ଜଳେଶ୍ୱର (ସମୃଦ୍ଧ ଓଡିଶା) ଗତ ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିବା ଜଳେଶ୍ୱର ବ୍ଲକ ଅନ୍ତର୍ଗତ ନବଗଠିତ ସମ୍ପତ୍ତିଆ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣରେ ଅହେତୁକ ବିଳମ୍ବ ଘଟୁଥିବାରୁ ପଞ୍ଚାୟତବାସୀଙ୍କ ପକ୍ଷରୁ ଜଳେଶ୍ୱର ତହସିଲ କାର୍ଯ୍ୟାଳୟ ସାମ୍ନାରେ ଗଣଧାରଣା ଦିଆଯାଇଥିଲା । ପୂର୍ବରୁ ଜଳେଶ୍ୱର ତହସିଲଦାରଙ୍କ ଅନୁମୋଦନ କ୍ରମେ ଏକ ନିଦ୍ଦିଷ୍ଟ ସ୍ଥାନରେ ପଞ୍ଚାୟତ କାର୍ଯ୍ୟାଳୟ କରାଯିବାକୁ ବିଡିଓଙ୍କୁ ଚିଠି ଖେିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଅନ୍ୟତ୍ର ସ୍ଥାନ ନିରୁପଣକୁ ନେଇ ଅସନ୍ତୋଷ ପ୍ରକାଶ କରି ପଞ୍ଚାୟତ ଗ୍ରାମ୍ୟ କମିଟିର ଉନ୍ନୟନ ମଞ୍ଚ ପକ୍ଷରୁ ପୂର୍ବରୁ ତହସିଲଦାରଙ୍କ ଜଣାଇ ଦିଆଯାଇଥିଲା । କିନ୍ତୁ ତାହା ନ ହେବାରୁ ଗତକାଲିଠାରୁ କମିଟିର ସଭାପତି ଦିପ୍ତିମାନ ଆଚାର୍ଯ୍ୟ, ଦିଲ୍ଲୀପ କୁମାର ଶତପଥି, ଶିବ ଶଂକର ହୁଇ, ଜ୍ଞାନ ରଞ୍ଜନ ଦାସ, ଅନୀଲ କୁମାର ପ୍ରଧାନ, ଜୀବନ ପରିଡା, ମୂରଲୀଧର ଗିରି, ତାପସ ପାତ୍ର, ଗୀତାରାଣୀ ଆଚାର୍ଯ୍ୟ, ଚନ୍ଦନ ଶତପଥି, ସୁଷମା ଦେ, ପ୍ରାଣକୃଷ୍ଣ ପ୍ରଧାନ, ଜନାର୍ଦ୍ଦନ ଦାସ, ବଂଶୀଧର ମହାନ୍ତି, ଅର୍ଚିତା ମହାନ୍ତି, ହରିଶକଂର ମହାନ୍ତି ପ୍ରମୁଖ ବହୁ ଗ୍ରାମବାସୀ ଜଳେଶ୍ୱର ତହସିଲ ସମ୍ମୁଖରେ ଗଣଧାରଣାରେ ବସି ରହିଥିଲେ । ଅହରାତ୍ର ପ୍ରାୟ ୩୦ଘଣ୍ଟା ଗଣଧାରଣରେ ବସିବା ପରେ ବାଲେଶ୍ୱର ଜିଲାପାଳ ରମେଶ ଚନ୍ଦ୍ର ରାଉତଙ୍କ ନିର୍ଦ୍ଦେଶ କ୍ରମେ ଜଳେଶ୍ୱର ଅତିରିକ୍ତ ତହସିଲଦାର କ୍ଷୀରୋଦ କୁମାର ପଣ୍ଡା ଗତକାଲି ସଂଧ୍ୟାରେ ଆନ୍ଦୋଳନକାରୀଙ୍କ ପାଖକୁ ଆସି ଆସନ୍ତା ଜାନୁଆରୀ ୨୨ ତାରିଖ ସୁଦ୍ଧା ନୂତନ ପଞ୍ଚାୟତ କାର୍ଯ୍ୟାଳୟ ନିମନ୍ତେ ନିରୂପଣ କାର୍ଯ୍ୟ ଚୁଡାନ୍ତ କରାଯିବ ବୋଲି ପ୍ରତିଶୃତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।
ରିପୋର୍ଟ : ଭୂପତି କୁମାର ପରିଡା