ଜଳେଶ୍ୱର ପୌରପରିଷଦରେ ପିଠା କାର୍ଯ୍ୟକ୍ରମର ଶୁଭାରମ୍ଭ…

ଜଳେଶ୍ୱର(ସମୃଦ୍ଧ ଓଡିଶା)ସମଗ୍ର ଓଡିଶାରେ ବ୍ଲକ ସ୍ତରୀୟ ପିଠା କାର୍ଯ୍ୟକ୍ରମ ଶେଷ ହୋଇଥିଲେ ମଧ୍ୟ ଆଜି ବିଭିନ୍ନ ସହରାଞ୍ଚଳରେ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ଜଳେଶ୍ୱର ପୌରପରିଷଦର ୧୭ଟି ୱାର୍ଡ ମଧ୍ୟରୁ ୫ଟି ସ୍ଥାନ ସେକ୍ବାର୍ଡ, ପଥରପୁରା, ମଙ୍ଗଳାତଳା, ଅଲାଲପୁର ଓ ନୂଆବଜାରଠାରେ ଏହି କାର୍ଯ୍ୟକୟମ ଅନୁଷ୍ଠିତ ହୋଇଛି । ଜଳେଶ୍ୱର ହାଇସ୍କୁଲ ପଡିଆଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ବିଧାୟକ ଅଶ୍ୱିନୀ କୁମାର ପାତ୍ର ଉଦଘାଟନ କରି ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଓ ବିକାଶ ସଂପର୍କରେ ଜନସାଧାରଣଙ୍କୁ ସଚେତନ କରାଇଥିଲେ । ନିର୍ବାହୀ ଅଧିକାରୀ ଗିରିଧାରୀ ବାରିକଙ୍କ ପୌରହିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ନଗରପାଳ ପ୍ରବୀର କୁମାର ପ୍ରଧାନ, ମେଡିକାଲ ଅଫିସର ଡା, ଗଣେଶ ଚନ୍ଦ୍ର ପାଳ, ଆର୍ଟିଏ ସଭ୍ୟ କନିଷ୍କ ବୋଧିସତ୍ୱ ଦାସ ପ୍ରମୁଖ ଅତିଥିରୂପେ ଯୋଗ ଦେଇ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଆଭିମୂଖ୍ୟ ସଂପର୍କରେ ଆଲୋକପାତ କରିଥିଲେ । ପୂର୍ବତନ କାଉନ୍ସିଲର ପ୍ରତୀପ କୁମାର ପ୍ରଧାନ, ବିଶ୍ୱଭୂଷଣ ଦାସ, ଅର୍ଚ୍ଚନା ଗିରି, ସତ୍ୟ ଦାସ ମହାପାତ୍ର, ସଂଜୀବ ପାଳ, ଜନସ୍ୱାସ୍ଥ୍ୟ ବିଭାଗର କନିଷ୍ଠ ଯନ୍ତ୍ର ଇଂ ରତନ କୁମାର ମାଝୀ, ସମାଜସେବୀ କମଳ ଚକ୍ରବର୍ତ୍ତୀ, ଜଳେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁନୀଲ କୁମାର ନାୟକ ଓ ସିଓ ଜ୍ୟୋତ୍ସାରାଣୀ ପତି ପ୍ରମୁଖ ଉପସ୍ଥିତ ରହି ସ୍ୱୟଂ ସହାଗୋଷ୍ଠୀର ମହିଳା ଓ ଜନସାଧାରଣଙ୍କୁ କାର୍ଯ୍ୟକ୍ରମର ଗୁରୁତ୍ୱ ସଂପର୍କରେ ବୁଝାଇଥିଲେ । କିନ୍ତୁ ଉଦ୍ଘାଟନ ପରେ ୪ଟି ୱାର୍ଡରୁ ଆସିଥିବା ୩୦ଟି ସ୍ୱୟଂ ସହାୟକଙ୍କ ଲାଗି ବସିବା ଓ ପିଠା ପ୍ରଦର୍ଶନ କରିବାର ବିଶେଷ ବ୍ୟବସ୍ଥା ନ ଥିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା ଓ ସ୍ୱୟଂ ସହାୟକ ଗୋଷ୍ଠୀର କେତେକ ସଭ୍ୟା ପୌରପରିଷଦ କାର୍ଯ୍ୟାଳୟ ଘେରାଓ କରିଥିଲେ । ସେମାନଙ୍କୁ ନିର୍ବାହୀ ଅଧିକାରୀ ବୁଝାସୁଝା କରାଇ କ୍ଷାନ୍ତ କରାଇଥିଲେ ହେଁ ଏଥିପାଇଁ ସିଓ, ଆସିଡିଏସ୍ ସୁପରଭାଇଜର ଓ ଅନ୍ୟ ପ୍ରଶାସନିକ ଅଧିକାରୀ ମାନେ ଦାୟୀ କରାଯାଇଛି । ଏପରିକି ପିଠା କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ, ଜଳଯୋଗାଣ, ବିଦ୍ୟୁତ୍, ଶିକ୍ଷା, ଅଗ୍ରଣୀ ବ୍ୟାଙ୍କ ବିଭାଗର କର୍ମକର୍ତ୍ତା ଆବାସ ଯୋଜନା, ଯୋଗାଣ ବିଭାଗ କର୍ମକର୍ତ୍ତା ଉପସ୍ଥିତ ରହି ଜନସାଧାରଣଙ୍କୁ ସଚେତନ କରାଇବା ନିୟମ ଥିଲେ ମଧ୍ୟ କୌଣସି ସ୍ଥାନକୁ ସଂପୃକ୍ତ ବିଭାଗର କର୍ମଚାରୀମାନେ ନ ଯାଉଥିବାରୁ ରାଜ୍ୟସରକାରଙ୍କ ପିଠା ଯୋଜନାର ସୁଫଳ ମିଳୁ ନାହିଁ ବୋଲି ସାଧାରଣରେ ଆଲୋଚନା ହେଉଛି ।

ରିପୋର୍ଟ : ଭୂପତି କୁମାର ପରିଡା