୍ରୀ ଅଶୋକ ପଣ୍ଡାଙ୍କୁ ପଚାରିବାରୁ ବଡ ପୋଲ ଠାରୁ କଟିପୋଲ ପର୍ଯ୍ୟନ୍ତ ଏକ କଂକ୍ରିଟ ନାଳ ନିର୍ମାଣ କରାଯିବା ସଂପର୍କରେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଥିବା ସମ୍ପର୍କରେ ସୂଚନା ଦେଇଥିଲେ ।
ରିପୋର୍ଟ : ଭୂପତି ପରିଡା