ଜଳେଶ୍ୱର ସୀମାନ୍ତ ମହୋତ୍ସବ ଉଦଘାଟିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ନୂଆ ବଜାର ଠାରେ ଗତକାଲି ସନ୍ଧ୍ୟାରେ ସୀମାନ୍ତ ମହୋତ୍ସବ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି । ସୀମାନ୍ତ ମହୋତ୍ସବର ସଭାପତି ଚିନ୍ମୟ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସାଂସଦ ଇଂ.ରବିନ୍ଦ୍ରକୁମାର ଜେନା, ମୁଖ୍ୟ ବକ୍ତା ଭାବେ ବିଧାୟକ ଅଶ୍ୱିନୀ କୁମାର ପାତ୍ର, ସମ୍ମାନିତ ଅତିଥି ଭାବେ ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ତଥା ପୂର୍ବତନ ଜିଲ୍ଲା ପରିଷଦର ଅଧ୍ୟକ୍ଷ ଗିରିଶ ଚନ୍ଦ୍ର ଦାଶ, ପୂର୍ବତନ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ପାଠୀ, ଜଳେଶ୍ୱର ବ୍ଲକ ଉପାଧ୍ୟକ୍ଷ ବ୍ରଜ ମୋହନ ପ୍ରଧାନ ପ୍ରମୁଖ ଯୋଗଦେଇ ମହୋତ୍ସବ ଭାଇଚାରା ସୃଷ୍ଟି କରିଥାଏ ବୋଲି ମତବ୍ୟକ୍ତ କରିଥିଲେ । ମହୋତ୍ସବ କମିଟିର କାର୍ଯ୍ୟକାରୀ ସଭାପତି କମଳ ଚକ୍ରବର୍ତ୍ତୀ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ପୂର୍ବତନ କାଉନସିଲର ପ୍ରତୀପ କୁମାର ପ୍ରଧାନ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଶିକ୍ଷକ ସରୋଜ କୁମାର ପାଣିଗ୍ରାହୀ ଓ ଅଧ୍ୟାପକ ସତ୍ୟମୟ ଆଚାର୍ଯ୍ୟ ମଂଚ ଆମନ୍ତ୍ରଣ କରିବା ସହ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଜଳେଶ୍ୱର ନୋଡାଲ ଉଚ୍ଚବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ । ରାତ୍ରୀରେ ଶଙ୍ଖନାଦ ପ୍ରତିଯୋଗୀତା, ଯୋଡିଶଙ୍ଖ, ରଣପା ନୃତ୍ୟ ଏବଂ ମେଲୋଡି କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି ଅବସରରେ ଶିକ୍ଷକ ସୁନୀଲ କୁମାର ନାୟକ, ଡଃ ସ୍ମୃତିରଂଜନ ଦାସ, ଅଶୋକ କୁମାର ମହାନ୍ତି, ସନ୍ଦୀପ ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ରିପୋର୍ଟ : ଭୂପତି କୁମାର ପଟ୍ଟନାୟକ