ଜଳେଶ୍ୱରରେ ଡେଙ୍ଗୁରୋଗୀ ମହାମାରୀ, ୨୪ଜଣଙ୍କ ରକ୍ତରେ ଡେଙ୍ଗୁ: ଗ୍ରାମରେ କୋକୁଆଭୟ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱରରେ ଡେଙ୍ଗୁରୋଗୀଙ୍କ ସଂଖ୍ୟା ଦିନକୁଦିନ ବଢୁଥିବାରୁ ସାଧାରଣରେ ଭୟ ସୃଷ୍ଟି ହୋଇଛି । ଗତ ୧୬ତାରିଖରୁ ଅଦ୍ୟାବଧି ୨୪ଜଣ ଡେଙ୍ଗୁରୋଗୀ କଟକ ଓ ବାଲେଶ୍ୱରରେ ଚିକିତ୍ସିତ ହେଉଥିବା ବେଳେ ଥମିବାର ନାମ ଧରୁନାହିଁ । ଏଥିରୁ କେବଳ ମହମ୍ମଦନଗରପାଟଣାରେ ୧୪ ଜଣ ରୋଗୀ ଚିହ୍ନଟ ହୋଇଥିବାରୁ ଗ୍ରାମବାସୀମାନେ ବାଲେଶ୍ୱର ଜିଲାପାଳଙ୍କୁ ଭେଟି ପରିସ୍ଥିତି ସଂପର୍କରେ ସୂଚନା ଦେଇଥିଲେ । ଏବେ ଗ୍ରାମରେ ଡାକ୍ତରୀଦଳ କାଯ୍ୟରତ ଥିଲେ ମଧ୍ୟ ତାହାକୁ ରୋକାଯାଇପାରୁନଥିବାରୁ ଗଭିର ଉଦବେଗ ପ୍ରକାଶ ପାଇଛି । ବାହାର ରାଜ୍ୟରେ ଥାଇ କାର୍ଯ୍ୟ କରୁଥିବା କେତେକ ଯୁବକ ଡେଙ୍ଗୁ ଜ୍ୱରରେ ଆକ୍ରାନ୍ତ ହୋଇ କଟକରେ ଚିକିତ୍ସତ ହେଉଥିବା ବେଳେ ଅନ୍ୟ କେତେକ ଗାଁରେ ମଧ୍ୟ ଏହି ରୋଗ ବ୍ୟାପୁ ଥିବାରୁ ସ୍ୱାସ୍ଥ୍ୟ ବିଭାଗର ଚିନ୍ତାର କାରଣ ହୋଇଛି । ଏକ ସର୍ଭେରୁ ପ୍ରକାଶ ଅଦ୍ୟାବଧି ମହମ୍ମଦନଗରପାଟଣାର ପଂଚାୟତର ନୂଆଗାଁ ପାଟଣା ଗାଁରେ ୧୪ଜଣ ରୋଗୀଙ୍କୁ ଚିହ୍ନଟ କରାଯାଇଛି । ଗାଁର ଏକ ନିର୍ଦ୍ଦିଷ୍ଟ ରାସ୍ତା ବେହେରାସାହି ଅଂଚଳରେ ଏହି ରୋଗ ବ୍ୟାପି ଚାଲିଥିବାର ଡାକ୍ତର ପ୍ରଭାସ ଚନ୍ଦ୍ର ନାୟକ ଓ ମୋହନ ଲାଲ ମହାନ୍ତିଙ୍କ ଠାରୁ ସୂଚନା ମିଳିଛି । ଅଦ୍ୟାବଧି ଏହି ଗାଁର ସସ୍ମିତା ବେହେରା, ଶାନ୍ତିରାମ ଚାନ୍ଦ, ମିନାକ୍ଷୀ ମହଲା, ରବିନ୍ଦ୍ର ବାରିକ, ମୃତ୍ୟଞ୍ଜୟ ବେହେରା, ବିଜୟ ବେହେର, ସତ୍ୟଶିବମ୍ ବାରିକ, ଲିପୁନ୍ ରାଜ ବେହେରା, ଶାନ୍ତିଲତା ସାହୁ ଓ ଅଙ୍କିତ ମହଲା ପ୍ରମୁଖ ଚିକିତ୍ସାଧିନ ଥିବା ବେଳେ ଆଜି ଆନନ୍ଦ ଶଂକର ସାହୁ, ରିନାରାଣି ସାହୁ, କରୂଣା ସେଠୀ ଙ୍କ ରକ୍ତ ପରୀକ୍ଷାରେ ଡେଙ୍ଗୁ ରୋଗ ଥିବାର ଜଣାଯାଇଛି । ରାଜନଗର ଗାଁର ହରିଶ ବେହେରା, ଶିଖରପୁରର ବିକ୍ରମ ଦତ୍ତ, ଗୋପ ଗାଁର ମୁନା ସିଂ, ଗୋବର ଘଟା ଗାଁର କାଳିଚରଣ ଦାସ, ଆମ୍ବଳିଅଠା ଗାଁର ଦୀପକ କର, ଖାଲିନା ଗାଁ ରାକେଶ ଭୂୟାଁ ରୋଗରେ ପିଡିତ ଥିବାର ଜଣାଯାଇଛି । ସେମାନଙ୍କ ବ୍ୟତିତ ବଜାରଶୋଳ, ବାଣିଦା, ରାୟାଁରାମଚନ୍ଦ୍ରପୁର ଓ ବିରିଶପୁରର ଜଣେଲେଖାଏଁ ରୋଗୀ କଟକରେ ଚିକିତ୍ସତ ହେଉଥିବା ଡା. ନାୟକ ପ୍ରକାଶ କରିଛନ୍ତି । ଏହି ଗାଁକୁ ଡା ନାୟକ ୨ଥର, ଡା ମୋହନଲାଲ ମହାନ୍ତି ୪ଥର, ପିଏଚ୍ଇଓ ଫକୀର ଚରଣ ପ୍ରଧାନ ୩ଥର ଓ ଅନ୍ୟାନ୍ୟ ଆଶା, ଅଙ୍ଗନୱାଡି କର୍ମୀମାନେ ଯାଇ ସଚେତନତା ସୃଷ୍ଟି କରୁଥିଲେ ମଧ୍ୟ ଗାଁରେ ବିଶେଷ ପ୍ରଭାବ ପଡୁନାହିଁ । ତେଣୁ ଗ୍ରାମବାସୀମାନେ ନିଜେ ସଚେତନ ହୋଇ ଘର ଚାରିପଟେ ଆବର୍ଜନା ହଟାଇବା ସହ ଜମୁଥିବା ପାଣିକୁ ଶୁଖାଇବା ଓ ମଶାରୀ ଟାଙ୍ଗି ଶୋଇବା ସହିତ ଜ୍ୱର ହେଲେ ଡାକ୍ତରଙ୍କ ପରାମର୍ଶ ନେବାକୁ ଡାକ୍ତର ଓ ସିଡିଏମଓ ପ୍ରକାଶ କରିଛନ୍ତି । ଗ୍ରାମର ରୋଗୀ ସଂଖ୍ୟା କ୍ରମାଗତଭାବେ ବଢୁଥିବାରୁ ଗ୍ରାମବାସୀ ମାନେ ଆତଙ୍କିତ ହୋଇ କାଳାତିପାତ କରୁଥିବା ବେଳେ ପ୍ରତିକାର ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା