ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱର ମ୍ୟୁନିସିପାଲଟି ପଶ୍ଚିମବଂଗ ପ୍ରଦେଶକୁ ଲାଗି ରହିଛି । ୨୦୧୪ ମସିହାରେ ଏନ୍ଏସିରୁ ମ୍ୟୁନିସିପାଲଟିକୁ ମାନ୍ୟତା ପାଇବା ପୂର୍ବରୁ ଏହାର ୧୭ଟି ୱାର୍ଡର ସଫେଇ ପାଇଁ ମାସକୁ ୨ଲକ୍ଷ ୯୮ ହଜାର ଟଙ୍କା ଏକ ଘରୋଇ କମ୍ପାନୀ ଦ୍ୱାରା କରାଯାଉଥିଲା । ୨୦୧୮ ମସିହାଠାରୁ ମାସକୁ ୮ ଲକ୍ଷ ୭୬ ହଜାର ଟଙ୍କା ଖର୍ଚ୍ଚରେ ୧୭ଟି ୱାର୍ଡରେ ସଫେଇ କରିବା ପାଇଁ ଏକ ଘରୋଇ ସଂସ୍ଥାକୁ ଦିଆଯାଇଥିଲେ ମଧ୍ୟ ଜଳେଶ୍ୱରର ମୁଖ୍ୟ ରାସ୍ତାକୁ ଛାଡି ଅନ୍ୟ ଗ୍ରାମାଞ୍ଚଳ ରାସ୍ତାକୁ ସଫେଇ କରାଯାଉ ନଥିବାର ଅଭିଯୋଗ ହୋଇଛି । ଠିକାଦାର ପ୍ରତିଦିନ ୬୨ଜଣ ସଫେଇ କର୍ମଚାରୀଙ୍କ ଦ୍ୱାରା ସଫେଇ କରାଯିବାର ଚୁକ୍ତି ହୋଇଥିଲେ ମଧ୍ୟ ସେମାନଙ୍କର ନାମ ପ୍ରକାଶ କରାଯାଉନାହିଁ । ସ୍ୱଳ୍ପ ଲୋକଙ୍କ ନେଇ ଏପରି କାର୍ଯ୍ୟ କରି ଠିକାଦାର ମାଲେମାଲ ହେଉଥିବା ବେଳେ ପୌର ଅଧିକାରୀଙ୍କ ସହିତ ମଧୁଚନ୍ଦ୍ରିକା ଥିବାର ଅଭିଯୋଗ ହେଉଛି । ସ୍ୱଚ୍ଛ ସାଥିରେ ଅନିୟମିତତା, ମ୍ୟୁନିସିପାଲଟି ଅଫିସ୍ ମଧ୍ୟରୁ ୫୦ଟି ଫାଇଲ୍ ଚୋରି ହେବା, କଂକ୍ରିଟ ରାସ୍ତାଗୁଡିକ ନିମ୍ନମାନର ହେବା, ରେସନ୍କାର୍ଡ ଓ ଆବାସ ଯୋଜନାରେରେ ଘୋଟାଲା ହେବା ଇତ୍ୟାଦି ବିଭିନ୍ନ ଦାବି ନେଇ ଜଳେଶ୍ୱର ସଚେତନ ନାଗରିକ ମଞ୍ଚ ଓ ଜଳେଶ୍ୱର ବିକାଶ ପରିଷଦର ମନୋରଂଜନ ଦାସ, ଆଶିଷ କୁମାର ଗିରି, ରାଧାରାଣୀ ପାତ୍ର, କେଶବ ଚନ୍ଦ୍ର ସାହୁ, ନିତ୍ୟାନନ୍ଦ ଦାସ, ସନାତର ପାତ୍ର, ବାସନ୍ତି ପାଳ, ମାଧବି ପାତ୍ର ପ୍ରମୁଖ ବହୁ ବ୍ୟକ୍ତି ଉପଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏ ସଂପର୍କରେ ପୌରଅଧିକାରୀ ଅଜୟ କୁମାର ମହାପାତ୍ରଙ୍କୁ ଫୋନ୍ରେ ଯୋଗାଯୋଗ କରିବାରୁ ଜଳେଶ୍ୱର ମ୍ୟୁନିସିପାଲଟି ସହରାଞ୍ଚଳ ଓ ଗ୍ରାମାଞ୍ଚଳକୁ ନେଇ ଗଠିତ ହୋଇଥିଲେ ମଧ୍ୟ ସମସ୍ତ ସ୍ଥାନରେ ସଫେଇ କାର୍ଯ୍ୟ ହେଉଛି । ଏଥିଲାଗି ୪ଟି ଗାଡି ନିୟୋଜିତ ହୋଇଛି । କୌଣସି ସ୍ଥାନରୁ ଅଭିଯୋଗ ଆସିଲେ ତାହା ସେ ନିଜେ ଏହାକୁ ସମାଧାନ କରୁଛନ୍ତି ବୋଲି କହିଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା