
ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲ୍ଲାର ଜଳେଶ୍ୱରର ଅଞ୍ଚଳରୁ କ୍ରମାଗତ ଭାବେ ବ୍ରାଉନ୍ସୁଗର ଚାଲାଣ ହେଉଥିବା ବେଳେ ପୁଣି ଆଜି ବୁଧବାର୫୦ ଗ୍ରାମ ବ୍ରାଉନ୍ ସୁଗର ଜବତ୍ କରିବା ସହ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ଜଳେଶ୍ୱର ପୋଲିସ୍ ସକ୍ଷମ ହୋଇଛି । ଘଟଣାରୁ ପ୍ରକାଶ ରାଜ୍ୟର ଉତ୍ତର ପ୍ରବେଶ ଦ୍ୱାର କୁହାଯାଉଥିବା ଜଳେଶ୍ୱର ବ୍ରାଉନ୍ସୁଗରର ପେଣ୍ଠସ୍ଥଳୀ ପାଲଟିଥିବା ବେଳେ ବିଭିନ୍ନ ସମୟରେ ଏସ୍ଟିଏଫ ଓ ପୁଲିସ୍କୁ ବହୁ ସଫଳତା ମିଳିଛି । ପଶ୍ଚିମବଙ୍ଗରୁ ବ୍ରାଉନ୍ସୁଗର ଓଡିଶାକୁ ପ୍ରବେଶ କରିବାପରେ ଜଳେଶ୍ୱରର ଏକ ନିର୍ଦ୍ଦିଷ୍ଟ ଇଲାକାରୁ ଜମାହେବା ପରେ ତାହା ଓଡିଶାର ବିଭିନ୍ନ ସ୍ଥାନକୁ ଚାଲାଣ ହୋଇ ଆସୁଛି । ବୁଧବାର ସକାଳେ ମହମ୍ମଦନଗରପାଟଣା ଛକଠାରେ ଜଳେଶ୍ୱର ପୋଲିସ୍ ଚଢାଉ କରି ରାଜପୁର ଅଞ୍ଚଳର ସେକ୍ ମମତାଜଙ୍କ ପୁଅ ସେକ୍ ସାରୁଖ (୨୫), ଝଡେଶ୍ୱରପୁରର ସ୍ୱର୍ଗତ ଚୁଟୁ ବିନ୍ଧାଣୀଙ୍କ ପୁଅ ସାଲଖୁ ବିନ୍ଧାଣୀ (୨୧), ଭଦ୍ରକ ରୁରାଲ ଥାନା କେନ୍ଦୁଆପଦା ଗ୍ରାମର ଗୌରାଙ୍କ ସାହୁଙ୍କ ପୁଅ ଅଭିଜିତ୍ ସାହୁ(୨୧)ଙ୍କ ଠାରୁ ୫ଲକ୍ଷ ଟଙ୍କା ମୂଲ୍ୟର ୫୦ଗ୍ରାମ ବ୍ରାଉନ୍ସୁଗର ଜଗତ୍ କରିବା ସହ ସେମାନଙ୍କୁ ଗିରଫ କରିଛି । ବିଶେଷ ସୂତ୍ରରୁ ଖବରପାଇ ଜଳେଶ୍ୱର ଏସ୍ଡିପିଓ ଅଙ୍କିତା କୁମ୍ଭାରଙ୍କ ନିର୍ଦ୍ଦେଶରେ ଜଳେଶ୍ୱର ଆଇଆଇସି ଧନେଶ୍ୱର ସାହୁଙ୍କ ନେତୃତ୍ୱରେ ଏକ ଟିମ୍ ଏହାକୁ ଚଢାଉ କରିବା ଫଳରେ ଏହା ସଫଳ ହୋଇଥିବା ଜଣାଯାଇଛି । ସେମାନଙ୍କ ନିକଟରୁ ଏକ ମୋଟର ସାଇକେଲ ଓ ୨ଟି ମୋବାଇଲ୍ ମଧ୍ୟ ଜବତ୍ କରାଯାଇଛି । ଜଳେଶ୍ୱର ଥାନା କେସ୍ନଂ ୫୩/୨୦ ମୂଳେ ମାମଲା ରୁଜୁ କରାଯାଇ ତଦନ୍ତ ଚାଲୁ ରହିଛି । ଜଳେଶ୍ୱର ଅଞ୍ଚଳରୁ ପ୍ରତିଦିନ ବିଭିନ୍ନ ଅଞ୍ଚଳକୁ ବ୍ରାଉନ୍ସୁଗର ଧରି ଗଠିତ ରକେଟ ଦେଣନେଣ କରୁଥିବା ବେଳେ ଏଠାରେ ସ୍ୱତନ୍ତ୍ରଭାବେ ଟାସ୍କଫୋର୍ସ ରଖାଯାଇ ସନ୍ଦଗ୍ଧ ଯୁବକ ମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯିବାକୁ ସାଧାରଣରେ ଦାବି ହେଉଛି ।
ରିପୋର୍ଟ : ଭୂପତି କୁମାର ପରିଡା