“ଜହ୍ନିଓଷା,ଓ ବଳିଓଷା ବା ପୂଜା “। ଭୋଦୁଅ ଯାଇ ଅଶିଣ ପଶିଲା ଓ ପୂଜା ପର୍ବ ପର୍ବାଣୀ ଗୋଟିଏ ପରେ ଗୋଟିଏ ଆରମ୍ଭ ହୋଇଗଲାଣି। ଖୁଦୁରୁକୁଣୀ ଓଷା ଭାଦ୍ରବ ମାସର ସବୁ ରବିବାରେ କୁମାରୀ ଝିଅ ମାନେ ନିଜ ଭାଇଙ୍କ ଦୀର୍ଘାୟୁ କାମନା ରଖି ମାଁ ସର୍ବ ମଙ୍ଗଳାଙ୍କୁ ନୀତି ନିୟମ ରେ ପାଳନ କରିବା ପରେ ଆଶ୍ଵିନ ମାସ ଆରମ୍ଭ ହେଉ ହେଉ ମାସ ସାରା କୁମାର ପୂର୍ଣିମା ଯାଏଁ ଜହ୍ନିଓଷା ବ୍ରତ କୁମାରୀ ଝିଅ ମାନେ ପାଳନ କରିଥାଆନ୍ତି।ଏବେ ଗାଁ ସହର ଗଳି କନ୍ଦିରେ ଜହ୍ନିଓଷା ଗଞ୍ଜାମ ଜିଲ୍ଲାର କୁମାରୀମାନେ ପାଳନ କରିବାରେ ଲାଗି ପଡ଼ିଛନ୍ତି। ବହୁତ ନିଘା ର ସହ ଏହାକୁ ପାଳନ କରିଥାଆନ୍ତି।ମାସ ସାରା ଜହ୍ନି ଆମିଷ ପିଆଜ ରସୁଣ ଖାଇ ନଥାନ୍ତି। ସେହିପରି ପୁରୀ ସେବାୟତମାନଙ୍କ ଛୋଟ ଝିଅ ମାନେ ଯାହାଙ୍କୁ ନେତ ପିଲା କୁହନ୍ତି ସେମାନେ ବଳି ଓଷା ଜହ୍ନିଓଷା ପରି ପାଳନ କରିଥାଆନ୍ତିକୁଆଁରୀ ଝିଅଙ୍କ ଓଷା : ଜହ୍ନି ଓଷା ବ୍ରତ*ଭାଦ୍ରବ ପୂର୍ଣ୍ଣିମାଠାରୁ ଆଶ୍ୱିନ ପୂର୍ଣ୍ଣିମା] ଜହ୍ନି ଓଷା ଓଡ଼ିଶାରେ ପାଳିତ ଏକ ଓଷା। ଏହା ଆଶ୍ୱିନ ମାସର ପ୍ରଥମ ଦିନରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ପାଳିତ ହୋଇଥାଏ। ଏହି ଓଷା କୁମାରୀ ମାନଙ୍କ ଦ୍ୱାରା ପାଳିତ ହୋଇଥାଏ ଓ କୁମାର ପୂର୍ଣ୍ଣିମା ଦିନ ଉଦଯାପନ ହୁଏ। ମାସ ସାରା ପ୍ରତି ଅପରାହ୍ନରେ ଜହ୍ନିଫୁଲ ଫୁଟିବା ପରେ ଜହ୍ନି ଫୁଲକୁ ନେଇ ତୁଳସୀ ଚଉରା ମୂଳେ କୁମାରୀ ମାନେ ବୃନ୍ଦାବତୀଙ୍କୁ ପୂଜା କରନ୍ତି। ଏଥିରେ ଲିଆ, ଉଖୁଡ଼ା, କଦଳୀ, କାକୁଡ଼ି ଆଦି ଭୋଗ କରନ୍ତି। ଗୀତ ବୋଲି, ହୁଳହୁଳି ଦେଇ ଝିଅମାନେ ସଞ୍ଜ ବେଳେ ଏହି ଓଷା ପାଳନ କରିଥାନ୍ତି। ଅପରାହ୍ନରେ ଝିଅମାନେ ଚଉରା ମୂଳରେ ଜହ୍ନିଫୁଲ ତଥା ଅନ୍ୟାନ୍ୟ ଫୁଲରେ କୋଠି ତିଆରି କରି କଳସ ସ୍ଥାପନା କରନ୍ତି ଏବଂ ଜହ୍ନି ଓଷା ବହି ପଢ଼ି ପୂଜା କରନ୍ତି। ଗୀତ ଗାଇ ଗାଇ ବୃନ୍ଦାବତୀଙ୍କୁ ଜହ୍ନି ଫୁଲର ଆଞ୍ଜୁଳି ଦିଅନ୍ତି। କୁଷ୍ଠ ରୋଗରୁ ମୁକ୍ତି, ପୁତ୍ର ସନ୍ତାନ ପ୍ରାପ୍ତି ପାଇଁ ଜହ୍ନିଓଷା କରାଯିବାର କଥିତ ଅଛି। ମାସସାରା ଓଷା ନ କରି ପାରିଲେ କୁମାର ପୂର୍ଣ୍ଣିମା ପୂର୍ବରୁ ୧୫ଦିନ ଅଥବା ୫ଦିନ ମଧ୍ୟ ଏହି ଓଷା କରାଯାଏ। ଓଷା ବିଧି ଓ ପରମ୍ପରା ସହ ଅପରାହ୍ନରେ ଗୀତ ଗାଇ ପୁଚି ଖେଳିବା ଏବଂ ଆନନ୍ଦ ଉଲ୍ଲାସରେ କିଛି ସମୟ କାଟିବା କୁମାରୀ ମାନଙ୍କ ପାଇଁ ଏକ ପ୍ରକାର ବ୍ୟାୟାମ ବୋଲି ବିଚାର କରାଯାଏ। ଦୀନକୃଷ୍ଣ ଦାସଙ୍କ ରଚିତ “ଜହ୍ନିଓଷା କଥା”ର ୧ମ ଓ ୫ମ ଛାନ୍ଦରେ ପୂଜା ବିଧିର ବର୍ଣ୍ଣନା ଅଛି। ଓଷେଇତି ଝିଅମାନେ ମିଳିତ ହୋଇ ଗୀତ ବୋଲି ପୂଜା କରନ୍ତି। ଜହ୍ନି ଓଷାରେ ଉଭୟ ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ପୂଜା କରା ଯାଇଥାଏ। କୁମାରୀ ମାନେ ସକାଳେ ସୂର୍ଯ୍ୟ ଉଇଁବା ପରେ ନଦୀ-ପୋଖରୀରେ ଗାଧୋଇ ବାଲିପିଣ୍ଡ ଦେଇଥାନ୍ତି। ଏହି ବାଲିପିଣ୍ଡକୁ ବିଭିନ୍ନ ପ୍ରକାରର ଫୁଲରେ ସଜାଇଥାନ୍ତି। ସଞ୍ଜରେ ସେମାନେ ତୁଳସୀ ଚଉରା ମୂଳ ଜହ୍ନି ଫୁଲରେ ସଜାଇ ଲିଆ ଭୋଗ କରିଥାନ୍ତି। ଏହି ମାସ ସାରା ଓଷାକାରିଣୀ ଝିଅମାନେ ଜହ୍ନି ଖାଇନଥାନ୍ତି। ସଞ୍ଜ ବେଳେ ଝିଅମାନେ ଜହ୍ନିଓଷା ଗୀତ ବୋଲିଥାନ୍ତି। ଏହି ସମୟରେ ସେମାନେ ପୁଚି ଓ ଦଉଡ଼ିଡିଆଁ ମଧ୍ୟ ଖେଳିଥାନ୍ତି ।
ଜହ୍ନିଓଷା ପାଳନର କିମ୍ବଦନ୍ତୀ*
