


ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି ଜାତୀୟ ରାଜପଥରେ ଘଟୁଥିବା ଅପରାଧ ମୂଳକ କାର୍ଯ୍ୟକଳାପକୁ ପ୍ରତିହତ କରିବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ଦୃଢ ପଦକ୍ଷେପ ଗ୍ରହଣ କରିଛନ୍ତି । ଜିଲ୍ଲାପାଳ ବିଜୟ ଅମୃତା କୁଳାଙ୍ଗଙ୍କ ନିର୍ଦ୍ଦେଶରେ ଗତ ରାତିରେ ୧୬ ନଂ ଜାତୀୟ ରାଜପଥର ଜଗନ୍ନାଥପୁର ଠାରୁ ରମ୍ଭା ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା । ଉପଜିଲ୍ଲାପାଳ ଦେବ ବ୍ରତ ସାହୁଙ୍କ ନେତୃତ୍ୱରେ ଅବକାରୀ ବିଭାଗ, ପରିବହନ ବିଭାଗ ଓ ରାଜସ୍ୱ ବିଭାଗର କର୍ମଚାରୀ ମିଳିତ ଚଢ଼ାଉ କରିଥିଲେ । ବିଭିନ୍ନ ଢ଼ାବା ଓ ପାନ ଦୋକାନ ଉପରେ ଚଢ଼ାଉ କରାଯାଇ ଚୋରା ମଦ ରଖିଥିବା ୭ ଜଣଙ୍କ ନାମରେ ମୋକଦ୍ଦମା କରାଯାଇଛି । ସେମାନଙ୍କ ଠାରୁ ୧୫୯ ବୋତଲ ବିଦେଶୀ ମଦ, ୬୭ ବୋତଲ ବିୟର ଓ ପାଉଚ ଦେଶୀ ମଦ ଜବତ ହୋଇଛି । ବେଆଇନ ଭାବେ ରାସ୍ତା ଉପରେ ଭରିଯାନ ରଖିବା ଓ ବେପାରୁଆ ଭାବେ ଗାଡିଚାଳନା ପାଇଁ ୧୧ଟି ଗାଡିର କାଗଜପତ୍ର ଜବତ କରାଯାଇଛି । ସେଥି ମଧ୍ୟରୁ ୨ ଜଣ ଡ୍ରାଇଭର ନିଶାସକ୍ତ ଅବସ୍ଥାରେ ଗାଡି ଚାଳନା କରୁଥିଲେ । ଏହି ଦୁଇଜଣଙ୍କ ନାମରେ ମୋକଦ୍ଧମା ରୁଜୁ କରାଯିବ । ୧୧ ଜଣ ଡ୍ରାଇଭରଙ୍କର ଡ୍ରାଇଭିଂ ଲାଇସେନ୍ସ ସାମୟିକ ଭାଇବି ରଦ୍ଦ କରାଯିବା ସହିତ ସେମାନଙ୍କ ଠାରୁ ୭୩ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି । ଏହି ଚଢ଼ାଉରେ ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ, ଗଞ୍ଜାମ ତହସିଲଦାର ଅବନୀ କୁମାର ସାହୁ, ଆଞ୍ଚଳିକ ପରିବହନ ଅଧିକାରୀ ସଞ୍ଜୟ କୁମାର ବିଶ୍ୱାଳ, ଅତିରିକ୍ତ ପରିବହନ ଅଧିକାରୀ ଶାନ୍ତନୁ କୁମାର ପରିଡା, ଅବକାରୀ ଅଧିକ୍ଷକ ରାମଚନ୍ଦ୍ର ମିଶ୍ର, ଅବକାରୀ ଇନିସ୍ପେକ୍ଟର ଗଙ୍ଗା ପାଇକରାୟ, ସବଇନିସ୍ପେକ୍ଟର ଦୁର୍ଯ୍ୟୋଧନ ଡିଗାଲ ଓ ଉମାକାନ୍ତ ସ୍ୱାଇଁ ଏବଂ ସଂପୃକ୍ତ ବିଭାଗୀୟ କର୍ମଚାରୀମାନେ ସାମିଲ ହୋଇଥିଲେ । ଆଗାମୀ ଦିନରେ ଚଢ଼ାଉ ଅଧିକ ଜୋରଦାର ହେବ ବୋଲି ପ୍ରଶାସନିକ ସୂତ୍ରରୁ ଜଣାପଡିଛି ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା




