ଜିଲାସ୍ତରୀୟ ତ୍ରିଦିବସୀୟ ଆବାସିକ କଠିନ ବର୍ଯ୍ୟବସ୍ତୁ ପରିଚାଳନା ପ୍ରଶିକ୍ଷଣ ଶିବିର : ଗଣମାଧ୍ୟମକୁ ଉପେକ୍ଷା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ସହରର ମୁରଲୀ କଲ୍ୟାଣ ମଣ୍ଡପଠାରେ ଆଜି ପୂର୍ବାହ୍ନରେ ଜିଲାସ୍ତରୀୟ ଆବାସୀକ କଠିନ ବର୍ଯ୍ୟବସ୍ତୁ ପରିଚାଳନା ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି । ଏହାକୁ ବାଲେଶ୍ୱର ଡିଆର୍ଡିଏର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ (ପ୍ରଶାସନ) ସର୍ବେଶ୍ୱର ସିଂ ଉଦଘାଟନ କରି ଏଣିକି ଗ୍ରାମାଞ୍ଚଳ ଗୁଡିକରେ ସୃଷ୍ଟ ବର୍ଯ୍ୟବସ୍ତୁର ପରିଚାଳନା କରିବା ଲାଗି ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ସୂଚନା ଦେଇଥିଲେ । ସମଗ୍ର ରାଜ୍ୟରେ ୧୫୩ଟି ପଂଚାୟତକୁ ନେଇ ପ୍ରଥମ ପର୍ଯ୍ୟାୟରେ ପ୍ରଶିକ୍ଷଣ ଦେବା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ବାଲେଶ୍ୱର ଜିଲାରେ ୧୪ଟି ପଂଚାୟତକୁ ଏଥିରେ ସଂଶ୍ଳିଷ୍ଟ କରାଯାଇଛି । ସିମୁଳିଆ ବ୍ଲକର କହ୍ନେଇବିନ୍ଧା, ବସ୍ତା ବ୍ଲକର ବାହାର୍ଦ୍ଦା, ରେମୁଣାର ବିରୁଁଆ ଓ ଜଳେଶ୍ୱର ବ୍ଲକର ରୁର୍ବାନ ଯୋଜନା କାର୍ଯ୍ୟକାରୀ ହେଉଥିବା ସର୍ଦ୍ଦାରବନ୍ଧ, ଶ୍ୟାମନଗର, ଖୁଆଡ, ବରଡିହା, କଳମା, ଓଲମରା, ଖୁଦିଆମାଝୀ ସାହି, ଦକ୍ଷିଣପ୍ରହରାପୁର, ରାଇବଣିଆ, କାଳିକ, ମାକିଡିଆ ଇତ୍ୟାଦି ପଞ୍ଚାୟତରେ ଏହି ଯୋଜନା କାର୍ଯ୍ୟକାରୀ ହେଉଛି ବୋଲି କହିଥିଲେ । ଉପରୋକ୍ତ ପଞ୍ଚାୟତ ଗୁଡିକରୁ ଆସିଥିବା ସରପଂଚ, ପଂଚାୟତ ସଂପ୍ରସାରଣ ଅଧିକାରୀ ଓ ମୋଟିଭେଟର ମାନଙ୍କୁ ପ୍ରଶିକ୍ଷକ ଭାବେ ଯୋଗ ଦେଇଥିବା ୟୋଗେନ୍ଦ୍ର ସିଂ, ଘନଶ୍ୟାମ ସିଟ୍, ସସ୍ମିତା ଦାସ ପ୍ରମୁଖ ପ୍ରଶିକ୍ଷଣ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଡିଓ ନିତ୍ୟାନନ୍ଦ ସାହୁ, ପଞ୍ଚାୟତ ସମିତି ଅଧ୍ୟକ୍ଷା ସବିତାରାଣୀ ଦଳେଇ, ଆର୍ଡବ୍ଲ୍ୟଏସ୍ଏସର ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ଅରୁଣ କୁମାରେ ବାରିକ, କନିଷ୍ଠ ଯନ୍ତ୍ରୀ ପ୍ରଦ୍ୟୁମ୍ନ ଦାଶ, ଓ ଓମ୍ ପ୍ରକାଶ ଜେନା ପ୍ରମୁଖ ଯୋଗ ଦେଇଥିଲେ । କିନ୍ତୁ ଦୁଃଖର ବିଷୟ ଏ ସଂପର୍କରେ କୌଣସି ଗଣମାଧ୍ୟମକୁ ବିଭାଗ ପକ୍ଷରୁ ସୂଚନା ଦିଆଯାଇନଥିଲା । ଫଳରେ ଏହି ପ୍ରଶିକ୍ଷଣର ଫାଇଦା ସଂପୃକ୍ତ ପଞ୍ଚାୟତବାସୀ ପାଇବେ କି ନାହିଁ ତାହା ସନ୍ଦେହ ସୃଷ୍ଟି ହୋଇଛି ।

ରିପୋର୍ଟ : ଭୂପତି କୁମାର ପରିଡା