ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ପୌରପରିଷଦ ୨୦୧୪ ମସିହାରେ ଘୋଷଣା ହେବାପରେ ବିଭିନ୍ନ ସମୟରେ ଆର୍ଥୀକ ସଂକଟ ଭିତରେ ଗତି କରୁଥିବାରୁ କୌଣସି ନିର୍ଦ୍ଦିଷ୍ଟ ଯୋଜନା ପ୍ରଣୟନ କରିବାରେ ବିଫଳ ହେଉଛି । ସହରର କେନ୍ଦ୍ରସ୍ଥଳରେ ଥିବା ପରିତ୍ୟକ୍ତ ଟାଉନହଲଟି ଦୀର୍ଘଦିନ ଧରି ଅସମାଜିକ ବ୍ୟକ୍ତିମାନଙ୍କର ଆଡ୍ଡାସ୍ଥଳ ପାଲଟିଛି । ସହର ମଝିରେ ଏହି ଟାଉନହଲ ତତ୍କାଳୀନ ବିଧାୟକ ଜୟନାରାୟଣ ମହାନ୍ତିଙ୍କ ଉଦ୍ୟାମ କ୍ରମେ ହୋଇଥିଲେ ସୁଦ୍ଧା ଏହା କୌଣସି ସଭା ସମିତି, ବିବାହ, ବ୍ରତ ଘର ପାଇଁ ବ୍ୟବହାର କରାଯାଉନଥିବାରୁ ଏ ଦିଗରେ ପୌର ପରିଷଦ ପ୍ରତ୍ୟେକ ବର୍ଷ ରାଜସ୍ୱ ହରାଉଛି । ମାତ୍ର ଏହି ପୌରପରିଷଦର ଟାଉନହଲ ଚାରିପଟେ ଘରୋଇ ଜାଗା ଥିବା ହେତୁ ସରକାରୀ ରାସ୍ତା ନଥିବା ଫଳରେ ଏହାକୁ ପୁନଃ ନିର୍ମାଣ କରାଯାଉ ନାହିଁ ବୋଲି ପୌରକର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି । ଏପରିସ୍ଥଳେ ଏକ ସରକାରୀ ଜାଗାରେ ଟାଉନହଲ ନିର୍ମାଣ କରିବା ପାଇଁ ଜଳେଶ୍ୱର ସୋତନ ନାଗରିକ ମଂଚର ସଭାପତି ସିଦେ୍ଧଶ୍ୱର ପଣ୍ଡା ଓ ସଂପାଦକ ସୁବ୍ରତବେରା କର୍ତ୍ତୃପକ୍ଷଙ୍କ ନିକଟରେ ଦାବୀ କରିଛନ୍ତି । ପୁନଃଶ୍ଚ ଜଳେଶ୍ୱର ସହର ମଧ୍ୟରେ ଥିବା ପୁତ୍ତବିର୍ଭାଗ ଅଧିକୃତ ସ୍ଥ।ନକୁ ଜବରଦଖଲ ଉଚ୍ଛେଦ କରାଯାଇ ଉକ୍ତ ଜାଗାରେ ପୌରପରିଷଦ ଦ୍ୱାରା ଦୋକାନ ଗୃହ ନିର୍ମାଣ କରାଯାଇ ବିସ୍ତାପିତ ହେଉଥିବା ଦୋକାନୀ ମାନଙ୍କୁ ଭଡାସୂତ୍ରେ ଦୋକାନ ଗୃହ ଆବଣ୍ଟନ କରାଗଲେ ପରିଷଦର ରାଜସ୍ୱ ବୃଦ୍ଧି ପାଇବ ବୋଲି ମଂଚ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗ ଯଥାଶୀଘ୍ର ଏହି ସମସ୍ୟା ପ୍ରତି ଦୃଷ୍ଟି ଦେବା ପାଇଁ ସହରବାସୀ ଦାବି କରିଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା