ଜିଲାପ୍ରଶାସନର ତାଗିଦ୍ ସତ୍ୱେ ଅନାୟସରେ ଚାଲିଛି ପଶ୍ଚିମବଂଗକୁ ଗୋରୁ ଚାଲାଣ ଗୋରୁ ବୋଝେଇ କଣ୍ଟେନର ଦୁର୍ଘଟଣା ଗ୍ରସ୍ଥ : ୨୫ ମୃତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲା ପ୍ରଶାସନର ତାଗିଦ୍ ସତ୍ୱେ ୬୦ନଂ ଜାତୀୟ ରାଜପଥରେ ପ୍ରତ୍ୟେକ ଦିନ ଶହ ଶହ ଗୋରୁ ବୋଝେଇ କଣ୍ଟେନର, ପିକ୍ଅପ୍ ଭ୍ୟାନ୍ ପଶ୍ଚିମବଂଗକୁ ଚାଲାଣ ହେଉଛି । ସେଥିପ୍ରତି ଜିଲାପ୍ରଶାସନ ବା ସ୍ଥ୍ାନୀୟ ପ୍ରଶାସନର ତିଳେମାତ୍ର ନିଘା ନାହିଁ । ଫଳରେ ବାରମ୍ବାର ଯାନଗୁଡିକ ଦୁର୍ଘଟଣା ଘଟି ଶହ ଶହ ଗୋରୁ ଗାଈ ମରୁଥିବା ବେଳେ ଆଜି ଏକ କଣ୍ଟେନର ଦୁର୍ଘଟଣାରେ ୨୫ଟି ଗୋରୁ ମରିଯାଇଥିବାରୁ ସ୍ଥାନୀୟ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଓଡିଶାର ବିଭିନ୍ନ ଅଂଚଳରୁ ପ୍ରତିଦିନ ହଜାର ହଜାର ଗୋରୁଗାଈ ଜାତୀୟ ରାଜପଥ ଗୁଡିକରେ ପଂଚିମ ବଂଗକୁ ଚାଲାଣ ହେଇଥିବା ବେଳେ ରାଜପଥ ନିକଟରେ ଥିବା ପୁଲିସ୍ ଥାନା ଗୁଡିକ ଏଥିପ୍ରତି ଆଖି ବୁଜି ଦେଇଛନ୍ତି । ଅଦ୍ୟାବଧି କୌଣସି ଥାନା ଅଂଚଳରେ ଗୋରୁ ବୋଝେଇ ଟ୍ରକ୍ ଧରପଗଡ ହେବା କିମ୍ବା ଅଟକ ରଖିବା ନଜିର ନାହିଁ । ବରଂ ରାଜ୍ୟ ସରକାରଙ୍କ ନିଷ୍ଠୁରତା ନିରୋଧ ଆଇନ୍ ଖୋଲାଖୋଲା ଉଲଙ୍ଘନ ହେଉଥିବାରୁ ସ୍ଥାନୀୟ କେତେକ ସଂଗଠନ ଗାଡି ଅଟକ ରଖି ଉଦ୍ଧାର କରିଥିବା ନଜିର ଅଛି । ଘଟଣାରୁ ପ୍ରକାଶ ଆଜି ଭୋର ପ୍ରାୟ ୫ଟା ସମୟରେ ଭଦ୍ରକରୁ ପଶ୍ଚିମବଂଗ ଅଭିମୁଖେ ଯାଉଥିବା ଏକ କଣ୍ଟେନର ଓଆର୍୦୧ଏମ୍-୪୧୫୮ ଜାତୀୟ ରାଜପଥ ୬୦ର ଜଳେଶ୍ୱର ବାଇପାସ୍ ହୋଟେଲ ରାଜପଥ ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡକୁ ଓଲଟି ପଡିଥିଲା । ଉକ୍ତ କଣ୍ଟେନରରେ ପ୍ରାୟ ଶତାଧିକ ଗୋରୁ ଥିବା ବେଳେ ସେଥି ମଧ୍ୟରୁ ୨୫ଟି ଗୋରୁ ଘଟଣା ସ୍ଥଳରେ ମୃତ୍ୟୁବରଣ କରିଥିବା ବେଳେ ଶହେରୁ ଉଦ୍ଧ୍ୱର୍ ଗୋରୁ ଗାଈ ଦୁର୍ଘଟଣାରେ ଆହତ ହୋଇଥିଲେ ମଧ୍ୟ ସ୍ଥାନୀୟ ଅଧିବାସୀମାନେ ସେଗୁଡିକୁ ଉଦ୍ଧାର କରି ନେଇଯାଇଛନ୍ତି । ଖବରପାଇ ଦମକଳ ବାହିନୀ ପହଞ୍ଚିଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ । ପରେ ଜଳେଶ୍ୱର ପୁଲିସ୍ ପହଞ୍ଚି ଆଇନ ଶୃଙ୍ଖଳା ପରିସ୍ଥିତ ନିୟନ୍ତ୍ରଣ କରିଥିଲେ । ସ୍ଥାନୀୟ ଲୋକେ ଏସ୍ପି ବି ଯୁଗଳ କିଶୋରଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ବିଳମ୍ବରେ ଜଳେଶ୍ୱର ପୋଲିସ୍ ଏଥିପ୍ରତି ଗୁରୁତ୍ୱ ଦେଇ ଏକ ମାମଲା ୧୫୯/୧୯ ମୂଳେ ରୁଜୁ କରି ତଦନ୍ତ ଜାରି ରଖିଛି । ପ୍ରକାଶଯୋଗ୍ୟ ସରକାରଙ୍କ ନିର୍ଦ୍ଦେଶକୁ ଅବମାନନା କରି ବେଆଇନ୍ଭାବେ ବିଭିନ୍ନ ଉପାୟରେ କିଛି ରାକେଟ ମାଧ୍ୟମରେ ଗୋରୁ ଚାଲାଣ ହେଉଛି । ଏପରିକି ପ୍ରଶାସନର ନଜର ଏଡାଇବା ପାଇଁ କଣ୍ଟେନର ପଛପଟେ ହିନ୍ଦା ଭାଷାରେ ଡାକପାର୍ଶଲ ବୋଲି ଉଲ୍ଲେଖ କରାଯାଉଛି । ସ୍ଥାନୀୟ ଯୁବକମାନେ ଏହିସବୁ ଗାଡିଗୁଡିକୁ ଅଟକାଇବା ପାଇଁ ଚେଷ୍ଟା କରୁଥିବା ବେଳେ ଅତି ଦ୍ରୁତଗତିରେ ଗାଡି ଗୁଡିକ ଜାତୀୟ ରାଜପଥରେ ପଶ୍ଚିମବଂଗକୁ ପଳାଇ ଯାଇଥିଲା । ଗତ କିଛିଦିନ ତଳେ ଏକ ଗୋମାଂସ ବୋଝେଇ ପିକ୍ଅପ୍ ଦୁର୍ଘଟଣା ହେବାପରେ ସେଥିରେ ଏପରି ବେଆଇନ୍ ମାଂସ ଚାଲାଣ ହେଉଥିବା ଲୋକଲୋଚନକୁ ଆସିଥିଲା । କିଛିଦିନ ପୂର୍ବରୁ ବାଲିଆପାଳରୁ ୨ଟି ଗୋରୁ ବୋଝେଇ ପିକ୍ଅପ ପଶ୍ଚିମବଂଗକୁ ଚାଲାଣ କରୁଥିବା ବେଳେ ସ୍ଥାନୀୟ ବାସୀନ୍ଦାମାନେ ଅଟକ ରଖି ପୁଲିସ୍କୁ ଖବର ଦେଇଥିଲେ । ବହୁ ସମୟରେ ଏହି ଜାତୀୟ ରାଜପଥରେ ବ୍ୟାପକ ଗୋ ଚାଲାଣ ହେଉଥିବା ବେଳେ ପଶୁମାନଙ୍କୁ ଅମାନବୀୟ ଢଙ୍ଗରେ ଚାଲାଣ ହେଉଥିବା ବେଳେ ସ୍ଥାନୀୟ ଲୋକେ ଓ କେତେକ ସ୍ଥାନରେ ବଜରଙ୍ଗ ଦଳ ପକ୍ଷରୁ ବିରୋଧ କରାଯାଇଛି । ଏଥିପ୍ରତି ପ୍ରଶାସନ ସଜାଗ ନ ହେଲେ ଆଗାମୀ ଦିନରେ ଏକ ବଡଧରଣର ମୁଣ୍ଡ ଟେକିବ ବୋଲି ସୂଚନା ମିଳିଛି ।

ରିପୋର୍ଟ : ଭୂପତି କୁମାର ପରିଡା