ଏହି ଓଷାରେ ‘ଦୀନକୃଷ୍ଣ ଦାସ’ଙ୍କର ରଚିତ “ଜହ୍ନିଓଷା କଥା” ପଠିତ ହୁଏ। ଯେଉଁଥିରେ ବିଭିନ୍ନ ଛାନ୍ଦରେ ଭିନ୍ନ ଭିନ୍ନ କିମ୍ବଦନ୍ତୀ ବଖଣା ଯାଇଛି। ଏହି କାବ୍ୟ ଏକାଦଶ ଅକ୍ଷରୀ ପଦ୍ୟରେ ପାଞ୍ଚ ଛାନ୍ଦରେ ବିଭକ୍ତ। ଏଥିରେ ମହାରାଷ୍ଟ୍ର, ଉଡ୍ରରାଷ୍ଟ୍ର (ଓଡ଼ିଶା), କର୍ଣ୍ଣାଟ (କର୍ଣ୍ଣାଟକ), ବିରାଟ ଦେଶ, ସୌରାଷ୍ଟ୍ର ଦେଶ ଇତ୍ୟାଦି ପାଞ୍ଚ ଦେଶରେ ଓଷାର ମହିମା ପାଳନର ବିଧି ଓ ସୁଫଳର କାହାଣୀ ବର୍ଣ୍ଣିତ ହୋଇଛି। ପ୍ରଥମ ଛନ୍ଦରେ ଓଷା ନିନ୍ଦାର କୁପରିଣତି ବଖଣା ଯାଇଛି। ଦିନେ ମହାରାଷ୍ଟ୍ର ଦେଶରେ ଜମ୍ବୁବତୀ ବୋଲି ଜଣେ ନାରୀ ଏହି ଓଷାକୁ ଥଟ୍ଟାକଲା। ଝିଅମାନେ ମୁଢ଼ି ଖାଇବାକୁ ଏହି ଓଷା କରୁଛନ୍ତି ବୋଲି କହିଲା। ଫଳରେ ବୃନ୍ଦାବତୀ ରାଗିଗଲେ। ସର୍ପ ଜମ୍ବୁବତୀର ସୁପ୍ତ ପୁତ୍ରକୁ ଦଂଶନ କଲା। ମୃତ ପୁତ୍ରକୁ ଧରି ବାହୁନୁଥିବା ସମୟରେ ତା’ର ସ୍ୱାମୀ ମହେଶ୍ୱର ଆସି ପହଞ୍ଚିଲା। ଓଷା ନିନ୍ଦାର ପରିଣତି ସ୍ୱରୂପ ଏପରି ଘଟିଥିବାର ଜାଣି ସେମାନେ ବୃନ୍ଦାବତୀଙ୍କୁ ଯାଇ ପ୍ରାର୍ଥନା କଲେ। ନାନା କାକୁତି ମିନତି ହେବା ପରେ ବୃନ୍ଦାବତୀ ସନ୍ତୁଷ୍ଟ ହେଲେ ଏବଂ ତା’ର ମୃତ ପୁତ୍ରକୁ ଜୀବନ୍ୟାସ ଦେଲେ । ଦ୍ୱିତୀୟ ଛାନ୍ଦରେ ଏକ ସାଧବ ପରିବାରର କାହାଣୀ ବର୍ଣ୍ଣିତ। ଓଡ୍ର ରାଷ୍ଟ୍ରପୁରରେ ଭଗୀରଥୀ ନାମକ ଜଣେ ସାଧବ ତା’ର ପାଞ୍ଚପୁଅ ଓ ଗୋଟିଏ ଝିଅକୁ ନେଇ ସଂସାର କରିଥିଲେ। ତାହାଙ୍କ ଝିଅ ରାଧୀକି କୁଷ୍ଠରୋଗ ହେଲା। ତା’ମାଆ ସୁକାନ୍ତୀ ଦିନେ ପିଲାଏ ଚଉରା ମୂଳେ ଜହ୍ନିଓଷା ପୂଜୁଥିବାର ଦେଖିଲା। ଏହି ଓଷା କଲେ ରୋଗ ନାଶ ହୁଏ ବୋଲି ସେ ସେଠାରୁ ଶୁଣିଲା। ତା’ଝିଅର ବ୍ୟାଧି ନାଶ ହେଲେ ପାଞ୍ଚବର୍ଷ ଯାଏ ଜହ୍ନିଓଷା ପୂଜିବ ବୋଲି ମାନସିକ କଲା। ଓଷେଇତି ଝିଅମାନେ ତା’ ନାମରେ ହୁଳହୁଳି ଦେଲେ। ପରବର୍ତ୍ତୀ ଜହ୍ନିଓଷା ବେଳେ ରାଧୀ ତା’ମାଆକୁ ଓଷା ପାଇଁ ‘ଭୂଜା’(ମୁଢ଼ି) ମାଗିଲା। ମାଆ ବିରକ୍ତ ହୋଇ ଓଷା ପୂଜିବାକୁ ମନା କରିଦେଲା। ଫଳରେ ବୃନ୍ଦାବତୀ ରାଗି ତା’ର ପାଞ୍ଚ ପୁଅକୁ ନେଇ କୋରଡ଼ ଭିତରେ ଲୁଚାଇ ଦେଲେ। ସୁକାନ୍ତୀ ବାହୁନି କାନ୍ଦିଲା। ପୁଅକୁ ପାଇଲେ ପାଞ୍ଚଟି କାକରା ଭୋଗ କରିବ ବୋଲି ବୃନ୍ଦାବତୀଙ୍କ ପାଖରେ ମାନସିକ କଲା। ଝିଅ ଓଷା କରୁ ବୋଲି ସ୍ୱପ୍ନରେ କହିଲେ। ରାଧୀ ପାଞ୍ଚଟି କାକରା ଦେଇ ଓଷା ପୂଜିଲା। ପାଞ୍ଚପୁଅ ଫେରି ଆସିଲେ। ତୃତୀୟ ଛାନ୍ଦରେ କର୍ଣ୍ଣାଟ ଦେଶର ପୀତାମ୍ବର ତା’ର ପତ୍ନୀ ପ୍ରିୟବତୀ କଥା କୁହା ହୋଇଛି। ସେମାନଙ୍କର ସାତ ପୁଅରେ ଗୋଟିଏ ଝିଅ। ଗେଲବସରର ସେହି ଝିଅ ତା’ ମାଆକୁ ପୂଜା କରିବାକୁ କହିଲା। ପ୍ରିୟବତୀ ଖୁସି ହୋଇ ତା’ପାଇଁ ଭୁଜା ଉଖୁଡ଼ା ଆଦି ପୂଜା ଜିନିଷ ଯୋଗାଡ଼ କରି ଦେବାରୁ ସେ ପୂଜା କଲା। ଚତୁର୍ଥ ଛାନ୍ଦରେ ବିରାଟ ଦେଶର କଥା ବଖାଣ ହୋଇଛି। ବିରାଟ ଦେଶର ଧନେଶ୍ୱର ଓ ତା’ର ସ୍ତ୍ରୀ ପଦ୍ମାବତୀଙ୍କର ଗୋଟିଏ ପୁଅ ଓ ତିନିଝିଅ। ଝିଅମାନେ ଓଷା ପୂଜିବାକୁ ମନ କଲେ। ମା’ କହିଲେ ତୁମର ଏ ଓଷା କରିବା ବିହିତ ନୁହେଁ। ବୃନ୍ଦାବତୀ ସ୍ୱପ୍ନରେ ପଦ୍ମାବତୀକୁ କହିଲେ ତୋ ଝିଅମାନଙ୍କୁ କାହିଁକି ଓଷା ପୂଜିବାକୁ ମନା କଲୁ ? ସେମାନେ ଯଦି ଏ ଓଷା ନ କରିବେ ତେବେ ସାତଦିନ ଭିତରେ ତୋ ପୁଅ ମରିବ। ସେ ନିଦରୁ ଉଠି ଝିଅମାନଙ୍କୁ ଏ ଓଷା ପୂଜା କରିବାକୁ କହିଲା। ପଞ୍ଚମ ଛାନ୍ଦରେ ସୌରାଷ୍ଟ୍ର ଦେଶର କଥା ବଖଣା ହୋଇଛି। ଏଥିରେ ଜହ୍ନିଫୁଲ ଛିଣ୍ଡାଇବା ମନା। କିନ୍ତୁ ସେ ଦେଶର ରାଜଜେମା ଜହ୍ନିଫୁଲ ଛିଣ୍ଡାଇବାରୁ ତା’ ହାତ ଖଣ୍ଡ ଖଣ୍ଡ ହୋଇଗଲା। ମାଆକୁ କାନ୍ଦି କାନ୍ଦି ଆସି ସେ କଥା କହିଲା। ମାଆ କାନ୍ଦି କାନ୍ଦି କେଉଁ ବିଧାତା ଏହା କଲେ ବୋଲି ବିକଳ ହେଲା। ବୃନ୍ଦାବତୀ ତା’ ମନକଥା ଜାଣିଲେ। ରାଣ୍ଡୀ ବ୍ରାହ୍ମଣୀ ରୂପରେ ତା’ପୁରକୁ ଆସିଲେ। ସେ ଜହ୍ନି ଛିଣ୍ଡାଇବା କଥା ଶୁଣି ଓଷଦ ଦେଇଗଲେ ଓ ଝିଅ ଜହ୍ନିଓଷା କରୁ ବୋଲି ପରାମର୍ଶ ଦେଲେ। ସେ ଓଷଦ ବାଟି ବୋଳି ଦେବାରୁ ହାତ କଅଁଳିଲା। ଆଶ୍ୱିନ ମାସ ହେଲାରୁ ଝିଅ ଓଷା କରିବାକୁ କହିଲା। ସେଥିରେ ବୃନ୍ଦାବତୀ ସବୁ ପୂଜା ସଜ ଯୋଗାଇଲେ। ସେ ବାଳଝିଅମାନଙ୍କ ସହିତ ମିଶି ପୂଜା କଲା।
*ଜହ୍ନି ଓଷା ଗୀତ *
କୁଆଁର ପୁନେଇ ଜହ୍ନଗୋ
ଫୁଲ ବଉଳ ବେଣୀ
କୁଆଁରୀ ଝିଅଙ୍କ ଅପୂର୍ବ ଆନନ୍ଦ
ପୁଚି ଖେଳିବାକୁ ମନ ଗୋ
ଫୁଲ ବଉଳ ବେଣୀ।
ଜହ୍ନି ଫୁଲ ଠୋ ଠା
ଜହ୍ନି ଫୁଲ ଠୋ ଠା
ଚୁଟିଆ ମୂଷା କହିଯାଇଛି
ଚାଉଳ ମୁଠିଏ ଥୋଇ ଥା ।୧।
ବାଡ଼ି ଆଡ଼େ କୂଅ କି ଦାଣ୍ଡ ଆଡ଼େ କୂଅ
ଚୁଟିଆ ମୂଷା କହି ଯାଇଛି
ଚାଉଳ ମୁଠିଏ ଦିଅ ।୨।
ଜହ୍ନି ଫୁଲ ଠୋ ଠା
ଜହ୍ନି ଫୁଲ ଠୋ ଠା
ଯେ ନ ଦିଏ ଚାଉଳ ଗଣ୍ଡେ
ତା’ ପୁଅଟା ଖଣ୍ଡିଆ ଟା ।୩।
ପୁରୀରେ ସେବାୟତ ମାନଙ୍କ କୁମାରୀ ଝିଅ ମାନେ ବଳିପୂଜା ନାମକ ଏକ ବ୍ରତ ପାଳନ କରନ୍ତି। ଏହା ପାଖାପାଖି ଜହ୍ନି ଓଷା ବ୍ରତ ସହିତ ସମାନ। ମାତ୍ର ଏହାର ଗୀତ ଅଲଗା।
ବଳିରେ ବଳି, ନ କର କଳି
କାଲି ଆଣିଦେବି ସରୁ ଚକୁଳି
ସରୁ ଚକୁଳିର ଉପରେ ମହୁ
ଧୂପ ଖଟିଗଲେ ରାଜାଙ୍କ ବୋହୁ
ରାଜାଙ୍କ ବୋହୁ ଯେ ବିକନ୍ତି କୋଳି
ଇଶ୍ବର ମାଇଲେ ଦାଣ୍ଡର ଧୂଳି
ଦାଣ୍ଡର ଧୂଳି ଯେ ଦାଣ୍ଡକୁ ଯାଉ
ବାପା ଭାଇଙ୍କର ଆୟୁଷ ହେଉ
ଏହା ଈଶ୍ୱର ପାର୍ବତୀ ଙ୍କର ଉପାସନା ଅଟେ। ପ୍ରତି ବର୍ଷ ମାର୍କଣ୍ଡ ପୁଷ୍କରିଣୀ ନିକଟରେ ପାଳିତ ହୁଏ। ଏଥିରେ ସେବାୟତ ଘର କୁନି ଝିଅ ମାନେ ଉତ୍ତମ ବର ନିମନ୍ତେ ଓଷା କରନ୍ତି। ଏହି ବଳି ପୂଜାର ଅନ୍ୟତମ ମୁଖ୍ୟ ଆକର୍ଷଣ ହେଉଛି ନେତ ପିଲା ପରମ୍ପରା।
ଲେଖକ : ଦାମୋଦର ପାଢ଼ୀ, ଅବସରପ୍ରାପ୍ତ ଜିଲ୍ଳା ସୂଚନା ଓ ଲୋକସମ୍ପର୍କ ଅଧିକାରୀ