ଜଳେଶ୍ୱର (ସମୃଦ୍ଧ ଓଡିଶା) ପ୍ରତିବର୍ଷ ଡିସେମ୍ବର ୪ର୍ଥ ସପ୍ତାହରେ ଜଳେଶ୍ୱର ନୂଆ ବଜାର ହାଇସ୍କୁଲ ପଡିଆରେ ଦି ସ୍ପୋର୍ଟସ୍ ଏଣ୍ଡ କଲ୍ଚୁରାଲ ଏସୋସିଏସନ ପକ୍ଷରୁ ଆରମ୍ଭ ହୋଇଥାଏ ସୀମାନ୍ତ ମହୋତ୍ସବ । ଚଳିତ ବର୍ଷ ଏହା ଡିସେମ୍ବର ୨୧ରୁ ୩୦ ପର୍ଯ୍ୟନ୍ତ ହେବାଲାଗି ସ୍କୁଲ କର୍ତ୍ତୃପକ୍ଷ ଓ ଜିଲ୍ଲା କର୍ତ୍ତୃପକ୍ଷଙ୍କୁ ସଭାପତି ଚିନ୍ମୟ କୁମାର ଦାସ ଆବେଦନ କରିଛନ୍ତି । ଅନ୍ୟ ପକ୍ଷରେ ସେହି ନିର୍ଦ୍ଦିଷ୍ଟ ସ୍ଥାନରେ ସେକ୍ବାର୍ଡର ଆଶିଷ କୁମାର ଗିରି ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ଏକ ଆଦିବାସୀ ମେଳା କରିବାଲାଗି କର୍ତ୍ତୃପକ୍ଷଙ୍କଠାରୁ ମଂଜୁରୀ ମାଗିଛନ୍ତି । କିନ୍ତୁ ଝାଡେଶ୍ୱର ପୁରର ମମତାଜ ଖାଁ ନାମକ ଜନୈକ ମହିଳା ସେଠାରେ କୌଣସି ଉତ୍ସବ ନ ହେବାଲାଗି ଜିଲାପାଳଙ୍କ ଠାରେ ଲିଖିତଭାବେ ଜଣାଇଛନ୍ତି । ଅନ୍ୟ ପକ୍ଷରେ ଉପାନ୍ତ ଅଂଚଳରେ ଭାଷା, ସାହିତ୍ୟ, ସଂସ୍କୃତିର ସୁରକ୍ଷା, କୁନି କୁନି ପିଲାଙ୍କ ଲୁକ୍କାୟିତ ପ୍ରତିଭାର ବିକାଶ ଏବଂ ପୂଜ୍ୟ ପୂଜାଙ୍କୁ ସମ୍ବର୍ଦ୍ଧିତ କରି ଆସୁଥିବା ସୀମାନ୍ତ ମହୋତ୍ସବ ଅନୁଷ୍ଠିତ ହେବାଲାଗି ଏ ଅଞ୍ଚଳର ବହୁ ବ୍ୟକ୍ତି ଦାବି କରିଛନ୍ତି । ତେଣୁ ବୁଧବାର ସଂଧ୍ୟାରେ ଭଞ୍ଜ ଭବନଠାରେ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଆସନ୍ତା ଦିନରେ ପୂର୍ବବର୍ଷ ମାନଙ୍କ ପରି ମହୋତ୍ସବ ପାଳନ କରିବା, ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରାଯାଇଛି । ଏହି ଆଲୋଚନାରେ ପୂର୍ବତନ କଲେଜ ଅଧ୍ୟକ୍ଷ ଡ. ଈଶ୍ୱର ଚନ୍ଦ୍ର ଜେନା, ବିକ୍ରମ କୁମାର ମହାନ୍ତି, ଜିତାରାମ ଦେ, କାର୍ତ୍ତିକଚନ୍ଦ୍ର ଦାସ, ଏସୋସିଏସନର ସଭାପତି ଚିନ୍ମୟ କୁମାର ଦାସ, ସଂପାଦକ ସରୋଜ ପାଣିଗ୍ରାହୀ, ଅଶୋକ ଦାସ, ସତ୍ୟମୟ ଆଚାର୍ଯ୍ୟ, ସୂଦର୍ଶନ ପ୍ରଧାନ, ପ୍ରତିପ ପ୍ରଧାନ, ସନ୍ଦିପ ପ୍ରଧାନ, ଅମୂଲ୍ୟ ଦତ୍ତ ପ୍ରମୁଖ ବ୍ୟକ୍ତିମାନେ ଯୋଗ ଦେଇ ସବିଶେଷ ଆଲୋଚନା କରିଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା