ଜଳେଶ୍ୱର ଷ୍ଟେସନବଜାର ବସ୍‌ଷ୍ଟାଣ୍ଡରେ ଯାତ୍ରୀ ବିଶ୍ରାମାଗାର ଉଦ୍‌ଘାଟିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱର ମ୍ୟୁନିସିପାଲ୍‌ଟି ଏକ ଉପାନ୍ତ ଅଂଚଳ ହୋଇଥିବାରୁ ଏଠାରୁ ଓଡିଶା ଓ ପଶ୍ଚିମବଂଗର ବିଭିନ୍ନ ସ୍ଥାନକୁ ବସ୍ ଯାତ୍ରା ହୋଇଥାଏ । ବହୁ ଆନ୍ତରାଜ୍ୟ ବସ୍‌ଗୁଡିକ ଏଠାରେ ଅଟକୁ ଥିବାରୁ ଅନେକ ସମୟରେ ଯାତ୍ରୀମାନଙ୍କୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡେ । ହେଲେ ଏଠାରେ କୌଣସି ଯାତ୍ରୀ ବିଶ୍ରାମାଗାର ନ ଥିବାରୁ ଯାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ବର୍ଷା, ଖରା, କାକରରେ ନିଜର ଛୁଆପିଲାଙ୍କୁ ଓ ଆସବାପତ୍ର ଧରି, ଦୀର୍ଘ ସମୟ ବିଭିନ୍ନ ଦୋକାନ ପିଣ୍ଡାମାନଙ୍କରେ ଅପେକ୍ଷା କରିବାକୁ ପଡିଥାଏ ଯାତ୍ରୀମାନଙ୍କୁ । ଏହାକୁ ଲକ୍ଷ୍ୟକରି ଜଳେଶ୍ୱର ବସ୍‌ଷ୍ଟାଣ୍ଡରେ ଏକ ଯାତ୍ରୀ ବିଶ୍ରାମାଗାରକୁ ଆଜି ଶୁକ୍ରବାର ମଧ୍ୟାହ୍ନରେ ବିଧାୟକ ଅଶ୍ୱିନୀ କୁମାର ପାତ୍ର ଲୋକାର୍ପିତ କରିଛନ୍ତି । ସେଠାରେ ଥିବା ଏହି ବିଶ୍ରାମାଗାରକୁ ଲାୟନ୍ସ କ୍ଲବ୍ ମରାମତି କରିଆସୁଥିଲେ । ଆଜି ଉଦ୍‌ଘାଟନ ପୂର୍ବରୁ ସେଠାରେ ବସ୍ ମାଲିକ ସଂଘ ଓ ଲାୟନ୍ସ କ୍ୱବ ମଧ୍ୟରେ ସାମାନ୍ୟ ଉତ୍ତେଜନା ସୃଷ୍ଟି ହୋଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସହମତିରେ ତାହା ଉଦ୍‌ଘାଟିତ ହୋଇ ଯାଇଛି । ବିଧାୟକଙ୍କ ହାତପାଣ୍ଠି ଅର୍ଥ ଓ ଲାୟନ୍ସ କ୍ଲବର ମିଳିତ ଆର୍ଥୀକ ସହାୟତାରେ ତାହା ଆଜି ଉଦ୍‌ଘାଟିତ ହୋଇଥିବାରୁ ସ୍ଥାନୀୟ ବାସିନ୍ଦା ଓ ଯାତ୍ରୀମାନଙ୍କ ମଧ୍ୟରେ ଆନନ୍ଦର ଲହରି ଖେଳି ଯାଇଛି । ଏହି ଉଦ୍‌ଘାଟନ ଉତ୍ସବରେ ମ୍ୟୁନିସିପାଲଟିର କାର୍ଯ୍ୟନିର୍ବାହୀ ଅଧିକାରୀ ଅଜୟ କୁମାର ମହାପାତ୍ର, ଲାୟନ୍ସ କ୍ଲବ ସଭାପତି କପିଳେଶ୍ୱର ମହାନ୍ତି, ଅରୁଣ କୁମାର ରାଠି, ଶିରିଷ ଚୌହାନ୍‌, ସେକ୍ ସବିର, ରାଜେଶ ଠକ୍କର, ମୁଲଚାନ୍ଦ ଲାଢା, ସେକ୍ ସୌଫୁଦ୍ଦିନ, ମନୋଜ ଜୈନ, ବିନୋଦ କୁମାର ସାହୁ, ବିବେକ ଜୈନ ଓ ବସ୍‌ମାଲିକ ସଂଘର ସଭାପତି କାହ୍ନୁଚରଣ ପାତ୍ର, ବଣିକ ସଂଘ ସଭାପତି ସୁଧିର କୁମାର ମହାନ୍ତି, ସେକ୍‌ଡ଼ ରିଆଜ୍ ଖାଁ, ଶଂକର ଘୋଷ, ସଂଜିବ ପାଳ, ସେକ୍ ଅବଦୁଲ, ବିଜୟ କାମିଳା, ଅର୍ଚ୍ଚନା ଗିରି, ଗୁରୁପ୍ରସାଦ ଚୌରାସିଆ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା