

ପଶ୍ଚିମବାର୍ଡ (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ୧୬୧ ବୁଥ୍, ପୌର ପରିଷଦର ୨୦ଟି ଏବଂ ବସ୍ତା ବ୍ଲକ ଅନ୍ତର୍ଗତ ୬୮ଟି ବୁଥରେ ଆଜି ନିର୍ଦ୍ଦିଷ୍ଟ ସମୟରେ ଭୋଟ ଦାନ କାର୍ଯ୍ୟ ଆରମ୍ଭ ହୋଇଥିଲା । କିନ୍ତୁ କିଛି ସମୟ ପରେ ବିଭିନ୍ନ ଭୋଟ କେନ୍ଦ୍ରରେ ଇଭିଏମ୍ ମେସିନ୍ ଖରାପ ହୋଇପଡିଥିବାର ସୂଚନା ମିଳିଥିଲା । ଖବର ପାଇ ସେକ୍ଟର ଅଫିସରମାନେ ଘଟଣା ସ୍ଥଳରେ ଇଂଜିନିୟରମାନଙ୍କୁ ନେଇ ତାର ସମାଧାନ କରାଇଥିଲେ । ଗୋବର୍ଦ୍ଧନପୁର, କମାରଶାଳିଆ, ଦର୍ଦ୍ଦାରବନ୍ଧ, ନୂଆବଜାର, ସାନରାଉତପଡା, କଲ୍ୟାଣପୁର, ଗୋପ, ନଛିମପୁର, ରାଜପୁର, ବେଗୁନିଆ ଇତ୍ୟାଦି ବହୁ ଭୋଟ କେନ୍ଦ୍ର ମାନଙ୍କରେ ଇଭିଏମରେ ତ୍ରୁଟି ସଂପର୍କରେ ଖବର ମିଳିଥିଲା । କିନ୍ତୁ କିଛି ସମୟପରେ ଏ ସମସ୍ତ ଗୁଡିକୁ ସମାଧାନ କରାଯାଇଥିବା ବେଳେ କଲ୍ୟାଣପୁର ଭୋଟ କେନ୍ଦ୍ରରେ ପ୍ରାୟ ୧୨ଟା ପର୍ଯ୍ୟନ୍ତ ଭୋଟଦାନ ବନ୍ଦ ରହିଥିଲା । ଫଳରେ ଭୋଟର ୫ଘଣ୍ଟା ଧରି ମାନେ ଲମ୍ବା ଲାଇନ୍ରେ ପ୍ରବଳ ଗ୍ରୀଷ୍ମ ପ୍ରବାହରେ ରହିବା ଫଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ୩ଥର ଇଭିଏମ୍ ମେସିନ୍ ପରିବର୍ତ୍ତନ କରାଯାଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ନୂତନ ଇଭିଏମ୍ ମେସିନ୍ ଯୋଗାଇବା ଦ୍ୱାରା ଭୋଟ ଦାନ କାର୍ଯ୍ୟ କରାଯାଇଥିଲା । ଘଟଣା ସ୍ଥଳରେ ମାଜିଷ୍ଟେଟ କ୍ଷିରୋଦ କୁମାର ପଣ୍ଡା ପୋଲିସ୍ ଫୋର୍ସ ସହିତ ସେଠାରେ ଉପସ୍ଥିତ ରହି ଉତ୍ତେଜିତ ଭୋଟରମାନଙ୍କୁ ବୁଝାସୁଝା କରିବାପରେ ମତଦାନ କାର୍ଯ୍ୟ ଆରମ୍ଭ ହୋଇଥିଲା । ଆଜି ପ୍ରବଳ ଗୁଳୁଗୁଳି ଯୋଗୁଁ ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଭୋଟଦାନ ହାର ହ୍ରାସ ପାଇଥିଲା । କିନ୍ତୁ ଅପରାହ୍ନ ୪ଟାରୁ ପୁଣି ମତଦାତାଙ୍କର ଲମ୍ବା ଲାଇନ୍ କେତେକ ସ୍ଥାନରେ ଦେଖିବାକୁ ମିଳିଥିଲା । ପ୍ରାୟ ରାତ୍ରି ୮ଟା ପର୍ଯ୍ୟନ୍ତ ମତଦାନ ଚାଲୁରହିଥିଲା ସୂଚନା ମିଳିଛି । ଜଳେଶ୍ୱର ନିର୍ବାଚନ ମଣ୍ଡଳିରେ ୧୪ଟି ମଡେଲ ବୁଥରେ ଭୋଟରମାନଙ୍କୁ ସଚେତନତା ସୃଷ୍ଟି କରିବାପାଇଁ ବ୍ୟବସ୍ଥା ଥିବା ବେଳେ ୧୧ଟି ସଖୀ (ପିଙ୍କ) କେନ୍ଦ୍ରରେ କେବଳ ମହିଳା କର୍ମଚାରୀମାନେ ପରିଚାଳନା କରିଥିଲେ । ଏହା ଛଡା ଅନ୍ୟ ସମସ୍ତ ବୁଥ ମାନଙ୍କରେ ବ୍ୟାପକ ଅବ୍ୟବସ୍ଥା ହୋଇଥିବା ଭୋଟର ମାନଙ୍କ ପକ୍ଷରୁ ଅଭିଯୋଗ ହୋଇଛି । ଏପରିକି କିଛି ଭୋଟ କେନ୍ଦ୍ରରେ ପାନୀୟ ଜଳ, ଶୌଚାଳୟ, ବିଦ୍ୟୁତ୍ ଯୋଗାଣ ଇତ୍ୟାଦି ନଥିବାରୁ ଭୋଟର ଓ ପୁଲିଂ କର୍ମଚାରୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ମୋଟ ୨୪ ଜଣ ସେକ୍ଟର ଅଫିସର, ପୋଲିସର ୧୭ଟି ମୋବାଇଲ୍ ପାର୍ଟି, ଏକ ପ୍ଲାଟୁନ୍ ଗୋର୍ଖା ପୋଲିସ୍, ଅନ୍ୟ ଏକ ପ୍ଲାଟୁନ୍ ଆନ୍ଦ୍ର ପୋଲିସ୍ ସହିତ ୪ଜଣ ଇନିସ୍ପେକ୍ଟର, ୨ଜଣ ଡିଏସ୍ପି ଏବଂ ଜଣେ ଅତିରିକ୍ତ ଏସ୍ପ୍ ଦିଲ୍ଲିପ କୁମାର ସାହାଣୀ ଭୋଟ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ବିଭିନ୍ନ ସ୍ଥାନରେ ଇଭିଏମରେ ତୃଟିପୂର୍ଣ୍ଣ ସଂପର୍କରେ ମାଜିଷ୍ଟ୍ରେଟ ତଥା ଜଳେଶ୍ୱର ବିଡିଓ ନିତ୍ୟାନନ୍ଦ ସାହୁ ପ୍ରିଜାଇଡିଂ ଅଫିସର୍ମାନେ ଇଭିଏମ୍ ମେସିନ୍ର ତ୍ରୁଟିପୂର୍ଣ୍ଣ ପରିଚାଳନା ଯୋଗୁଁ ଏହିଭଳି ବିଭ୍ରାଟ ଦେଖାଦେଇଛି ବୋଲି ପ୍ରକାଶ କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା