ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଜାତୀୟ ସ୍ୱାସ୍ଥ୍ୟ ମିଶନ ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ଶ୍ୟାମ ସୁନ୍ଦର ତ୍ରିପାଠୀଙ୍କୁ ବିଭିନ୍ନ ସ୍ତରରେ ଅଭିନନ୍ଦନ ପ୍ରଦାନ କରାଯାଇଛି । ଡିପିଏମ ଶ୍ରୀ ତ୍ରିପାଠୀଙ୍କ କାର୍ଯ୍ୟଦକ୍ଷତା ଓ ସମନ୍ୱୟ ସହଯୋଗ ଯୋଗୁଁ ଗଞ୍ଜାମ ଜିଲ୍ଲାରେ ଗ୍ରାମାଞ୍ଚଳ ସ୍ୱାସ୍ଥ୍ୟସେବା ପାଇଁ ୩ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ବ୍ରହ୍ମପୁର ମହାନଗରର ୩ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ସମ୍ମାନ ଜନକ ନେସନାଲ କ୍ବାଲିଟ ଆସୁରେନ୍ସ ଷ୍ଟାଣ୍ଡାଡ୍ସ(NQAS) ସାର୍ଟିଫିକେଟ ମିଳିଥିବା ବେଳେ ଏହା ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପାଇଁ ଗର୍ବ ଓ ଗୌରବ ଆଣିପାରିଛି । ଗ୍ରାମାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ମଧ୍ୟରୁ କେନ୍ଦ୍ରୀୟ NQASଟିମ ସମଗ୍ର ଓଡ଼ିଶାରେ ୯ ଗୋଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଉତ୍ତମ ଗୁଣବତ୍ତା ପ୍ରମାଣ ପତ୍ର ପ୍ରଦାନ କରିଥିବା ବେଳେ ସେଥି ମଧ୍ୟରୁ ଗଞ୍ଜାମ ଜିଲ୍ଲାରେ ପ୍ରଥମ ସ୍ଥାନ ସହ ୩ ଗୋଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରହିଛି । ସେହି ତିନୋଟି ହେଲା ଗୌଡ଼ଗୋଠ ସ୍ୱାସ୍ଥ୍ୟ କେନ୍ଦ୍ର ୯୫%, ମାଣିତରା ସ୍ୱାସ୍ଥ୍ୟ କେନ୍ଦ୍ର ୯୦% ଓ ଭଞ୍ଜବିହାର ସ୍ୱାସ୍ଥ୍ୟ କେନ୍ଦ୍ର ୮୪.୮ % । ସେହିପରି ସହରାଞ୍ଚଳର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ମଧ୍ୟରୁ ବ୍ରହ୍ମପୁର ମହାନିଗମର ଗୁଡସ ସେଡ ରୋଡ଼, ବୈକୁଣ୍ଠ ନଗର ଓ ଉତ୍ତରାମୁଖୀ ତିନି ଗୋଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ NQAS ପ୍ରମାଣ ପତ୍ର ପ୍ରଦାନ କରାଯାଇଛି । କେନ୍ଦ୍ର ସରକାରଙ୍କ ଏହି ଗୁଣବତ୍ତା ପ୍ରମାଣ ପତ୍ର ପାଇବା ପରେ ଏହି ୬ ଗୋଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କେନ୍ଦ୍ରୀୟ ଅନୁଦାନ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏହି ୬ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଉତ୍ତମ ଗୁଣବତ୍ତା ପ୍ରମାଣ ପତ୍ର ପାଇବା ପାଇଁ ସାମୁହିକ ଉଦ୍ୟମ ହୋଇଥିବା ବେଳେ ଏହି କାର୍ଯ୍ୟରେ ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ (DPM)ଙ୍କ ଅବଦାନ ଗୁରୁତ୍ତ୍ୱପୂର୍ଣ୍ଣ । ସେଥିପାଇଁ ରାଜ୍ୟ ସରକାରଙ୍କ ଜାତୀୟ ସ୍ୱାସ୍ଥ୍ୟ ମିଶନ ଡ଼ାଇରେକ୍ଟର ଶାଳୀନ ପଣ୍ଡିତ, ସହଯୋଗ, ବୈଷୟୀକ ସମର୍ଥନ ଓ ଗୋଷ୍ଠୀ ପରିଚାଳନା ପାଇଁ ଗଞ୍ଜାମ ଜିଲ୍ଲା ଡି.ପି.ଏମ. ଶ୍ରୀ ତ୍ରିପାଠୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେହିପରି ମାଣିତରା ଅଞ୍ଚଳ ବୁଦ୍ଧିଜୀବୀ ବୃନ୍ଦ ମଧ୍ୟ ଶ୍ରୀତ୍ରିପାଠୀଙ୍କ ସମେତ ବୁଗୁଡା ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଓ କର୍ମଚାରୀ ଏବଂ ମାଣିତରା ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ରର ଡାକ୍ତର ଓ କର୍ମଚାରୀ ବୃନ୍ଦଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା