ଜଳେଶ୍ୱର ବ୍ଲକରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ…

ଜଳେଶ୍ୱର(ସମୃଦ୍ଧ ଓଡିଶା)ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଜଳେଶ୍ୱର ବ୍ଲକର ନୁଆବଜାର ଉଚ୍ଚ ବିଦ୍ୟାଳୟ ପରିସରରେ ୮ତାରିଖ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଜଳେଶ୍ୱର ବ୍ଲକର ୩୫ଟି ଗ୍ରାମପଂଚାୟତରୁ ବହୁ ବୃଦ୍ଧବୃଦ୍ଧା ଓ ଶାରିରୀକ ଭିନ୍ନକ୍ଷମ ମାନେ ଯୋଗ ଦେଇଥିଲେ । ସକାଳ ୮ଟାରୁ ଏହି ଭିନ୍ନକ୍ଷମ ମାନେ ଆସି ଭିଡ ଜମାଇ ଥିଲେ ମଧ୍ୟ ବାଲେଶ୍ୱର ସ୍ୱାସ୍ଥ୍ୟ ବିଭାଗରୁ ଡାକ୍ତରମାନେ ଦିନ ୧୧ଟା ପ୍ରର୍ଯ୍ୟନ୍ତ ଆସି ପହଂଚି ପାରି ନ ଥିଲେ । ଫଳରେ ଭିନ୍ନକ୍ଷମ ମାନେ ଖରାରେ ଧାଡି ଲଗାଇ ଛିଡା ହୋଇଥିବାର ଦେଖା ଯାଇଥିଲା । ଜଳେଶ୍ୱର ବ୍ଲକ ଆଇ.ସି.ଡି.ଏସ୍ ତଥା ବ୍ଲକ କର୍ମଚାରୀ ମାନଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ହୋଇଥିଲା ବେଳେ ବହୁ ଅବ୍ୟବସ୍ଥା ମଧ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାର ପରିଲକ୍ଷିତ ହୋଇଥିଲା । ଶତକଡା %୧୦୦ଭାଗ ଭିନ୍ନକ୍ଷମ ଥିବା ଲୋକମାନେ ପ୍ରତିବର୍ଷ ଏହି ଶିବିରରେ ଯୋଗଦେଇ ମଧ୍ୟ ପ୍ରମାଣ ପତ୍ର ପାଇବାରୁ ବଂଚିତ ରହିଥିବାର ଜଣାଯାଇଛି । ଚମାରଗାଁ ଗ୍ରାମ ପଂଚାୟତର ଚାଫଲା ଗ୍ରାମର ରାମଶଙ୍କର ଦତ(୫୮), ନଶ୍ଚିମପୁର ଗ୍ରା.ପ.ର ନାଙ୍ଗୁଡସାହି ଗ୍ରାମର ସ୍ୱାଧୀନ ପାତ୍ର(୬), କୋଟସାହି ଗ୍ରାମ ପଂଚାୟତର ହାଉଡା ଟୁଡୁ ଓ ମାଳତୀ ଟୁଡୁ (୩୨) ପ୍ରମୁଖ ବହୁ ଭିନ୍ନକ୍ଷମ ମାନେ ଏହିପରି ପ୍ରତିବର୍ଷ ଶିବିରରେ ଯୋଗ ଦେଇ ପ୍ରମାଣ ପତ୍ର ପାଇବାରୁ ବଂଚିତ ହେଉ ଥିବାର କହିଛନ୍ତି । ସେହିପରି ରାଇବଣିଆ ଅଂଚଳର କାଳିକ ସରପଂଚ ବିଜୟ ବେହେରା, ସମିତି ସଭ୍ୟା ମାନି ପାତ୍ର, ରାଇବଣିଆ ସରପଂଚ ଦେବସ୍ମୀତା ଘୋଷ, ଚମାରଗାଁ ସମିତି ସଭ୍ୟ ରବିନ୍ଦ୍ର ପାତ୍ର, ସର୍ଦ୍ଦାରବନ୍ଧ ସରପଂଚ ଦିଲ୍ଲୀପ ସାମଲ ପ୍ରମୁଖ ଦାବୀ କରିଛନ୍ତି ଯେ ଓଲମରା, ଶ୍ୟାମନଗର, ଖୁଆଡ, ମାଙ୍କିଡିଆ ପ୍ରଭୁତି ଗ୍ରାମ ପଂଚାୟତ ଜଳେଶ୍ୱର ଠାରୁ ୩୦କି.ମି ଦୂରରେ ହୋଇ ଥିବାରୁ ଭିନ୍ନକ୍ଷମ ମାନେ ଏତେ ଦୂର ଯିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତେଣୁ ଅନ୍ୟ ଏକ ଭିନ୍ନକ୍ଷମ ଶିବିର ଏହି ଅଂଚଳରେ କରିବା ପାଇଁ ଦାବୀ କରିଛନ୍ତି । ଏହି ଶିବିରରେ ମୋଟ ୯୩୭ ଜଣ ଭିନ୍ନକ୍ଷମ ଯାଂଚ କରାଇ ଥିବା ବେଳେ ଅସ୍ଥିଶଲ୍ୟ ବିଭାଗରେ ୪୧୧ଜଣ, ଚକ୍ଷୁ ବିଭାଗରେ ୧୩୦, ମୁକ ବଧିର ବିଭାଗରେ ୨୨୩ ଓ ମାନସିକ ଅନଗ୍ରସର ୧୬୪ଜଣ ଭିନ୍ନକ୍ଷମଙ୍କର ଯାଂଚ କରା ଯାଇଥିଲା । ଏହି ଶିବିରକୁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ କମଳାକାନ୍ତ େହେରା, ବିଡିଓ ନିତ୍ୟାନନ୍ଦ ସାହୁ, ଜଳେଶ୍ୱର ଆଇ.ଆଇ.ସି ପ୍ରଦୀପ ମାଝୀ ତଥା ଜି.ଆର୍.ଏସ୍ ମାନଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା ।

ରିପୋର୍ଟ:ଭୂପତି କୁମାର ପରିଡା